Odisha Link
Bridging the Missing Links in Odisha

ସେନାରେ ଭାରତୀୟ କ୍ରିକେଟର, କେଉଁ ମାନେ ସାମିଲ ଥିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି ଭାରତୀୟ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂ ଧୋନି। କାରଣ ଆଜିଠାରୁ ଟେରିଟୋରି ଆର୍ମିର ଜଣେ ଅବୈତନିକ ଲେଫ୍ଟନାଣ୍ଟ୍‌ କର୍ନେଲ ଭାବେ ସେବା ଆରମ୍ଭ କରିଛନ୍ତି। ଏହି ସମୟରେ ସେନାରେ ଜଣେ ସ୍ବେଚ୍ଛାସେବୀ ଭାବେ ଜମ୍ମୁ ଓ କଶ୍ମୀରରେ ସେ ପାଟ୍ରୋଲିଂ କରିବା ସାଙ୍ଗକୁ ବିଭିନ୍ନ ସାମରିକ ଘାଟି ଜଗିବାର ଦାୟିତ୍ବ ତୁଲାଉଛନ୍ତି ଧୋନି। ତେବେ ଭାରତୀୟ ସେନାରେ ଧୋନି ପ୍ରଥମ କ୍ରିକେଟର ଭାବେ କାର୍ଯ୍ୟ କରି ନାହାନ୍ତି। ଧୋନିଙ୍କ ପୂର୍ବରୁ ଭାରତର ଏକାଧିକ ଖେଳାଳି ସେନା କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ।

ck naidu

ସିକେ ନାୟୁଡୁ:
ଭାରତୀୟ କ୍ରିକେଟ୍‌ ଦଳର ପ୍ରଥମ ଟେଷ୍ଟ୍‌ ଅଧିନାୟକ ହେଲେ ସିକେ ନାୟୁଡୁ। ୧୯୩୨ ମସିହାରେ ସେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ୭ ଟେଷ୍ଟ୍‌ ଖେଳି ସଂଗ୍ରହ କରିଥିଲେ ୩୫୦ ରନ୍‌। ଇଂଲଣ୍ଡ ବିପକ୍ଷ ୮୧ ରନ୍‌ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌ ଥିଲା। ସେତେବେଳେ ତାଙ୍କୁ ୪୦ ବର୍ଷ ହୋଇଥିଲା। ସେ ୮ ୱିକେଟ୍‌ ଦଖଲ କରିଥିଲା ବେଳେ ଇଂଲଣ୍ଡ ବିପକ୍ଷରେ ୩/୪୦ ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। ଭାରତର ପ୍ରାକ୍‌ ସ୍ବାଧୀନତା ସମୟରେ ହୋଲ୍‌କାରଙ୍କ ଆର୍ମିରେ ସେ ଜଣେ କର୍ନେଲ ଭାବେ ନିଯୁକ୍ତ ହୋଇ ସେବା କରିଥିଲେ।

Hemu Adhikari

ହେମୁ ଅଧିକାରୀ:
ଭାରତୀୟ ଦଳର ଜଣେ ଦକ୍ଷ ଅଲ୍‌ରାଉଣ୍ଡର ଥିଲେ ହେମୁ ଅଧିକାରୀ। ସେ ମଧ୍ୟ ଭାରତୀୟ ଶ୍ରେଷ୍ଠ ଫିଲ୍ଡର ମଧ୍ୟରେ ଥିଲେ ଅନ୍ୟତମ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୧୯୪୮ ଦିଲ୍ଲୀ ଟେଷ୍ଟ୍‌ରେ ସେ ଅପରାଜିତ ୧୧୪ ରନ୍‌ କରି ଭାରତକୁ ଫଲୋଅନ୍‌ରୁ ରକ୍ଷା କରିଥିଲେ। ତାଙ୍କ ୧୨ ବର୍ଷର ଟେଷ୍ଟ୍‌ ଜୀବନ ମଧ୍ୟରେ ସେ ୨୧ ମ୍ୟାଚ୍‌ ଖେଳିଥିଲେ। ଏଥି ସହିତ ଗୋଟିଏ ଟେଷ୍ଟରେ ଦଳର ନେତୃତ୍ବ ନେଇଥିଲେ। ଏହା ବ୍ୟତୀତ ୧୯୭୧ରେ ଦ ଓଭାଲ୍‌ରେ ଘରୋଇ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ୍‌ ବିଜୟ ହାସଲ କରିଥିବା ଅଜିଜ୍‌ ୱାଦେକରଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ସେ ପ୍ରବନ୍ଧକ ମଧ୍ୟ ଥିଲେ। ସେ ଭାରତୀୟ ସେନାରେ ଲେଫ୍ଟନାଣ୍ଟ୍‌ କର୍ନେଲ ଭାବରେ କାର୍ଯ୍ୟ କରୁଥିଲେ।

