Odisha Link
Bridging the Missing Links in Odisha

ଧାନ ସଂଗ୍ରହରେ ସାମିଲ ହେଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ବର : ରାଜ୍ୟରେ ମିଶନ ଶକ୍ତି ଅଧିନରେ ସ୍ବୟଂ ସହାୟକ ଗୋଷ୍ଠିମାନ ବିଭିନ୍ନ କାର୍ଯ୍ୟରେ ପାରଦର୍ଶିତା ଦେଖାଇ ଆସିଛନ୍ତି। ଖାଲି ସେତିକି ନୁହେଁ ବରଂ ଦେଶବ୍ୟପୀ ଆର୍ଥୀକ ବିକାଶରେ ମଧ୍ୟ ଏହି ଗୋଷ୍ଠି ମାନଙ୍କର ରହଛି ବେଶ୍ ଗୁରୁତ୍ବ ପୁର୍ଣ୍ଣ ଭୂମିକା। ପୂର୍ବରୁ ଏଲିଡ ବଲ ତିଆରି, ବିଜୁ ଗାଁ ଗାଡ଼ି ଯୋଜନାରେ ବସ୍‌ ଚଳାଚଳ, ମାତୃ ଶିଶୁ ବିକାଶ ଯୋଜନାରେ ଛତୁଆ ଯୋଗାଣ ମିଟର ରିଡିଂ ଦ୍ବାରା ବିଜୁଳି ବଲ୍‌ ପ୍ରଦାନ ଏବଂ କୋଠା ବାଡି ନିର୍ମାଣ ଆଦି କାର୍ଯ୍ୟରେ ସାମିଲ୍‌ ହୋଇ ସ୍ବାବଲମ୍ବି ହୋଇ ପାରିଛନ୍ତି ଏହି ଗୋଷ୍ଠିର ମହିଳା ମାନେ। କିନ୍ତୁ ଏବେ ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଳାରେ ପାଇଲଟ୍‌ ପ୍ରକଳ୍ପ ଭାବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠିମାନଙ୍କୁ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇଛି।
କଳାହାଣ୍ଡି ଜିଲ୍ଲାରେ ୧୭ଟି ଗ୍ରାମପଞ୍ଚାୟତରେ ୧୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ଚଳିତ ବର୍ଷ ସଫଳତାର ସହ ଧାନ ସଂଗ୍ରହ କରାଯାଇଛି। ପ୍ରଥମେ ଏହି ଜିଲ୍ଲାର ଜୁନାଗଡ଼ ବ୍ଲକ୍‌ର ବାଣୀଝର ଗ୍ରାମପଞ୍ଚାୟତରେ ମା’ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ପାଇଁ ଚୟନ କରାଯାଇଥିଲା। ଧାନ ସଂଗ୍ରହ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବାରୁ ଏହି ଗୋଷ୍ଠୀ ସଦସ୍ୟାମାନେ ଆବଶ୍ୟକୀୟ କମ୍ଫୁଟର ତାଲିମ ନେଇଥିଲେ । ସର୍ବପ୍ରଥମେ ସେମାନେ ସ୍ଥାନୀୟ ନିୟନ୍ତ୍ରିତ ବଜାୟ କମିଟିରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ। ମଣ୍ଡିକୁ ନିଜ ଧାନ ସହ ଆସିଥିବା ଚାଷୀଙ୍କୁ ଦେଖି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଦକ୍ଷତାର ସହ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଥିଲେ ।

ସୁଖର କଥା, ମାତ୍ର ୩୦ ଦିନ ମଧ୍ୟରେ ଏହି ଗୋଷ୍ଠୀର ସଦସ୍ୟାମାନେ ୪୧ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଏଥିରେ ସେମାନଙ୍କୁ ମିଶନ ଶକ୍ତି ଜୁନାଗଡ଼ ବ୍ଲକ୍‌ ମହାସଂଘ ଯଥେଷ୍ଟ ସହାୟତା କରିଥିଲେ । ବର୍ତ୍ତମାନ ସୁଦ୍ଧା ଧାନ ସଂଗ୍ରହରୁ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ୧୨.୯୪ ଲକ୍ଷ ଟଙ୍କା ରୋଜଗାର କରିଥିବାବେଳେ ନିଜ ଜମାଖାତାରେ ୬.୨୫ ଲକ୍ଷ ଟଙ୍କା ଜମା କରିପାରିଛନ୍ତି । ଏହି ବଳକା ଅର୍ଥରେ ନିକଟସ୍ଥ ବଜାରକୁ ପରିବହନର ସୁବିଧା ପାଇଁ ସେମାନେ ଏକ ଭ୍ୟାନ କିଣିବାର ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି ଜିଲ୍ଲାର ୧୭ଟି ଗ୍ରୁପ୍‌ ୪୪.୧୫ କୋଟି ଟଙ୍କା ମୂଲ୍ୟର ୨.୪୭ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ବାବଦକୁ ୭୭.୨୪ ଲକ୍ଷ ଟଙ୍କାର ଅର୍ଥରାଶି କମିଶନ ଆକାରରେ ପାଇଛନ୍ତି । ରବି ଋତୁରେ କଳାହାଣ୍ଡି ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ପ୍ରତ୍ୟେକ ହାରାହାରି ୪.୫ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଲ୍ଲେଖନୀୟ ସଫଳତାକୁ ଦେଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଖରିଫ ଋତୁରେ ଅନ୍ୟ ଜିଲ୍ଲାମାନଙ୍କର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି ।

Comments are closed.