Odisha Link
Bridging the Missing Links in Odisha

ଷଷ୍ଠ ପାଳି ପାଇଁ ଅଙ୍କକଷା, ଲୋକସମ୍ପର୍କକୁ ଗୁରୁତ୍ବ

ଭୁବନେଶ୍ବର: ନବୀନଙ୍କ ପଞ୍ଚମ ପାଳିକୁ ଇତି ମଧ୍ୟରେ ଦେଢ ମାସ ପୁରି ସାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ବିଧାୟକଙ୍କ ପରେ ସାଂସଦ ମାନଙ୍କୁ ଗରୁମନ୍ତ୍ର ଦେଇଛନ୍ତି। ପ୍ରତ୍ୟେକ ମାସରେ ରିପୋର୍ଟ ଦେବାକୁ କହିଛନ୍ତି ସୁପ୍ରିମୋ ନବୀନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ ତାଙ୍କର ସବୁ ମନ୍ତ୍ରୀଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି। ଗୁରୁବାର ଦିନ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ଏହି ବୈଠକରେ ନବୀନ ସମସ୍ତ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। “୫-ଟି”ଅନୁସାରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଲୋକଙ୍କ ସହ ପ୍ରତ୍ୟେକ୍ଷଭାବେ ମିଶିବା ପାଇଁ ସବୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଦଳର ସମସ୍ତ ବିଧାୟକ ଏବଂ କର୍ମୀଙ୍କୁ ଡାକି ଲୋକଙ୍କ ସହ ସମ୍ପର୍କ ରଖିବାକୁ କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଶେଷ ସୁତ୍ରରୁ ପ୍ରକାଶକି ନବୀନଙ୍କ ଏଭଳି ନିଷ୍ପତ୍ତିରେ କିଛି ରାଜନୈତିକ କାରଣ ପରିଲିକ୍ଷିତ ହେଉଛି। ଦୀର୍ଘ ୨୦ବର୍ଷ ଧରି ନବୀନ ତାଙ୍କ ଫର୍ମୁଲାରେ ବିରେଧୀଙ୍କୁ ସଦାବେଳେ ଚକମା ଦେଇ ବିଜୟୀ ହୋଇ ଆସିଛନ୍ତି। ନବୀନଙ୍କ ଏଭଳି ଗୁରୁମନ୍ତ୍ରକୁ ଦେଖିଲେ ଅନୁମାନ କରାଯାଇପାରୁଛି ଯେ ଲୋକ ସମ୍ପର୍କକୁ ନେଇ ନବୀନ ଏତେ ଚିନ୍ତିତ କାହିଁକି । ଗୁରୁମନ୍ତ୍ର ମାଧ୍ୟମରେ ନବୀନ ଓ ବିଜେଡି ଷଷ୍ଠ ପାଳି ପାଇଁ ପ୍ରସ୍ତୁତି ହେଉ ନାହାଁନ୍ତିତ ବୋଲି ପ୍ରଶ୍ନ ଉଠୁଛି।
ନବୀନଙ୍କୁ ଲୋକ ସମ୍ପର୍କ ଭୟ:
ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କଲା। କେନ୍ଦ୍ରର ନିଷ୍ପତ୍ତିରେ ସବୁଥିରେ ସହମତି ପ୍ରକାଶ କରିବା ବିଜେଡିର ଚେହେରା ପଦାରେ ପଡିଛି। ଏଥର ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭାରେ ସଂଖ୍ୟା ହ୍ରାସ ହେବା ଘଟଣାକୁ ନବୀନ ସହଜରେ ଗ୍ରହଣ କରିପାରିନାହାଁନ୍ତି । ଅନ୍ୟପଟରେ ବିଜେପି ଯେଉଁଭଳି ଭାବରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିବା