Odisha Link
Bridging the Missing Links in Odisha

ଆଇସିସିର ନୂଆ ନିୟମ: ବଦଳ ଖେଳାଳି କରି ପାରିବେ ବ୍ୟାଟିଂ ଓ ବୋଲିଂ

ଲଣ୍ଡନ: ଏବେ ବଦଳ ଖେଳାଳି ମ୍ୟାଚରେ କରିପାରିବେ ବୋଲିଂ ଓ ବ୍ୟାଟିଂ। ଏଭଳି ନିୟମକୁ ଆଇସିସି ଗଭର୍ଣ୍ଣିଂ ବଡ଼ି ତା’ର ପ୍ଲେଇଙ୍ଗ୍ କଣ୍ଡିସନରେ ସାମିଲ୍ କରିନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କ୍ରିକେଟର ସବୁ ଫର୍ମାଟରେ ପୁରୁଷ ଓ ମହିଳା ଟିମ୍ ମ୍ୟାଚ୍ ବେଳେ ‘କନକସ୍‌ଡ ପ୍ଲେୟର୍’ (ମୁଣ୍ଡରେ ଆଘାତ ପାଇଥିବା ଖେଳାଳି)କୁ ରିପ୍ଲେସ୍ କରିବା ପାଇଁ ଅନୁମତି ମିଳିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

ଏହି ନିୟମ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବାକୁଥିବା ଆଶେସ୍ ସିରିଜରୁ ଲାଗୁ କରାଯିବ। କନକସନ୍ ଉପରେ ନିଷ୍ପତ୍ତି ଟିମର ମେଡିକାଲ୍ ପ୍ରତିନିଧି ଦ୍ୱାରା ନିଆଯିବ। ତେବେ ଆଘାତ ଖେଳାଳିଙ୍କ ସ୍ଥାନରେ ଯେଉଁ ଖେଳାଳି ବ୍ୟାଟିଂ ଓ ବୋଲିଂ କରିବାକୁ ଆସିବେ, ତାଙ୍କୁ ମ୍ୟାଚ୍ ରେଫରୀଙ୍କ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯିବ। ଲଣ୍ଡନରେ ଆୟୋଜିତ ଆଇସିସିର ବାର୍ଷିକ ସମ୍ମିଳନୀରେ କୁହାଯାଇଛି ଯେ, “ଘରୋଇ କ୍ରିକେଟରେ ପ୍ରାୟ ୨ ବର୍ଷର ଟ୍ରାଏଲ୍ ପରେ ଆଇସିସି ପୁରୁଷ ଓ ମହିଳାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଏବଂ ପୂରା ଦୁନିଆରେ ଖେଳାଯାଉଥିବା ଫାଷ୍ଟକ୍ଲାସ୍ କ୍ରିକେଟରେ କନକସ୍‌ଡ ପ୍ଲେୟରର ରିପ୍ଲେସମେଣ୍ଟକୁ ମଞ୍ଜୁରି ପ୍ରଦାନ କରିଛି।”

ଅଷ୍ଟ୍ରେଲୀୟ କ୍ରିକେଟର୍ ଫିଲ୍ ହ୍ୟୁଜଙ୍କ ଦୁଃଖଦାୟକ ମୃତ୍ୟୁ ପରେ ଆଇସିସି ଅନ୍ତର୍ଜାତୀୟ କ୍ରିକେଟରେ ଏଭଳି କିଛି ବିକଳ୍ପ ବ୍ୟବସ୍ଥା କରିବାକୁ ଯୋଜନା କରିଥିଲା। ଆଇସିସି ୨୦୧୭ରେ ଘରୋଇ କ୍ରିକେଟରେ ପରୀକ୍ଷଣ ସ୍ୱରୂପ ମୁଣ୍ଡରେ ଲାଗିଥିବା ଆଘାତ ଯୋଗୁ ଅଚେତ୍ ହୋଇଥିବା କନକସନ୍ ବଦଳ ଖେଳାଳିର ଶୁଭାରମ୍ଭ କରିଥିଲା।

Comments are closed.