Odisha Link
Bridging the Missing Links in Odisha

ବିଷ୍ଣୁ ସେଠୀ ଓ ବିଷ୍ଣୁପୁରାଣ

ଶୁଭସ୍ବର | ଶୁଭ୍ରାଂଶୁ ପଣ୍ଡା

ବିଷ୍ଣୁ ସେଠୀ ଓ ବିଷ୍ଣୁପୁରାଣ

ପ୍ରସଙ୍ଗକୁ ଯିବା ଆଗରୁ ପିଲାବେଳର ଗୋଟିଏ ସ୍ମୃତି ବାବଦରେ ଉଲ୍ଲେଖ କରିବାକୁ ଚାହୁଁଛି। ଆମେ ହାଇସ୍କୁଲ ସମୟରେ ହଷ୍ଟେଲରେ ରହୁଥିଲୁ ଓ ଘରୁ ସ୍କୁଲ ଯିବାଆସିବା କରୁଥିବା ସହପାଠୀଙ୍କ ଠାରୁ ନିଜକୁ ବେଶ୍‌ ବୟସ୍କ ବା ପରିପକ୍ବ (matured) ମନେ କରୁଥିଲୁ। ସେତେବେଳେ କେହି ଯଦି ଦୋଅକ୍ଷରୀ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲା ଆମର ବନ୍ଧୁମାନେ ତାକୁ ଏହି ଭଳି କିଛି କହୁଥିବାର ଶୁଣିବାକୁ ମିଳୁଥିଲା- କାହିଁକି ସେ ପୁରାଣ/ବିଷ୍ଣୁପୁରାଣ ଗାଉଛୁ? ଆମେମାନେ କଲେଜ ମାଡ଼ିବା ବେଳକୁ ବିଷ୍ଣୁପୁରାଣର ଅର୍ଥ ଅଶ୍ରାବ୍ୟରୁ ଅଦ୍ରଷ୍ଟବ୍ୟକୁ ବଦଳିସାରିଥିଲା।

ସେ ଯାହା ବି ହେଉ, ଏବେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପ୍ରସଙ୍ଗକୁ ଆସିବା। ରାଜନେତା ବିଷ୍ଣୁ ସେଠୀ ଜଣେ କବି ଭାବରେ ମଧ୍ୟ ଅଳ୍ପବହୁତେ ପରିଚିତ। ‘ନିର୍ମାୟା ଆକାଶ ତଳେ’ ଶୀର୍ଷକ ତାଙ୍କର ଏକ କବିତା ସଂକଳନ ଥିବା ବେଳେ ସେ ‘ଘାସଫୁଲ’ ନାମରେ ଏକ ତ୍ରୟମାସିକ ପତ୍ରିକା ସଂପାଦନ କରୁଥିବା ଶୁଣାଯାଏ। ଏହା ଭିନ୍ନ ପ୍ରାରମ୍ବିକ ବୃତ୍ତି ଭାବେ ସେ କିଛି କାଳ ‘ବିଶେଷ ଖବର’ ସାପ୍ତାହିକ ଖବରକାଗଜର ସହ-ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି। ଅତଏବ, ଆମେ ତାଙ୍କୁ ଜଣେ ସାହିତ୍ୟ-ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଭାବେ ବିଚାରିବାରେ କୌଣସି ଅସୁବିଧାନାହିଁ। ତେବେ ଜଣେ ସାହିତ୍ୟ-ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଯେ ପୂର୍ବୋକ୍ତ ବିଷ୍ଣୁପୁରାଣ ଜାତୀୟ ଅଶ୍ରାବ୍ୟ ଭାଷା କହିବେ ନାହିଁ ବା ଅଦ୍ରଷ୍ଟବ୍ୟ ଦୃଶ୍ୟ ଦେଖିବେ ନାହିଁ ସେଭଳି ତ କୌଣସି ନିୟମ ନାହିଁ।

