Odisha Link
Bridging the Missing Links in Odisha

ନବୀନଙ୍କ ପତନ ମୁଁ ଦେଖିବି: ବିଜୟ

ଭୁବନେଶ୍ବର: ପାଟକୁରା ନିର୍ବାଚନ ସରିଯାଇଛି। ଫଳାଫଳ ମଧ୍ୟ ସମସ୍ତଙ୍କ ସାମ୍ନାରେ ଅଛି। ଏଥିସହିତ ରାଜ୍ୟରେ କିଛି ମାତ୍ରାରେ ଥମିଛି ପ୍ରତ୍ୟେକ୍ଷ ରାଜନୀତି। ଏବେ ସୁଦ୍ଧା ଚର୍ଚ୍ଚାରେ ପାଟକୁରା ନିର୍ବାଚନ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ବିଜୟ ଯେତିତି ଚର୍ଚ୍ଚାରେ ନାହିଁ ତାଠୁ ଅଧିକ ଚର୍ଚ୍ଚା ହେଉଛି ବିଜୟ ମହାପାତ୍ରଙ୍କ ପରାଜୟକୁ ନେଇ। ପରାଜୟ ପରେ ପ୍ରଥମ ଥର ପାଇଁ ବିଜୟ ମହାପାତ୍ର ପରୋକ୍ଷ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ନବୀନଙ୍କ କିଲ ବିଜୟ ପ୍ରୋଜେକ୍ଟ ସଫଳ ହୋଇଛି ବୋଲି ବିଜୟ ମହାପାତ୍ର କହିଛନ୍ତି।

ଗଣମାଧ୍ୟମକୁ ସାକ୍ଷାତ ଦେଇ ବିଜୟ କହିଛନ୍ତି ଯେ, ସେ ପୂର୍ବରୁ ଏପରି ନିର୍ବାଚନ କେବେ ଦେଖି ନଥିଲେ। ଆଗକୁ ମଧ୍ୟ ଏପରି କେବେ ଦେଖିବେ ନାହିଁ। ପାଟକୁରାରୁ ଏପରି ଘେରାବନ୍ଦି କରି ରଖାଗଲା ଯେମିତି ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଛି। କିଲ ବିଜୟ ପ୍ରୋଜେକ୍ଟ ସଫଳ ହୋଇଛି। ଏଥିପାଇଁ ମୁଁ ନବୀନଙ୍କୁ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ବିଜୟ। ଏଥିସହିତ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ହୋଇଥିଲେ ଫଳ ଅଲଗା ହୋଇଥାନ୍ତା ତାକୁ ନଜରରେ ରଖି ଜାଣିଶୁଣି ଏହାକୁ ବିଳମ୍ବ କରାଗଲା ବୋଲି ବିଜୟ କହିଛନ୍ତି।

ବିଜୟ ଆହୁରି କହିଛନ୍ତି, ରାଜନୀତିରେ ସମସ୍ତଙ୍କ ପାଇଁ ଦିନେ ନା ଦିନେ ପୂର୍ଣ୍ଣଚ୍ଛେଦ ପଡିଥାଏ। ତାଙ୍କ ପାଇଁ ଏହି ପୂର୍ଣ୍ଣଚ୍ଛେଦର ସମୟ ଆସିବ ଏବଂ ମୋ ପାଇଁ ମଧ୍ୟ ଆସିବ। ତାଙ୍କ ପୂର୍ଣ୍ଣଚ୍ଛେଦ ବେଲେ ମୁଁ ଥିବି ହେଲେ ମୋ ପୂର୍ଣ୍ଣଚ୍ଛେଦରେ ସେ ନଥିବେ। ରାଜନୀତିରେ କେହି ଅଜୟ ଏବଂ ଅମର ହୋଇ ରହିପାରିବେ ନାହିଁ। ଏପରିକି ସେ ଘେରାବନ୍ଦୀ କରି ରଖିଥିବା ନବୀନଙ୍କ ସେନାବାହିନୀ ସହ କଥା ହୋଇଥିବା କହିଛନ୍ତି। ସେମାନେ ମଧ୍ୟ ଅନ୍ତରରୁ ସମର୍ଥନ ଜଣାଇଛନ୍ତି। ସେମାନେ ଜାଣି ନାହାନ୍ତି ତାଙ୍କର ଭବିଷ୍ୟତ କଣ ହେବ। ଏହି ସେନାବାହିନୀର ମୁଖ୍ୟ ଅଣ ଓଡିଆ ବ୍ୟୁରୋକ୍ରାଟ୍ସ ଓ ଦଳ ସେମାନଙ୍କର ନିୟନ୍ତ୍ରଣରେ ରହିଛି ବୋଲି ବିଜୟ କହିଛନ୍ତି।

ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ଉପରେ ବିଜେଡି ନେତା ପ୍ରତାପ ଦେବ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଘେରାବନ୍ଦୀ ରାଜନୀତି ବିଜୁ ବାବୁଙ୍କ ଅମଳରୁ ଆରମ୍ଭ ହୋଇଛି। ରାଇରଙ୍ଗପୁର ଉପନିର୍ବାଚନରେ ଏମିତି ହୋଇଥିଲା। ସେଥିରେ ବିଜୟ ମହାପାତ୍ର ସେନାପତି ଥିଲେ। ଘେରାବନ୍ଦୀ ଅଭିଯୋଗ ଭୁଲ୍‌। ଆମେ ମୋଟ ୨୧ ବିଧାୟକ ଓ ମନ୍ତ୍ରୀ ଥିଲୁ। ଆଉ ଏ ‘କିଲ୍ ବିଜୟ’ ଉକ୍ତି ଗଣମାଧ୍ୟମର ମନଗଢ଼ା କାହାଣୀ ବୋଲି ପ୍ରତାପ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପାଟକୁରା ନିର୍ବାଚନରେ ବିଜୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କଠାରୁ ପ୍ରାୟ ୧୭ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ। ଏହି ହାଇଭୋଲଟେଜ ଲଢେଇରେ ଅନେକ ଅବ୍ୟବସ୍ଥା ଏବଂ ହିଂସା ସାମ୍ନାକୁ ଆସିଥିଲା।

Comments are closed.