ଆରମ୍ଭ କରିଛି ତାହା ମଧ୍ୟ ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଗାମୀ ଦିନରେ ମୁନୁସିପାଲଟି ନିର୍ବାଚନ,୨ ବର୍ଷ ପରେ ପଞ୍ଚାୟତ ନିବର୍ବାଚନ ଏବଂ ନିର୍ବାଚନରେ ପୁଣି କ୍ଷମତାକୁ ଆସିବା ଲକ୍ଷ୍ୟ ରଖି ସେ ଏବେଠାରୁ ତାଙ୍କ ରାଜନୀତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା କଥା କୁହାଯାଉଛି । ଭବିଷ୍ୟତ ଆଶଙ୍କାକୁ ଦେଖି ବର୍ତ୍ତମାନଠୁ ବିଜେଡି ସୁପ୍ରିମୋ ନବୀନ ଅଙ୍କ କଷା ଆରମ୍ଭ କରିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ମନ୍ତ୍ରୀ,ବିଧାୟକଙ୍କ ସମେତ ସାଂସଦଙ୍କୁ ଗୁରୁମନ୍ତ୍ର:
କିଛିଦିନ ତଳେ ଦଳୀୟ ବିଧାୟକମାନଙ୍କୁ ଡାକି ଲୋକଙ୍କ ସହ ସମ୍ପର୍କ ରଖିବା ଓ ସେମାନଙ୍କ ସମସ୍ୟା ସହ ଜଡ଼ିତ ହେବା ପାଇଁ ପରାମର୍ଶ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ। ଅବଶ୍ୟ ଏହି ବୈଠକରେ ମନ୍ତ୍ରୀମାନେ ମଧ୍ୟ ସାମିଲ ଥିଲେ। କିନ୍ତୁ ଗତ ଗୁରୁବାର ଦିନ ମନ୍ତ୍ରୀପରିଷଦ ବୈଠକରେ ମନ୍ତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବେ ଡାକି ସେମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ତୃଣମୂଳସ୍ତରକୁ ଯାଇ ଲୋକଙ୍କୁ ଭେଟି ସେମାନଙ୍କ ସହ ସମ୍ପର୍କ ରଖିବା ଓ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକଙ୍କ ସହ ସମ୍ପର୍କ ରଖିଲେ ସେମାନଙ୍କର ବିଶ୍ୱାସ ବଢ଼ିବ। ଫଳରେ ଲୋକଙ୍କ ପାଖରେ ସରକାରୀ ଯୋଜନା ଓ କାର୍ୟ୍ୟ କ୍ରମ ପହଂଚୁଛି କି ନାହିଁ ତାହା ଜାଣିପାରିବ। ମନ୍ତ୍ରୀମାନେ ଗାଁକୁ ଗସ୍ତକଲେ ନିଜ ବିଭାଗର କାର୍ଯ୍ୟ କିଭଳି ଚାଲିଛି ତାହା ମଧ୍ୟ ଜାଣିପାରିବେ। ବିଭାଗୀୟ କାର୍ଯ୍ୟ ମଧ୍ୟ ତଦାରଖ କରିପାରିବେ। ଏପରି କି ନିଜ ବିଭାଗର କାର୍ଯ୍ୟ କିପରି ଚାଲିଛି ତାହା ଜାଣିବା ପାଇଁ ଅଚାନକ ଗସ୍ତକରିବା ସହ ଲୋକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଅ। ଲୋକଙ୍କୁ ଗୁରୁତ୍ୱ ଦିଅ ଓ ଲୋକଙ୍କ ପାଇଁ କାମକର ବୋଲି ନବୀନ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏଥିସହ “୫-ଟି” କଥା ମଧ୍ୟ ଉଠାଇଥିଲେ ନବୀନ। ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରାନ୍ସି, ଟ୍ରାନ୍ସଫର୍ମେସନ ଓ ଟାଇମ ଉପରେ ଗୁରୁତ୍ୱ ଦେବାକୁ ନବୀନ କହିଛନ୍ତି।