ଏଇଠି ମନେପକାଇ ଦେବାକୁ ଚାହେଁ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ବାବୁ ବିଷ୍ଣୁ ସେଠୀଙ୍କର ଗୋଟିଏ ଅଡିଓ କ୍ଲିପ୍‌ ବେଶ୍‌ ଭାଇରାଲ୍‌ ହୋଇଥିଲା। ନିଜ ଦଳର ଜଣେ କର୍ମୀଙ୍କୁ ସେ ଅଡିଓ କ୍ଲିପରେ ଅଶ୍ରାବ୍ୟ ଭାଷାରେ ଗାଳି ଦେଉଥିବା ଶୁଣିବାକୁ ମିଳିଥିଲା। ନିଜ ଲୋକଙ୍କ ପ୍ରତି ଅସହିଷ୍ଣୁ ହେବା ତାଙ୍କର ନା ତାଙ୍କ ଦଳର ଆଦର୍ଶ ଏ କଥା ଆମକୁ ଜଣାନାହିଁ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ତାଙ୍କ ଭଳି ତାଙ୍କ ଦଳର କିଛି ଲୋକ ନିଜ ଲୋକଙ୍କ ପ୍ରତି ଅସହିଷ୍ଣୁ ହୋଇ ଦଳକୁ ବଦନାମ କରିବାର ଅନେକ ଉଦାହରଣ ରହିଛି।

ଶ୍ରୀ ସେଠୀ ନିଜ ଲୋକଙ୍କ ପ୍ରତି ଅସହିଷ୍ଣୁ ହେବାର ଆଉ ଗୋଟିଏ ସଦ୍ୟତମ ଉଦାହରଣ ବିଧାନସଭା ଭିତରେ ଦେଖିବାକୁ ମିଳିଛି ଆଉ ସେଇ ପ୍ରସଙ୍ଗରେ ଉଲ୍ଲେଖ କରିବା ପାଇଁ ମୁଁ ଏତେ ସବୁ ଗୌରଚନ୍ଦ୍ରିକା ବ୍ୟବହାର କରିଛି। ଟିକିଏ ପୂର୍ବରୁ ମୁଁ ଉଲ୍ଲେଖ କରିଛି ବାବୁ ବିଷ୍ଣୁ ସେଠୀଙ୍କର ସାହିତ୍ୟ ସଂପର୍କ କଥା। ନିଜକୁ ସାହିତ୍ୟିକ ବୋଲାଉଥିବା ଶ୍ରୀ ସେଠୀ ସେହି ସାହିତ୍ୟିକମାନଙ୍କ ପ୍ରତି ହେୟ ଭାବ ପ୍ରଦର୍ଶନ କରିଛନ୍ତି, ପୁଣି ବିଧାନସଭା ଭିତରେ।

ଗତ ଜୁଲାଇ ୨୭ ତାରିଖରେ ବିଧାନସଭା ଶୂନ୍ୟକାଳରେ ବିରୋଧୀଦଳ ଉପନେତା ଶ୍ରୀ ସେଠୀ ଓଡ଼ିଶା ସାହିତ୍ୟ ଏକାଡେମି ପ୍ରସଙ୍ଗରେ କେତୋଟି କଥା କହି ସରକାରଙ୍କୁ କଟାକ୍ଷ କରିଥିଲେ। ଏହା ସତ୍ୟ ଯେ ବିଗତ ୫ ବର୍ଷରେ ସଂସ୍କୃତି ବିଭାଗର ମନ୍ତ୍ରୀ-ସଚିବଙ୍କ ସ୍ବଡେଙ୍ଗୁରା ପିଟିବାର ଅଭିସନ୍ଧି ଓ ଆପଣା ଲୋକଙ୍କୁ ସୁବିଧା ଦେବାର ସଉକରୁ ଏକାଡେମି ମର୍ଯ୍ୟାଦାରେ ମଇଳା ଲାଗିବା ସହ ଏକାଡେମି କାର୍ଯ୍ୟକଳାପ କାଳିମାମୟ ହୋଇଛି। ଅବଶ୍ୟ ଏବେ ନୂଆ ମନ୍ତ୍ରୀ ବିଭାଗ ଦାୟିତ୍ବ ନେଇଥିବା ବେଳେ ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରିବା। ଶ୍ରୀ ସେଠୀ ଏକାଡେମିର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକାଡେମିରେ ହେଉଥିବା ନିର୍ବାଚନ ସବୁ ପାଟକୁରା ନିର୍ବାଚନକୁ ବଳିଯାଉଛି ବୋଲି ସେ କଟାକ୍ଷ କରିଛନ୍ତି।

