Odisha Link
Bridging the Missing Links in Odisha

ଆଜିଠାରୁ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌

କଟକ : କଟକ ସହରରେ ବିଗୁଲ୍ ବାଜିବ ବହୁ ପ୍ରତୀକ୍ଷିତ ଆନ୍ତର୍ଜାତିକ ଟେବୁଲ ଚମ୍ପିଆନ୍‌ସିପ୍‌ର। ବୁଧବାରଠାରୁ ରୌପ୍ୟନଗରରୀର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଆରମ୍ଭହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌। ବୁଧବାର ସକାଳେ ଏହି ଚମ୍ପିଆନ୍‌ସିପ୍‌ର ଉଦ୍‌ଘାଟନ ହେବ ଏବଂ ମଧ୍ୟାହ୍ନରୁ ପ୍ରତିଯୋଗିତା ଆରମ୍ଭହେବ। ଏହି ପ୍ରତିଯୋଗିତା ଲାଗି ୧୨ଟିଯାକ ପ୍ରତିଯୋଗୀ ଦଳ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି ଏବଂ ମଙ୍ଗଳବାର ସେମାନେ କଟକ ଆସି ଅଭ୍ୟାସ ମଧ୍ୟ କରିଛନ୍ତି। ବୁଧବାର ପୂର୍ବାହ୍ନରେ ଜବାହରଲାଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏକ ଭବ୍ୟ ଉଦ୍‌ଘାଟନ ଉତ୍ସବ ଆୟୋଜନ ହୋଇଛି। ଏଥିରେ ୧୨ଟି ପ୍ରତିଯୋଗୀ ଦେଶର ପ୍ରାୟ ୧୪୦ ଜଣ ଖେଳାଳି ମାର୍ଚ୍ଚପାଷ୍ଟରେ ଭାଗନେବେ। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଣୀଲାଲ ମୁଖ୍ୟଅତିଥି ଭାବେ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବେ।
ପ୍ରଥମଥର ପାଇଁ ଭାଇଚାରାର ସହର କଟକରେ ଏପରି ଉଚ୍ଚସ୍ତରର ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଆନ୍ତର୍ଜାତିକ କ୍ରୀଡ଼ାବିତ୍‌ଙ୍କ ଖେଳ ପାଖରେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଏହି ପ୍ରତିଯୋଗିତା କଟକରେ ଆ​‌େ​‌ୟାଜନ ହେବ ବୋଲି ଗତ ଜାନୁୟାରୀରେ ଭାରତୀୟ ଟେବୁଲ ଟେନିସ୍ ମହାସଂଘ ଘୋଷଣା କରିବା ପରଠାରୁ ଏହାର ପ୍ରସ୍ତୁତିରେ ଲାଗିଥିଲେ ଓଡ଼ିଶା ସରକାର ଓ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ୍। ଫଣି ବାତ୍ୟାରେ ଜବାହରଲାଲ ଇନ୍‌ଡୋର ଷ୍ଟାଡିୟମ୍‌ର ବ୍ୟାପକ କ୍ଷତି ହୋଇଥିଲେ ହେଁ ରାଜ୍ୟ ସରକାର ଯୁଦ୍ଧାକାଳୀନ ଭିତ୍ତିରେ ଏହାର ମରାମତି କରି ଏହାକୁ ନୂଆରୂପ ଦେଇଛନ୍ତି। ଷ୍ଟାଡିୟମ୍‌ର ବିଭିନ୍ନ ସୁବିଧା ସୁଯୋଗର ମଧ୍ୟ ବହୁତ ଉନ୍ନତି ଘଟିଛି। କେବଳ ଏତିକି ନୁହେଁ; ଆନ୍ତର୍ଜାତିକ ଖେଳାଳିଙ୍କୁ ସ୍ବାଗତ କରିବା ଲାଗି କଟକ ସହରରେ ମଧ୍ୟ ବହୁତ ମରାମତି କାର୍ଯ୍ୟ କରାଯାଇଛି। ଷ୍ଟାଡିୟମ୍‌ ଆଖପାଖର ରୂପ ବଦଳି ଯାଇଛି। ଷ୍ଟାଡିୟମ୍‌ ଭିତରେ ଓ ବାହାରେ ସାଜ୍ଜସଜ୍ଜା କରାଯାଇଛି। ପୁଣି ଷ୍ଟାଡିୟମ୍‌ ଆଖପାଖରେ କାନ୍ଥବାଡ଼ରେ ଚିତ୍ର କରାଯାଇଛି। ମୋଟଉପରେ କଟକ ସହର ଏବେ ଚଳଚଞ୍ଚଳ। ସହରରେ ଏବେ କ୍ରୀଡ଼ା ବାତାବରଣ ସୃଷ୍ଟିହୋଇଛି।
ପ୍ରତିଯୋଗୀ ଦଳଙ୍କ ସଂଖ୍ୟା ହ୍ରାସ ପାଇବା ଆୟୋଜକ ଓଡ଼ିଶା ସରକାର, ଟିଟିଏଫ୍‌ଆଇ ଓ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‌କୁ ନିରୁତ୍ସାହିତ କରି ପାରିନାହିଁ। ଶେଷ ମୁହୂର୍ତ୍ତରେ ୩ ପ୍ରତିଯୋଗୀ ଦଳ- ପାକିସ୍ତାନ, ଗାୟନା ଓ ଘାନା ଏହି ଚମ୍ପିଆନ୍‌ସିପ୍‌ରୁ ଓହରି ଯାଇଛନ୍ତି। ପୂର୍ବରୁ ଉଗାଣ୍ଡା ଓ ଜର୍ସି ଓହରି ଯାଇଥିଲେ। ଫଳରେ ୧୨ଟି ଦଳଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଏହି ୧୨ଟି ପ୍ରତିଯୋଗୀ ଦଳ ହେଲେ ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ୍, ଇଂଲଣ୍ଡ, ମାଲେସିଆ, ଭାରତ, ଶ୍ରୀଲଙ୍କା, ନାଇଜେରିଅା, ସ୍କଟ୍‌ଲାଣ୍ଡ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର ଓ ୱେଲ୍‌ସ। ପ୍ରଥମ ୩ ଦିନ ଦଳଗତ ପ୍ରତିଯୋଗିତା ଖେଳାଯିବ। ୩ୟ ଦିନ ଅପରାହ୍‌ଣରେ ଦଳଗତ ବିଭାଗର ପୁରସ୍କାର ବିତରଣ କରାଯିବ। ୪ର୍ଥ ଦିନ ଶନିବାର ସକାଳୁ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରତିଯୋଗିତା ଆରମ୍ଭହେବ। ସୋମବାର ସନ୍ଧ୍ୟାରେ ପ୍ରତିଯୋଗିତା ଉଦ୍‌ଯାପନ ହେବା ସହ ପୁରସ୍କାର ବିତରଣ କରାଯିବ। ସୋମବାର କିଛି ଦଳ ଓଡ଼ିଶାରେ ପହଞ୍ଚିଥିବା ବେଳେ ଆୟୋଜକ ଭାରତ ସହ ଅନ୍ୟ ଦଳମାନେ ମଙ୍ଗଳବାର ପହଞ୍ଚିଛନ୍ତି।

Comments are closed.