ମୋଦି ହାଓ୍ବା ବନାମ ନବୀନ କ୍ରେଜ:
୨୦୧୪ ନିର୍ବାଚନରେ ଓଡ଼ିଶା ରାଜନୀତିରେ ମୋଦି ହାଓ୍ବାର ପ୍ରଭାବ ପଡି ପାରିନଥିଲା। ନବୀନଙ୍କ କ୍ରେଜ ମାଧ୍ୟରେ ବିଜେଡି ୧୧୭ ବିଧାନସଭା ଓ ୨୦ ଲୋକସଭା ଆସନ ପାଇଥିଲା। ୨୦୧୯ ନିର୍ବାଚନରେ ୧୧୨ ବିଧାନସଭା ଓ ୧୨ଟି ଲୋକସଭା ଆସନ ପାଇଲା । ବିଧାନସଭା ନିର୍ବାଚନରେ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ବିଶେଷ ଭାବେ ପ୍ରଭାବ ପଡିନଥିଲେ ସୁଦ୍ଧା ଲୋକସଭା ନିର୍ବାଚନରେ ତାହା କାର୍ଯ୍ୟ କରିଛି। ଯାହା ଫଳରେ ୧ରେ ଥିବା ବିଜେପିର ସାଂସଦ ସଂଖ୍ୟା ୮ରେ ପହଞ୍ଚିଲା। ଭବିଷ୍ୟତରେ ଏହା ଆହୁରି ବଢ଼ିବାର ଆଶଙ୍କା ମଧ୍ୟ ଦେଖାଯାଉଛି। ବିଜେପି କେନ୍ଦ୍ରରେ ପୁଣି କ୍ଷମତାସୀନ ହୋଇଛି। ଏଣୁ ଓଡ଼ିଶା ଦଖଲ କରିବା ନେଇ ଦଳୀୟ ନେତାମାନଙ୍କର ଯେଉଁ ଲକ୍ଷ୍ୟ ରହିଛି ତାହା ଏଥର ପୁରଣ ହୋଇ ନ ଥିବାରୁ ୨୦୨୪ କୁ ହୋଇପାରେ। ବିଜେପି ଲୋକସଭାରେ ୮ ଆସନ ପାଇଥିଲା ବେଳେ ବିଧାନସଭାରେ ୧୦ରୁ ୨୩କୁ ବଢ଼ିଛି। ଓଡ଼ିଶାରେ ବିଜେପିର ଅଭିବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ନବୀନ ଷଷ୍ଠପାଳିରେ କ୍ଷମତାକୁ ଆସିବା ପାଇଁ ଲକ୍ଷ୍ୟ ରଖିଥିବାରୁ ଏବେଠାରୁ ସତର୍କତା ଅବଲମ୍ବନ କରିବାକୁ ନବୀନ ଉଚିତ ମନେ କରିଛନ୍ତି।

ସଫଳତାର ସୁତ୍ର ଲୋକସମ୍ପର୍କ:
ଚଳିତ ସାଧାରଣ ନିର୍ବାଚନରେ ଉତ୍ତମ ଲୋକସମ୍ପର୍କ ନଥିବାରୁ ୬ଟି ବିଧାୟକ ଏବଂ୭ଟି ସାଂସଦଙ୍କୁ ହରାଇଛି ବିଜେଡି। ଏସବୁକୁ ଦୃଷ୍ଟିରେ ରଖି ନବୀନ ଦଳୀୟ ସାଂସଦ, ମନ୍ତ୍ରୀ ଏବଂ ବିଧାୟକଙ୍କୁ ଲୋକସମ୍ପର୍କ ପ୍ରତି ଧ୍ୟାନ ଦେବା ପାଇଁ କହିଛନ୍ତି। ନବୀନଙ୍କ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସହ ଯଦି ସବୁଦଳୀୟ ବିଧାୟକ ମନ୍ତ୍ରୀ ଓ ନେତାମାନେ ଉତ୍ତ ସମ୍ପର୍କ ରଖିଥିବେ ଓ ସେମାନଙ୍କ ସମସ୍ୟା ସହ ଜଡ଼ିତ ଥିବେ ଏବଂ ବିଶ୍ୱାସଭାଜନ ହୋଇପାରିଥିବେ ତେବେ ବିଜେଡି ପୁଣି ଅଧିକ ଆସନରେ କ୍ଷମତାକୁ ଫେରିବ। ନବୀନ ହାୱା ବ୍ୟତୀତ ସେ ଲୋକସଭା ହେଉ କି ବିଧାନସଭା ହେଉ କେଉଁଥିରେ ମୋଦି କିମ୍ବା ଅନ୍ୟ କାହାରି ହାୱା କାମ କରିବ ନାହିଁ। ସେଥିପାଇଁ ସବୁବେଳେ ନବୀନ ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଥିବା କଥା ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comments are closed.