ତେବେ ବିଧାନସଭା ଶୂନ୍ୟକାଳରେ ଶ୍ରୀ ସେଠୀଙ୍କର ଦୁଇଗୋଟି ବକ୍ତବ୍ୟ ନିଜ ଲୋକଙ୍କ ପ୍ରତି ତାଙ୍କର ଅସହିଷ୍ଣୁତାର ପ୍ରମାଣ ଦିଏ।

ଗୋଟିଏ ହେଲା, ଏକାଡେମି ସଭାପତି ଗୀତ ଲେଖୁଛନ୍ତି ଓ ଛପାଇବାରେ ବ୍ୟସ୍ତ ବୋଲି ଶ୍ରୀ ସେଠୀ କହିଛନ୍ତି। ଏକାଡେମୀର ସଭାପତି ହରିହର ମିଶ୍ର ଜଣେ ବରିଷ୍ଠ ଓ ପ୍ରସିଦ୍ଧ କବି, ଗୀତିକାର ଓ ନାଟ୍ୟକାର। ସେ ଏକାଡେମିର ଗୋଟିଏ ପଦ ଅଳଙ୍କୃତ କଲେ ବୋଲି କ’ଣ ନିଜ ସାରସ୍ବତ କର୍ମକୁ ବଳି ପକାଇବେ! ଶ୍ରୀ ସେଠୀଙ୍କୁ ମୋର ପ୍ରଶ୍ନ, ସେ ୧୫ ବର୍ଷ ହେଲା ନିର୍ବାଚନ ହାରି ହାରି ଆସୁଥିଲେ ଓ ତିନିମାସ ତଳେ ପୁଣି ନିର୍ବାଚିତ ହୋଇ ଗୃହକୁ ଫେରିଛନ୍ତି। ବିଧାନସଭାକୁ ଆସିବା ପରେ ସେ ରାଜନୀତି, ଅନ୍ୟ ଦଳକୁ କଟାକ୍ଷ, ନିଜ ଦଳର ପ୍ରଶସ୍ତିଗାନ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ ଇତ୍ୟାଦି ଛାଡ଼ି କେବଳ ଧାମନଗରବାସୀଙ୍କ ଉନ୍ନତି କଥା ଚିନ୍ତା କରିବେ କି? ଶ୍ରୀ ସେଠୀ ଯେଭଳି ଜଣେ ରାଜନେତା ଭାବେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗନେବା ସହ ଦଳୀୟ ସଂପୃକ୍ତି ଛାଡ଼ିପାରିବେ ନାହିଁ, ଠିକ ସେମିତି ଜଣେ ଲେଖକ ଯେଉଁ ପଦରେ ଥାଆନ୍ତୁ ପଛକେ ନିଜର ସାରସ୍ବତ ଅଭିରୁଚିକୁ ପରିହାର କରିପାରିବେ ନାହିଁ। ଯଦି ସଭାପତି ଶ୍ରୀ ମିଶ୍ର ଏକାଡେମି ଦାୟିତ୍ବରେ ଖିଲାପ କରୁଛନ୍ତି ସେ ପ୍ରସଙ୍ଗରେ କଟାକ୍ଷ କରନ୍ତୁ, ତାଙ୍କର ସାରସ୍ବତ ରୁଚିକୁ ନେଇ ଅସହିଷ୍ଣୁ ହେବା ଆଦୌ ଯୁକ୍ତିଯୁକ୍ତ ନୁହେଁ।