Naryan Swami

ଭେଙ୍କଟରମଣ ନାରାୟଣ ସ୍ବାମୀ:
ସେ ଥିଲେ ଜଣେ ମଧ୍ୟମଗତି ବୋଲର। ଭାରତ ପାଇଁ ଏକମାତ୍ର ଟେଷ୍ଟ୍‌ ୧୯୫୫ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଖେଳିଥିଲେ। ସେ ଭାରତୀୟ ସେନାରେ ମେଜର ଭାବେ କାର୍ଯ୍ୟ କରୁଥିଲେ।
ଚନ୍ଦ୍ରଶେଖର ଗଡ଼କାରୀ :
ଏହି ଅଲ୍‌ରାଉଣ୍ଡର ଭାରତ ପାଇଁ ୬ ଟେଷ୍ଟ୍‌ ଖେଳିଥିଲେ। ୧୯୫୩ ମସିହାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅପରାଜିତ ୫୦ ରନ୍‌ କରିଥିଲେ। ସେ ଲେଫ୍ଟନାଣ୍ଟ କର୍ନେଲ ଭାବରେ ସେନାରେ କାର୍ଯ୍ୟ କରୁଥିଲେ।
ଭିଏମ୍‌ ମୁଦିଆ :
ମୁଦିଆ ଥିଲେ ଭାରତୀୟ ଦଳର ଜଣେ ଅଫ୍‌ ବ୍ରେକ୍‌ ବୋଲର। ସେ ଖେଳିଥିଲେ ମାତ୍ର ୨ଟି ଟେଷ୍ଟ୍‌। ୧୯୬୦ରେ ପାକିସ୍ତାନ ବିପକ୍ଷରେ ୩ ୱିକେଟ୍‌ ଅକ୍ତିଆର କରିଥିଲେ। ମହାନ୍‌ ବ୍ୟାଟ୍‌ସମ୍ୟାନ୍‌ ହନିଫ୍ ମହମ୍ମଦ ମଧ୍ୟ ତାଙ୍କ ବୋଲିଂର ଶିକାର ହୋଇଥିଲେ। ସେ ସେନାରେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ।

ରମଣ ସୁରେନ୍ଦ୍ରନାଥ: 
ମିରଟ୍‌ ଜନ୍ମିତ ସୁରେନ୍ଦ୍ରନାଥ ଜଣେ ଦକ୍ଷ ସୁଇଂ ବୋଲର ଥିଲେ। ୧୧ ଟେଷ୍ଟ୍‌ ଖେଳି ପାଇଥିଲେ ୨୬ ୱିକେଟ୍‌। ସେ ତାଙ୍କର ଖେଳ ଜୀବନରେ ପାଇଥିଲେ ଦୁଇ ଥର ୫ ୱିକେଟ୍‌ ସଫଳତା। ୧୯୫୯ରେ ଇଂଲଣ୍ଡ ବିପକ୍ଷ ଦ ଓଭାଲ୍‌ ଟେଷ୍ଟ୍‌ରେ ୫/୭୫ ଥିଲା ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ସେ ସେନାରେ କର୍ନେଲ ଭାବେ କାର୍ଯ୍ୟ କରିଥିଲେ।

ଅପୂର୍ବ ସେନଗୁପ୍ତା :
ଲକ୍ଷ୍ନୌ ଜନ୍ମିତ ଅପୂର୍ବ ଭାରତ ପାଇଁ ମାତ୍ର ଗୋଟିଏ ଟେଷ୍ଟ ଖେଳିଥିଲେ। ୧୯୫୯ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଏହି ଟେ‌ଷ୍ଟର ଉଭୟ ପାଳିରେ ତାଙ୍କ ସ୍କୋର୍‌ ଥିଲା ୧ ଓ ୮ ରନ୍‌। ଭାରତୀୟ ସେନାରେ ସେ ଲେଫ୍ଟନାଣ୍ଟ କର୍ନେଲ ଭାବେ ଦାୟିତ୍ବ ତୁଲାଇଛନ୍ତି।

Sachin Tendulkar

ସଚିନ ତେନ୍ଦୁଲକର:
ସଚିନ୍ ତେନ୍ଦୁଲକର କ୍ରିକେଟ୍‌ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ। ଏହି ମହାନ୍‌ କ୍ରିକେଟର୍‌ ୨୦୧୦ରେ ଇଣ୍ଡିଆନ୍‌ ଏୟାର ଫୋର୍ସରେ ଅବୈତନିକ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଭାବେ ନିଯୁକ୍ତ ହୋଇଥିଲେ। ସେନା ପାଇଁ ଦକ୍ଷତାର ସହ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ସଚିନ୍‌ ଏକମାତ୍ର ଖେଳାଳି ଯିଏକି ୧୦୦ ଆନ୍ତର୍ଜାତିକ ଶତକ ଜମାଇବାର କୀର୍ତିମାନ ନିଜ ନାମରେ ରଖିଛନ୍ତି। ପୁଣି ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦିନିକିଆ ଆନ୍ତର୍ଜାତିକରେ ଦ୍ବିଶତକ ହାସଲର ଗୌରବ ପାଇଛନ୍ତି। ଉଭୟ ଟେଷ୍ଟ୍‌ ଓ ଦିନିକିଆ ଆନ୍ତର୍ଜାତିକରେ ସର୍ବାଧିକ ରନ୍‌ କରିବାର କୀର୍ତି ଅତୁଟ ମଧ୍ୟ ରଖିଛନ୍ତି। ଶେଷରେ ସେ ଏକମାତ୍ର ଖେଳାଳି ଯିଏକି ଆନ୍ତର୍ଜାତିକ କ୍ରିକେଟ୍‌ରେ ୩୦,୦୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି।

Comments are closed.