Odisha Link
Bridging the Missing Links in Odisha

ଚାଲନ୍ତୁ ଜେଲ୍ ଯିବା

ଡଃ କୁଳାଙ୍ଗାରଙ୍କ ନିୟମିତ ସ୍ତମ୍ଭ ମୁଣ୍ଡମସଲା

ଚାଲନ୍ତୁ ଜେଲ୍ ଯିବା

ଚାଲନ୍ତୁ ଆଜି ଟିକେ ଜେଲ୍ ଆଡେ ବୁଲି ଆସିବା ! ବହୁଦିନ ହେଲା ଯଦି ଆପଣ ଯାଇ ନାହାନ୍ତି ତେବେ ଅତୀତର ସ୍ମୃତି ରୋମନ୍ଥନ ହେବ। ଯଦି ଆଦୌ ଯାଇନାହାନ୍ତି ତେବେ ନୂଆ ଅନୁଭବ ହେବ।

ଯଦି ଆପଣ ବିବାହିତ, ତେବେ ଆପଣ ଅନ୍ତତ ଥରଟିଏ ଜେଲ୍ ଯିବା ନିହାତି ଦରକାର। ଥରେ ଯାଇ ବୁଲି ଆସିଲେ ହାଲକା ଅନୁଭବ ହେବ। ଆପଣ ହୃଦବୋଧ କରିବେ କି’ ଆପଣ ଏକା ନୁହନ୍ତି।

ଆଉ ଯଦି ଆପଣ ଏବେ ମଧ୍ୟ ଅବିବାହିତ, ପ୍ରେମରେ ଲଟପଟ ହେଉଛନ୍ତି, ନିଜର ଭବିଷ୍ୟତ କ’ଣ ହେବ ବୋଲି ଚିନ୍ତା ମଧ୍ୟ କରୁଛନ୍ତି, ତେବେ ଆପଣ ଥରେ ଜେଲ୍ ବୁଲି ଆସିଲେ ସେ ଚିନ୍ତା ଦୂର ହୋଇଯିବ ଏବଂ ଆପଣ ନିଜରେ ଭବିଷ୍ୟତ ସ୍ବଚକ୍ଷୁରେ ଦେଖି ପାରିବେ।

ତେବେ ଆଉ ଡେରି କାହିଁକି, ଆସନ୍ତୁ ଜେଲ୍ ଆଡ଼େ ଘେରାଏ ବୁଲି ଆସିବା। କଏଦୀମାନଙ୍କୁ ସ୍ବାଗତ କରିବା ପାଇଁ ଜେଲ୍ ସାମନାରେ ଗାର୍ଡ ନିଯୁକ୍ତ ହୋଇଛନ୍ତି ଯାହାଙ୍କ ଅସଲ ରୋଜଗାର ଜାଣିଲେ ଆପଣ ନିଶ୍ଚିତ ହେବେ କି ଭାରତ ଏବେ ବିକଶିତ।

ଜେଲ୍ ଚାରିପାଖରେ ବଡ ପାଚେରୀ ଅଛି। ଏହା ଦକ୍ଷତା ପ୍ରତିପାଦନ କରିବା ପାଇଁ ଏକ ଆହ୍ବାନ। ଏହି ଆହ୍ବାନକୁ ସ୍ବୀକାର ଅନେକ ବନ୍ଦୀ ପୂର୍ବରୁ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ ମଧ୍ୟ ଉଚ୍ଚଡିଆଁ ପ୍ରତିଯୋଗୀତା ପାଇଁ ସୁଯୋଗ୍ୟ କ୍ରୀଡ଼ାବିତ୍ ଭାବରେ ସେମାନଙ୍କୁ ମାନ୍ୟତା ମିଳିନାହିଁ।

ତେବେ ଜେଲ୍ ଯିବାର ବଡ ଲାଭ ହେଉଛି: ଟଙ୍କା ଖର୍ଚ୍ଚକରି ଯାତ୍ରାପାର୍ଟିରେ ତ ଆପଣ ନକଲି ଖଳନାୟକ ଦେଖନ୍ତି, ଏଠି ଆପଣ ଖାଣ୍ଟି ଖଳନାୟକମାନଙ୍କୁ ଦେଖିବାକୁ ପାଇବେ।

କଣ୍ଟାକୁ କଣ୍ଟାରେ କାଢ଼ିବା ନୀତିରେ ଜେଲର ମହୋଦୟ ସେଇ ବନ୍ଦୀମାନଙ୍କ ଭିତରୁ ଦକ୍ଷ ତଥା ଅଭିଜ୍ଞମାନଙ୍କ ହାତରେ ଜେଲର ମହୋଦୟ ଜେଲଟିର ପରିଚାଳନା ଭାରକୁ ଅଘୋଷିତ ଭାବରେ ଟେକି ଦେଇଛନ୍ତି। ଅଭିଜ୍ଞତା ଓ ବରିଷ୍ଠତା ଭିତ୍ତିରେ ବନ୍ଦୀ ଅପରାଧୀଙ୍କୁ ଦାୟିତ୍ବ ମିଳିଛି।

ଏ ମହୋଦୟଙ୍କୁ ଭେଟନ୍ତୁ। ଇଏ ହେଲେ ଜଣେ ଗୁଣ୍ଡାଙ୍କ ସର୍ଦ୍ଦାର। ବଟି ଆଦାୟ, ସୁପାରି, ଠିକାଦାରୀ ଓ ହତ୍ୟା କରି ଭିତରେ ପଶିଛନ୍ତି। ଆଉ ଏଠି ବନ୍ଦୀମାନଙ୍କର ସର୍ଦ୍ଦାର ସାଜିଛନ୍ତି।

