Odisha Link
Bridging the Missing Links in Odisha

ଆଇଏମଏଫର ନୂଆ ଏମ୍‌ଡି ହୋଇପାରନ୍ତି ରଘୁରାମ୍ ରାଜନ

ନୂଆଦିଲ୍ଲୀ: ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ ଏବେ ଚର୍ଚ୍ଚାରେ। ରଘୁରାମ୍ ରାଜନ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ନୂତନ ମ୍ୟାନେଜିଂ ଡାଇରେକ୍ଟର ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଜୋର ଚର୍ଚ୍ଚା ଧରିଛି। ବ୍ରିଟିଶ ମିଡିଆରେ ଚର୍ଚ୍ଚା ହେଉଥିବା ଖବର ଅନୁସାରେ ରାଜନଙ୍କ ନାଁ ଏହି ତାଲିକାର ସବୁଠାରୁ ଆଗରେ ରହିଛି। ବ୍ରିଟେନର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଦାବି କରାଯାଉଛି ଯେ, ତାଙ୍କ ପକ୍ଷରୁ ଚଳିତ ଥର ପାଇଁ କୌଣସି ଭାରତୀୟକୁ ସମର୍ଥନ କରାଯାଉ, ଯାହା ପରେ ରାଜନଙ୍କ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ଏହି ଦୌଡରେ ରାଜନଙ୍କ ବ୍ୟତୀତ ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନୀ, ଡେଭିଡ୍ କୈମରୁନ ସରକାର ସମୟରେ ଚାନସେଲର ରହିସାରିଥିବା ଜର୍ଜ ଓସବୋର୍ନ ଏବଂ ନେଦରଲାଣ୍ଡର ପୂର୍ବତନ ଅର୍ଥ ମନ୍ତ୍ରୀ ଜେରୋଇନ୍ ଡିଜସ୍ସେଲବ୍ଲୋଏମଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ଏମ୍‌ଡି କ୍ରିଷ୍ଟୀନ ଲେଗାର୍ଡ ଗତ ସପ୍ତାହରେ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ସେପ୍ଟେମ୍ୱର ୧୨ରୁ ଲାଗୁ ହେବ। ଏହା ପୂର୍ବରୁ ରଘୁରାମ୍ ରାଜନଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା ଯେ, ତାଙ୍କୁ ବ୍ୟାଙ୍କ ଅଫ୍ ଇଂଲଣ୍ଡର ଗଭର୍ଣ୍ଣର କରାଯାଇପାର । ଯଦିଓ ରାଜନ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଏବଂ କହିଛନ୍ତି ସେ ଏହି ପଦ ପାଇଁ ଆବେଦନ ହିଁ କରିନାହାନ୍ତି।

ରାଜନ୍‌ ପ୍ରମୁଖ ଦାବିଦାର: ସଣ୍ଡେ ଟାଇମ୍ସ
ଏହି ଦାବି ବଢିବାରେ ଲାଗିଛି ଯେ ଚଳିତ ଥର ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ପ୍ରମୁଖ ୟୁରୋପ ଓ ଆମେରିକା ବାହାରୁ କୌଣସି ବ୍ୟକ୍ତିକୁ କରାଯାଉ। ଇଂଲଣ୍ଡର ଖବର କାଗଜ ସଣ୍ଡେ ଟାଇମ୍ସ ଅନୁଯାୟୀ ୫୩ ବର୍,ର ରାଜନ୍ ଏହି ଦୌଡରେ ସବୁଠାରୁ ଆଗରେ ରହିଛନ୍ତି। ରଘୁରାମ୍ ରାଜନ ଯେହେତୁ ଏହାର ପୂର୍ବ ଅର୍ଥଶାସ୍ତ୍ରୀ ରହିସାରିଛନ୍ତି, ସେ ଏହି ପଦ ପାଇଁ ଉପଯୁକ୍ତ ବୋଲି ସଣ୍ଡେ ଟାଇମ୍ସ ପକ୍ଷରୁ କୁହାଯାଇଛି। ରାଜନ ବର୍ତ୍ତମାନ ଶିକାଗୋ ୟୁନିଭରସିଟିରେ ପ୍ରଫେସର ଅଛନ୍ତି।

ରଘୁରାମ ରାଜନଙ୍କ ଶିକ୍ଷାଗତ ଯୋଗ୍ୟତା:
ରଘୁରାମ ଗୋବିନ୍ଦ ରାଜନ ୧୯୬୩ ମସିହା ଫେବୃଆରୀ ୩ରେ ଭୋପାଳଠାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୩ ତମ ଗଭର୍ଣ୍ଣର ଥିଲେ। ୨୦୧୩ ମସିହା ସେପ୍ଟେମ୍ବର ୪ ତାରିଖ ଡି ସୁବାରଓ୍ବଙ୍କ ଅବସର ପରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦ ଗ୍ରହଣ କରିଥିଲେ। ୨୦୧୬ ମସିହା ସେପ୍ଟମ୍ବର ମାସ ପର୍ଯ୍ୟନ୍ତ ଗଭର୍ଣ୍ଣର ଦାୟିତ୍ବ ତୁଲାଇଥିଲେ। ସେ ୧୯୮୫ ମସିହାରେ ଆଇଆଇଟି ଦିଲ୍ଲୀରୁ ଇଲେକ୍ଟ୍ରିକାଲ ଇନଜିଂନିୟରିଂରେ ସ୍ନାତକ ହାସଲ କରିଥିଲେ। ୧୯୮୭ ମସିହାରେ ଆଇଆଇଏମ୍‌ ଅହମ୍ମଦାବଦରେ ଏମ୍.ବି.ଏ କରିଥିଲେ। ୧୯୯୧ ମସିହାରେ ରଘୁରାମ ରାଜନ ଅର୍ଥନୀତି ବିଷୟରେ ପିଏଚ୍.ଡ଼ି ହାସଲ କରିଥିଲେ।

Comments are closed.