ଆଉ ଗୋଟିଏ କଥା ଶ୍ରୀ ସେଠୀଙ୍କର ନିଜ ଲୋକଙ୍କ ପ୍ରତି ଅସହିଷ୍ଣୁତାର ପ୍ରମାଣ ଦିଏ। ସେହି ଶୂନ୍ୟକାଳରେ ଶ୍ରୀ ସେଠୀ କହିଛନ୍ତି ଯେ ଲେଖକମାନେ ହୋଟେଲରେ ରହୁଛନ୍ତି। ସମ୍ଭବତଃ ଲେଖକମାନେ ଧଇଁଆଁ ଚେହେରାରେ ଶାନ୍ତିନିକେତନୀ ଫତେଇ ଗଳେଇ ହାଓ୍ବାଇ ଚପଲ ପିନ୍ଧି ବୁଲନ୍ତୁ ବୋଲି ଶ୍ରୀ ସେଠୀ ଇଚ୍ଛାକରନ୍ତି। ଅଥଚ ସେ ନିଜେ ରାଜନେତା ହୋଇଛନ୍ତି ବୋଲି ଦାମୀ ଗାଡ଼ି ଚଢ଼ି ଦଳବଳ ଘେନି ବୁଲିପାରିବେ। ମୋର ଶ୍ରୀ ସେଠୀଙ୍କୁ ପ୍ରଶ୍ନ, ଆପଣ ନିଜେ ଜଣେ ଲେଖକ ହୋଇ ଲେଖକମାନଙ୍କର ଶ୍ରୀ ଦେଖିପାରୁନାହାନ୍ତି କାହିଁକି? ଓଡ଼ିଶାରେ ଲେଖକମାନେ ଲେଖାଲେଖି କର୍ମ କରି ବଞ୍ଚନ୍ତି ନାହିଁ। ଲେଖାଲେଖି ଏଠାରେ ହାତରୁ ଖାଇ ଘୋଡ଼ା ଆଗରେ ଡେଇଁବା ଭଳି କଥା। ଶ୍ରୀ ସେଠୀ ଯେମିତି ରାଜନୀତିକୁ ନିଜର ବୃତ୍ତି କରିଛନ୍ତି, ଲେଖକମାନଙ୍କର ସେମିତି ରୋଜଗାରର ଅନ୍ୟ ବୃତ୍ତି ରହିଛି। ରାଜନେତା, ପ୍ରଶାସକ, ଚିତ୍ରକର, ନୃତ୍ୟଶିଳ୍ପୀ, ଅଭିନେତା ସମସ୍ତେ ଚହଟ ଚିକ୍କଣ ହୋଇ ବୁଲିବେ ଆଉ ସରକାରୀ କାର୍ଯ୍ୟରେ ବିଳାସ ଲାଭ କରିବେ। ଅଥଚ ଲେଖକଟିଏ ବିମାନରେ ଯାତ୍ରା କଲେ କିମ୍ବା ହୋଟେଲରେ ରହିଗଲେ ନିଜକୁ ସମଧର୍ମା କହୁଥିବା ବାବୁ ବିଷ୍ଣୁ ସେଠୀଙ୍କର ଗାତ୍ରଦାହ ହେଉଛି କାହିଁକି?

ଲେଖକମାନେ ଆଉ ଧଇଁଆଁ ହେଇ ନାହାନ୍ତି ବିଷ୍ଣୁ ବାବୁ। ବହୁ ଲେଖକ ଖୁବ ସମ୍ପନ୍ନ ଓ ବିଳାସମୟ ଜୀବନ ବିତାଇବାରେ ସମର୍ଥ। ଯେଉଁମାନେ ବି ତଥାକଥିତ ଦାରିଦ୍ର‍୍ୟ ଭୋଗ କରୁଛନ୍ତି ସେମାନଙ୍କ ମନ ଅନ୍ତତଃ ବାବୁ ବିଷ୍ଣୁ ସେଠୀଙ୍କ ଠାରୁ ଢେର ଧନୀ।

ପ୍ରିୟ ବିଷ୍ଣୁ ସେଠୀ ମହୋଦୟ, ବିଧାନସଭାକୁ ଆସିବା ପୂର୍ବରୁ ଆପଣଙ୍କ ତୁଣ୍ଡର ବିଷ୍ଣୁପୁରାଣ ଠାରୁ ବିଧାନସଭାର ପବିତ୍ର ଗୃହ ଭିତରେ ସମଧର୍ମା ସାହିତ୍ୟିକଙ୍କ ପ୍ରତି ଆପଣଙ୍କ ଏତାଦୃଶ ହେୟଭାବ ଅଧିକ ପୀଡ଼ାଦାୟକ।

Comments are closed.