Odisha Link
Bridging the Missing Links in Odisha

କର୍ଣ୍ଣାଟକ: ୧୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପରେ ବିଜେପିର ପଲ୍ଲା ଭାରି

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ଼। ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ସରକାର ଗଠନ କରିଛି। ୟେଦ୍ଦୁରପ୍ପାଙ୍କ ସରକାରଙ୍କୁ ଆସନ୍ତାକାଲି ଅଗ୍ନି ପରୀକ୍ଷା ଦେବାକୁ ପଡ଼ିବ। ଅପରପକ୍ଷେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ୟେଦ୍ଦୁରପ୍ପା। ଆଉ ଏତିକିବେଳେ ବାଚସ୍ପତି କେ ଆର ରମେଶ କୁମାର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। କାରଣ  ବାଚସ୍ପତି କେ ଆର ରମେଶ କୁମାର ପୂର୍ବରୁ ବିଦ୍ରୋହ ଘୋଷଣା କରିଥିବା ୧୪ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ କଂଗ୍ରେସର ଏବଂ ୩ ଜଣ ଜେଡିଏସର। ପୂର୍ବରୁ ମଧ୍ୟ ୩ ଜଣଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏବେ ମୋଟ ୧୭ ଜଣଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି। ନିଲମ୍ବିତ ହୋଇଥିବା ବିଦ୍ରୋହୀ ୧୪ ବିଧାୟକଙ୍କୁ ୩ ବର୍ଷ ଯାଏଁ ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଇଛନ୍ତି ବାଚସ୍ପତି।

ବାଚସ୍ପତିଙ୍କ ନିଷ୍ପତ୍ତି ବିଜେପିକୁ ସୁହାଇବ:
ତେବେ ବାଚସ୍ପତିଙ୍କ ଏହି ପଦକ୍ଷେପ ୟେଦ୍ୟୁରପ୍ପାଙ୍କୁ ସୁହାଇବ। କାରଣ ୧୭ ଜଣ ବିଧାୟକଙ୍କୁ ନିଲମ୍ବନ କଲେ ଏବେ ଗୃହର ପୂର୍ଣ୍ଣ ସଦସ୍ୟ ବାଚସ୍ପତିଙ୍କୁ ଛାଡ଼ି ୨୨୪ରୁ ଖସିଆସିବ ୨୦୭କୁ। ଏଥିରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ଦରକାର ୧୦୪ ବିଧାୟକଙ୍କ ସମର୍ଥନ। ଏତିକିବେଳେ ବିଜେପି ପାଖରେ ବିଜେପିର ୧୦୫ ବିଧାୟକଙ୍କ ଏବଂ ଜଣେ ସ୍ବାଧୀନ ବିଧାୟକଙ୍କୁ ମିଶାଇ ମୋଟ ୧୦୬ ସଦସ୍ୟ ଅଛନ୍ତି। ତେଣୁ ସଖ୍ୟାଗରିଷ୍ଠତା ପରୀକ୍ଷାରେ ନିଶ୍ଚୟ ଜିତିବେ ବୋଲି କହିସାରିଲେଣି ବି.ଏସ. ୟେଦ୍ୟୁରପ୍ପା।

ବାଚସ୍ପତିଙ୍କୁ ହଟାଇବାକୁ ଉଦ୍ୟମ:
ସେପଟେ ସରକାର ପରିବର୍ତ୍ତନ ସହିତ ବାଚସ୍ପତି ଇସ୍ତଫା ଦେଇଥାନ୍ତି।ଅପରପକ୍ଷେ ଏପର୍ଯ୍ୟନ୍ତ କେ ଆର ରମେଶ ଇସ୍ତଫା ଦେଇନଥିବାରୁ ବିଜେପି ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ଚିନ୍ତା କରୁଛି। ତେବେ କର୍ଣ୍ଣାଟକ ନାଟକର ଏକ ଗୁରୁତ୍ବପୂର୍ଣ୍ଣ ଦିନ କାଲି ହିଁ ସଂପାଦିତ ହେବ। ସୂଚନାଥାଉକି, ସମ୍ୱିଧାନର ୧୭୯(ସି) ଅନୁଯାୟୀ ବାଚସ୍ପତିଙ୍କୁ ପଦଚ୍ୟୁତ କରିବା ପାଇଁ ବିଧାନସଭାରେ ପ୍ରସ୍ତାବ ଆସି ପାରିବ। ଏଥିପାଇଁ ୧୪ ଦିନର ମହଲତ ଦେବାକୁ ହେବ। ସମ୍ୱିଧାନର ଧାରା ୧୮୧ ଅନୁଯାୟୀ ଏହି ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ଆଉ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ।

Comments are closed.