Odisha Link
Bridging the Missing Links in Odisha

ରାଜ୍ୟ ସଂସ୍କୃତି ସଚିବଙ୍କ ବିବାଦୀୟ ମନ୍ତବ୍ୟ, ପୁରସ୍କାର ଫେରାଇବେ କବି!

ଭୁବନେଶ୍ବର: ‘ମୁଁ ଅଭାଜନ କବିତା ପୁସ୍ତକ ପାଇଁ ପାଇଥିବା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଫେରାଇବା ପାଇଁ ଉଚିତ ମନେ କରୁଛି। ବିଭାଗୀୟ ମନ୍ତ୍ରୀ, ପ୍ରଶାସକଙ୍କ ମନ୍ତବ୍ୟ ଶୁଣି ସେ ପୁରସ୍କାର ମୋତେ ତିରସ୍କାର ପରି ଲାଗୁଛି।’

ଏହା କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ପୀତାମ୍ବର ତରାଇ। ଗତକାଲି ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ବନକ୍ଷତ୍ର ଉତ୍ସବରେ ରାଜ୍ୟ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ ଦେଇଥିବା ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶ୍ରୀ ତରାଇ।

ଏକ ଖବରକାଗଜରେ ଆଜି ପ୍ରକାଶିତ ରିପୋର୍ଟ ଅନୁସାରେ ଗତକାଲି ସଭାରେ ବିଭାଗୀୟ ସଚିବ ଶ୍ରୀ ପାଣିଗ୍ରାହୀ କହିଥିଲେ,

ପ୍ରବୀଣ ସାହିତ୍ୟିକଙ୍କ ଭିତରେ ସାରସ୍ବତ ଅହଙ୍କାର ରହିଛି। ସେମାନେ ନୂତନ ପିଢ଼ିକୁ ନିରୁତ୍ସାହିତ ନ କରି ଉତ୍ସାହିତ କରନ୍ତୁ। ପରସ୍ପରକୁ ସମ୍ମାନ ଦିଅନ୍ତୁ। ଆେମ ଯେତେବେଳେ ଜଣେ ସାହିତ୍ୟିକଙ୍କୁ ସଭାପତି ପଦରେ ବସାଉଛୁ, ସେତେବେଳେ କିଛି ସାହିତ୍ୟିକ ତାଙ୍କୁ କାହିଁକି ସେ ପଦରେ ବସାଇଲେ ବୋଲି ପ୍ରଶ୍ନ କରୁଛନ୍ତି।

ପୁରସ୍କାର ପାଇବା ପାଇଁ ସାହିତ୍ୟିକମାନେ ବ୍ୟାକୁଳ ବୋଲି ଶ୍ରୀ ପାଣିଗ୍ରାହୀ କହିଥିବା ଖବରକାଗଜ ଉଲ୍ଲେଖ କରିଛି।

ସେହିପରି ଏ ସଭାରେ ଏକାଡେମିର ସଭାପତି ଓ ବରିଷ୍ଠ କବି ହରିହର ମିଶ୍ର କହିଥିଲେ,

ସାହିତ୍ୟ ଏକାଡେମି ପୁରସ୍କୃତ ଲେଖକମାନେ ଏକାଡେମିକୁ ଭଲ ପାଉନାହାନ୍ତି। ସର୍ଜନଶୀଳ ବ୍ୟକ୍ତିମାନେ ବେଳେ ବେଳେ ସ୍ବେଚ୍ଛାଚାରୀ ହୋଇ ଯାଉଛନ୍ତି ଓ ତାଙ୍କ ଲେଖା ଦୁର୍ବୋଧ୍ୟ ମନେହେଉଛି।

୩୦ ବର୍ଷରୁ ଅଧିକ ସମୟ ଧରି କବିତା ଲେଖି ଆସୁଥିବା ପୀତାମ୍ବର ତରାଇ ଆଜି ପ୍ରତ୍ୟୁଷରୁ ଏ ଖବର ପଢ଼ିବା ପରେ ଫେସବୁକରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଶ୍ରୀ ତରାଇ ଲେଖିଛନ୍ତି,

ଓଡିଶା ସାହିତ୍ୟ ଏକାଡେମି ପ୍ରତିଷ୍ଠା ଦିବସରେ ଏଭଳି ବକ୍ତବ୍ୟ ମୋତେ କଷ୍ଟ ଦେଇଛି। ତେଣୁ ମୁଁ ପାଇଥିବା ଅଭାଜନ କବିତା ପୁସ୍ତକ ପାଇଁ ଏକାଡେମି ପୁରସ୍କାର ଫେରାଇବା ପାଇଁ ଉଚିତ ମନେ କରୁଛି। ଏକାଡେମି ମଞ୍ଚରେ ଏହାଠୁ ବଡ଼ ଆଉ କି ଅପମାନ ଅଛି। ମୁଁ ପ୍ରବୀଣ ହୋଇ ନ ପାରେ କିନ୍ତୁ ପୁରସ୍କାର ପାଇ ଅପରାଧ କରିଛି ନା ! ତେଣୁ ଫେରାଇ ଦେଇ ଦୋଷମୁକ୍ତ ହେବା ଭଲ। ଯେଉଁ ମଞ୍ଚରେ ବିଭାଗୀୟ ମନ୍ତ୍ରୀ, ପ୍ରଶାସକ ଏ ଭଳି ବକ୍ତବ୍ୟର କାରଣ ହୋଇ ପାରନ୍ତି ସେ ପୁରସ୍କାର ମୋତେ ତିରସ୍କାର ପରି ଲାଗୁଛି।

ଗତକାଲିର ଉପରୋକ୍ତ ସଭାକୁ ଉଦଘାଟନ କରିଥିଲେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

Comments are closed.