ୟାଙ୍କୁ ଭେଟନ୍ତୁ ! ୟେ ଗଞ୍ଜେଇ ଟାଣୁଥିଲେ ଓ ବିକୁଥିଲେ। ୟେ କିପରି ଆଉ ଅଧିକ ବଡ଼ ନିଶାଡ଼ି ହେବେ ନାହିଁ, ତାଙ୍କୁ ସେତିକିରେ ଅଟକେଇବା ପାଇଁ ଗଞ୍ଜେଇ ପୁଡିଆଟିଏ ପହଁଚେଇ ଦିଆଯାଉଛି।

ଏ ଯୁବକଙ୍କୁ ଭେଟନ୍ତୁ। ସ୍ମାର୍ଟ୍ ମୋବାଇଲରେ ଝିଅଙ୍କୁ ହଇରାଣ କରିବା ମାମଲାରେ ଭିତରକୁ ଆସିଛନ୍ତି। ଜେଲର ମହୋଦୟଙ୍କର ୟେ ଗୁରୁ। ତାଙ୍କୁ ସ୍ମାର୍ଟଫୋନ୍ ଓ ସୋସିଆଲ ମିଡିଆ ପରିଚାଳନା ଶିଖେଇବାର ପ୍ରତିଦାନ ସ୍ବରୂପ ୟାଙ୍କୁ ପାଖରେ ସ୍ମାର୍ଟଫୋନ୍ ରଖିବାର ସୁଯୋଗ ମିଳିଛି।

ଏପରି ଅନିୟମିତତାକୁ ବିରୋଧ କରୁଥିବା ବନ୍ଦୀ ମଧ୍ୟ ଜେଲରେ ଅଛନ୍ତି ଯିଏ ବ୍ୟବସ୍ଥା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଭିତରକୁ ଆସିଛନ୍ତି ! ତାଙ୍କ ଅବସ୍ଥା ବାହାରେ ଯାହା ଥିଲା ଭିତରେ ବି ସେୟା।

ଆପଣ ଭାବୁଥିବେ ନେତାମାନେ ନାନା ମାମଲାରେ ଜେଲ୍ ଯାଉଥିବାର ଖବର ମଝିରେ ମଝିରେ ପ୍ରକାଶ ପାଇଥାଏ। ସିଏ କଣ କରୁଛନ୍ତି?

ସିଏ କ’ଣ ଏଠି ଅଛନ୍ତି! ଆସିବା ବାଟରେ ତାଙ୍କ ଦେହ ଖରାପ ହୋଇଯାଏ। ସିଏ ଡାକ୍ତରଖାନାକୁ ପଳାନ୍ତି। ସେଠି ସେଇମିତି ପଡ଼ି ରହନ୍ତି। ମାମଲାର ଜାମିନ୍ ହେଲେ ଯାଇ ତାଙ୍କର ଦେହ ଭଲ ହୁଏ!

ଜେଲ୍ ଭିତରେ ବି ଗୋଟେ ସ୍ବାସ୍ଥ୍ୟକେନ୍ଦ୍ର ଅଛି। କିନ୍ତୁ ଅଭିଯୋଗ ହୁଏ କି ସେଠାରେ ସର୍ବମୋଟ ଜଣେ ଆଖି ଡାକ୍ତର ଅଛନ୍ତି, ଯିଏ ସବୁ ରୋଗ ପାଇଁ ଔଷଧ ଦିଅନ୍ତି ! ପ୍ରକୃତରେ ଏହା ଅପରାଧୀଙ୍କର ଚିକିତ୍ସା ପାଇଁ ପ୍ରକୃଷ୍ଟ ଉପାୟ। ଅପରାଧୀଙ୍କର ଦୃଷ୍ଟିଭଙ୍ଗୀ ବଦଳିଲେ ହିଁ ସବୁକିଛି ଆପେ ଆପେ ଠିକ୍ ହୋଇଯିବ।

ଭାରତ ଏକ କୃଷିପ୍ରଧାନ ରାଜ୍ୟ। ତେଣୁ ଜେଲ୍ ଭିତରେ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀମାନେ ଚାଷବାସ କରନ୍ତି। ସେଥିରୁ ଉପଲବ୍ଧ ରୋଜଗାରକୁ ଦେଖି ସର୍ବଦା ବିକଳ୍ପ କାର୍ଯ୍ୟ ପାଇଁ ସଂକଳ୍ପବଦ୍ଧ ହୁଅନ୍ତି।

ସ୍କୁଲରେ ସାର୍ ପଚାରିଲେ- ଜେଲରେ କିଏ ରୁହନ୍ତି?

ପିଲାଠିଏ ଚଟ୍ କରି ଛିଡା ହୋଇ କହିଲା- ମୋ ଡାଡି!

ସାର୍ ଚକିତ ହୋଇ ପଚାରିଲେ- କାହିଁକି, ତୁମ ଡାଡି କ’ଣ କିଛି ଅପରାଧ କଲେ କି?

ପିଲାଟି କହିଲା- ନାଇଁମ, ସିଏ ସେଠି ଜବ୍ କରନ୍ତି!

ଏ କଥା ତ ସମସ୍ତେ ଜାଣନ୍ତି କି ଜେଲ୍ ଭିତରେ ଅପରାଧୀମାନେ ରହନ୍ତି। କିନ୍ତୁ ଜେଲ୍ ବାହାରେ କଣ ଭଦ୍ରଲୋକମାନେ ରହନ୍ତି??

Comments are closed.