Odisha Link
Bridging the Missing Links in Odisha

ଖୁବ ଶୀଘ୍ର ବିଏସଏଲସିରେ ଖନନ ପ୍ରକ୍ରିୟା ଆରମ୍ଭ ହେବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍ ଲାଇମ୍ କମ୍ପାନୀ ଲିମିଟେଡ(ବିଏସଏଲସି)ରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାମାନେ ପ୍ରଭାବିତ ହେବେ ନାହିଁ ବୋଲି ଆଜି ଇସ୍ପାତ୍ ମନ୍ତ୍ରାଳୟରେ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧକ୍ଷତାରେ ବସିଥିବା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ଆଜିର ବୈଠକରେ ପରିଚାଳନା ସମ୍ବନ୍ଧିତ ବିଷୟର ସମାଧାନ କରାଯିବ ବୋଲି ସହମତି ପ୍ରକାଶ ପାଇଛି। ସେଲ୍ ଏବଂ ଆରଆଇଏନଏଲ ବିଏସଏଲସିରୁ ଅଗ୍ରୀମ ଭାବରେ ଡୋଲୋମାଇଟ୍ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଏକ ଦୀର୍ଘମିଆଦି ଯୋଜନା ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ। ଏହି କାର୍ଯ୍ୟ ଚଳିତ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି ବୈଠକରେ ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ବିରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ଇସ୍ପାତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଉଲ୍ଲେଖନୀୟ ଯେ, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡ୍ର ସହାୟକ କମ୍ପାନୀ ବିଏସଏଲସି ୧୯୧୦ରୁ ଓଡିଶାର ସୁନ୍ଦରଗଡ ଜିଲ୍ଲାରେ ଖନନ ଏବଂ ବିପଣନ ଚୁନା ପଥର ଓ ଡିଲୋମାଇଟର କାରବାର କରୁଛି। କୌଣସି କାରଣରୁ ବିଗତ କିଛି ଦିନ ଧରି ବିଏସଏଲସିକୁ ପରିଚାଳନା ବନ୍ଦ କରିବାକୁ ପଡିଥିଲା। ଏହି ମାମଲାକୁ ସଂସଦ ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଜୁଏଲ ଓରାମ ଏବଂ ବିରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ପ୍ରଭାବିତ ଶ୍ରମିକ ଓ କର୍ମଚାରୀ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Comments are closed.