Odisha Link
Bridging the Missing Links in Odisha

ଓଡ଼ିଶା ସାହିତ୍ୟ ଏକାଡେମି ସଭାପତିଙ୍କୁ ରାଜେଂଦ୍ର କିଶୋରଙ୍କ ଚିଠି

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମି ସ୍ବନକ୍ଷତ୍ର ସଭାରେ ସଭାପତି ଓ ବରିଷ୍ଠ କବି ହରିହର ମିଶ୍ରଙ୍କ ବକ୍ତବ୍ୟର ପ୍ରତିବାଦରେ ସୋସିଆଲ ମିଡିଆରେ ତାଙ୍କୁ ଏକ ପତ୍ର ଲେଖିଛନ୍ତି ଅନ୍ୟତମ ବରିଷ୍ଠ କବି ରାଜେଂଦ୍ର କିଶୋର ପଂଡା। ସାହିତ୍ୟ ଏକାଡେମି ପୁରସ୍କୃତ ଲେଖକମାନେ ଏକାଡେମିକୁ ଭଲ ପାଉନାହାନ୍ତି ଓ ଏକାଡେମି ସଭାକୁ ଆସୁନାହାନ୍ତି ବୋଲି ଗତକାଲି ସଂଧ୍ୟାରେ ଏକାଡେମି ସ୍ବନକ୍ଷତ୍ର ସଭାରେ କହିଥିଲେ ଶ୍ରୀ ମିଶ୍ର। ସର୍ଜନଶୀଳ ବ୍ୟକ୍ତିମାନେ ବେଳେ ବେଳେ ସ୍ବେଚ୍ଛାଚାରୀ ହୋଇ ଯାଉଛନ୍ତି ଓ ତାଙ୍କ ଲେଖା ଦୁର୍ବୋଧ୍ୟ ମନେହେଉଛି ବୋଲି ମଧ୍ୟ ସେ ମତ ରଖିଥିଲେ।

ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରି ଶ୍ରୀ ପଂଡା କେତୋଟି ପ୍ରଶ୍ନ ପଚାରିବା ସହ ହରିହର ମିଶ୍ରଙ୍କୁ ଚିଠିଟିଏ ଲେଖିଛନ୍ତି।

ଶ୍ରୀ ପଂଡାଙ୍କ ଚିଠିଟି ତଳେ ଦିଆଗଲା।

କବି ଓ ପରମ ବଂଧୁ ହରିହର ମିଶ୍ର (Harihar Mishra) !

ଆପଣ ଏମିତି କହିଛନ୍ତି ସତରେ ? ବିଶ୍ବାସ ହେଉନି ! ଯଦି କହିଥିବେ କେହି, ‘ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ’ କହିଥିବେ, ସେ କବି ହରିହର ନୁହନ୍ତି, ଆପଣ ନୁହନ୍ତି !

ଅନେକ ପ୍ରଶ୍ନ ଉକୁଟୁଛି, କେତୋଟି କହିଦେଉଛି :—

(୧) କୌଣସି ସଭାକୁ ଯିବା ନ ଯିବା ବ୍ୟକ୍ତିର ଇଚ୍ଛାଧୀନ; ନ ଗଲେ ଆୟୋଜକମାନେ ନିମନ୍ତ୍ରିତ ବ୍ୟକ୍ତିମାନଂକୁ ଗାଳିଦେବା କର୍ମଟି ଅତି ହୀନ !
(୨) ଯୋଉ ସଂସ୍ଥାର ଅଧିକାଂଶ ସଭାରେ କେବଳ ଖୋଦ୍ କର୍ମକର୍ତା (functionaries) ଏବଂ ସରକାରୀ ବିଭାଗର ମଂତ୍ରୀଠୁ ଆରମ୍ଭ କରି ନିର୍ଦେଶକ, ଅତିରିକ୍ତ / ଯୁଗ୍ମ ସଚିବ ଓଗେର ‘ମଂଚଦଳନ’ କର୍ମ ପାଇଁ ସଦା-ତତ୍ପର, ସେଠିକି ଜଣେ କାହିଁକି ଯାଇ ସମୟ ଅପଚୟ କରିବ ? ଗୃହଚର୍ଚକ (host) ଯଦି ନିଜ ଘରକୁ ଅନେକଂକୁ ଡାକି ନିଜେ ‘ଅତିଥି’ ବୋଲାଇ ଗାଦିନସୀନ ହେବେ, ଜନେ ହସିବେ ନା କାଂଦିବେ ?
(୩) ଏକାଡେମୀ ବରଗିଦେବ ଯାହା, ଲେଖକ ତାହା ଲେଖିବାକୁ କ’ଣ ବାଧ୍ୟ ?
(୪) ଏକାଡେମୀ ପୁରସ୍କାର ଜଣେ ଯଦି ଗ୍ରହଣ କଲା, ସେ କ’ଣ ଏକାଡେମୀର କ୍ରୀତଦାସ ଯେ ପ୍ରତି ସଭାକୁ ଯାଇ ନିର୍ଯାତିତ ହେବାକୁ ବାଧ୍ୟ ?

ବିଶେଷ ଦ୍ରଷ୍ଟବ୍ୟ : ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇନାହିଁ (ଯେମିତି ପାଇ ନାହାନ୍ତି ସଟ୍ଚିଦାନନ୍ଦ, ଗୁରୁପ୍ରସାଦ ଓ ରମାକାଂତ); ତାହା ମୋର ଗୌରବ I କିନ୍ତୁ ଏକାଡେମୀର ଲେଖକ-ପରିଚୟ ଗ୍ରଂଥରେ ମୁଁ ତାହା ପାଇଛି ବୋଲି ଲେଖା ହୋଇଛି ! ସାହିତ୍ୟ ଏକାଡେମୀ ତୁରଂତ ସେଠି ସଂଶୋଧନ କରୁ ବୋଲି କହିବା ସତ୍ତ୍ବେ ତାହା ହେଉନି ! ଆପଣ ସେତିକି କରାନ୍ତୁ, ଧନ୍ୟ ହେବି !

ସପ୍ରେମ ସୁମନାସ ସହିତ —

ରାଜେଂଦ୍ର କିଶୋର ପଂଡା

ଏ ଚିଠିରେ ରାଜେଂଦ୍ର ଏକାଡେମି ଓ ବିଭାଗୀୟ ମନ୍ତ୍ରୀସଚିବଙ୍କ କାର୍ଯ୍ୟକୁ ସମାଲୋଚନା କରିଥିବା ବେଳେ ଉକ୍ତ ସଭାରେ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ବକ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି କବି ପୀତାମ୍ବର ତରାଇ। ସଚିବଙ୍କ ବକ୍ତବ୍ୟ ତାଙ୍କୁ ମର୍ମାହତ କରିଥିବା ବେଳେ ସେ ଏକାଡେମିରୁ ପାଇଥିବା ପୁରସ୍କାର ଫେରାଇଦେବେ ବୋଲି ଫେସବୁକରେ ଲେଖିଛନ୍ତି।

Comments are closed.