Odisha Link
Bridging the Missing Links in Odisha

ମନ୍ତବ୍ୟ ବାଦ୍‌ ଦିଆନଗଲେ ବିଧାନସଭା ଆଉ ଆସିବିନି: ମହାରଥୀ

ଭୁବନେଶ୍ବର: ଗତକାଲି ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆକ୍ଷେପ କରିବା ଘଟଣାରେ ଆଜି ଶାଣିତ ସ୍ୱରରେ ମହାରଥୀ କଡ଼ା ଜବାବ ଦେଇଛନ୍ତି। ମହାରଥୀ କହିଛନ୍ତି,“ କାଲି ମନ୍ତ୍ରୀ ଯାହା ଉତ୍ତର ଦେଇଥିଲେ ତାହା ଭୁଲ୍ ଉତ୍ତର ଥିଲା। ମନ୍ତ୍ରୀ କହିଥିଲେ ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। କିନ୍ତୁ ତାହା ୪୮କୁ ଖସିଛି। ହେଲେ ମୁଁ ଆସିବା ବେଳକୁ ୨୪ ଥିଲା। ମୋ ସମୟରେ ତାହା ୪୮ ହୋଇଥିଲା।  ମନ୍ତ୍ରୀ ହେଇଗଲେ ବୋଲି ମୋ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିବା ଠିକ୍ ନୁହେଁ ଏବଂ ମୋ ସମୟରେ ଆମେ ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛୁ ବୋଲି ପ୍ରଦୀପ ମହାରଥୀ କହିଛନ୍ତି।

ଆଳୁ ମିଶନ ଫେଲ ମାରିବା ଓ ଶୀତଳ ଭଣ୍ଡାର ବନ୍ଦ ହେବା ନେଇ ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପରୋକ୍ଷରେ ଦାୟୀ କରିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପାଇଁ ଉତ୍ତର ରଖୁଥିବା ଅର୍ଥମନ୍ତ୍ରୀ ନିରଜଂନ ପୂଜାରୀ ଶୀତଳ ଭଣ୍ଡାର ଅଚଳ ହୋଇପଡିବା ପ୍ରସଙ୍ଗରେ ବି ମହାରଥୀଙ୍କୁ ପାଲଟା ଉତ୍ତର ଦେଇଥିଲେ। ନିରଜଂନ କହିଥିଲେ ଯେ, ଯେତେବେଳେ ମହାରଥୀ ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କରି ସମୟରେ ଆଳୁ ମିଶନ ଆରମ୍ଭ ହୋଇଥିଲା। ଆଉ ତାଙ୍କରି ମନ୍ତ୍ରୀକାଳରେ ହିଁ ଆଳୁ ମିଶନର ଅବଧି ସରିଗଲା। ତାକୁ ସରକାର ପୁଣିଥରେ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେହିପରି ମନ୍ତ୍ରୀ ନିରଞ୍ଜନ କହିଥିଲେ ରାଜ୍ୟରେ ମୋଟ ୧୨୮ଟି ଶୀତଳ ଭଣ୍ଡାର ଅଛି। ସେଥିରୁ ୮୦ଟି ଅଚଳ ହୋଇପଡ଼ିଛି। ୪୮ଟି ସଚଳ ଅବସ୍ଥାରେ ଅଛି। ଏସବୁ ମହାରଥୀଙ୍କ ସମୟରେ ହୋଇଥିଲା ବୋଲି ମନ୍ତ୍ରୀ ନିରଜଂନ କହିଥିଲେ। ଏହାର ପାଲଟା ଜବାବ ଦେଇଛନ୍ତି ପ୍ରଦୀପ ମହାରଥୀ। ସେ କହିଛନ୍ତି ଯେ, ଆଳୁ ଚାଷ ରାଜ୍ୟରେ ପୂର୍ବରୁ ୧୨ହଜାର ହେକ୍ଟର ହେଉଥିବା ବେଳେ ମୋ ସମୟରେ ମୁଁ ୨୫ ହଜାର ହେକ୍ଟରକୁ ବୃଦ୍ଧି କରିଥିଲି।

ଶେଷରେ ପ୍ରଦୀପ ମହାରଥୀ ଗତକାଲି ନିରଞ୍ଜନ ଦେଇଥିବା ମନ୍ତବ୍ୟ ବିବରଣୀରୁ ବାଦ୍ ଦିଆନଗଲେ ମୁଁ ଆଉ ବିଧାନସଭା ଆସିବିନି ବୋଲି କହିଛନ୍ତି। ଅପରପକ୍ଷେ ତର୍ଜମା କରି ଆପତ୍ତିଜନକ ମନ୍ତବ୍ୟ ବିବରଣୀରୁ ବାଦ ଦେବାକୁ ବାଚସ୍ପତି ରୁଲିଂ କରିଥିଲେ। ଏବଂ କୌଣସି ଆକ୍ଷେପ ଥିଲେ ବାଦ୍ ଦେବାକୁ କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଅନ୍ୟପଟେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ମନ୍ତ୍ରୀଙ୍କ ବିବୃତି ବାଦ୍ ଦିଆଯାଇପାରିବନି। ଏହା ନିୟମ ନୁହେଁ ବୋଲି ଯୁକ୍ତି ବାଢିଥିଲେ। ଗୃହରେ ଅଶାନ୍ତି ସୃଷ୍ଟି ହେବା ହେତୁ  ବାଚସ୍ପତି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି।

Comments are closed.