Odisha Link
Bridging the Missing Links in Odisha

ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିିନିକିଆ ସିରିଜ

ଗୁୟାନା: କ୍ରିକେଟ ବିଶ୍ବକପ ସେମିଫାଇନାଲରେ ପରାସ୍ତ ହେଲା ପରେ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି ଟିମ୍‌ ଇଣ୍ଡିଆ। ଭାରତ-ଓ୍ବେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ଟିମ୍‌ ଇଣ୍ଡିଆ ୩-୦ରେ ପୋଛି ନେଇଥିଲା ସିରିଜ୍। ଏବେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବିଜୟରୁ ଆରମ୍ଭ କରିବା ଲକ୍ଷ୍ୟରେ ବିରାଟ ବାହିନୀ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ।

ଆଜି ପ୍ରୋଭିଡେନ୍ସ ଷ୍ଟାଡିୟମରେ ପ୍ରଥମ ଦିନିକଆ ଖେଳାଯିବ। ଆଜିର ମ୍ୟାଚ୍‌ରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଦିନିକିଆ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିବେ। କୋହଲି ଓ ରୋହିତ ଶର୍ମାଙ୍କ ପରେ ଧାଓ୍ବନ ଭାରତ ତୃତୀୟ ଶ୍ରେଷ୍ଠ ଦିନିକିଆ ଖେଳାଳି ବିବେଚିତ ହେଉଛନ୍ତି। ୧୩୦ଟି ଦିନିକିଆ ମ୍ୟାଚ୍‌ ଖେଳି ଧାଓ୍ବନ ୧୭ଟି ଶତକ ଅର୍ଜନ କରିଛନ୍ତି। ରୋହିତଙ୍କ ଧାଓ୍ବନ ଇନିଂସ ଓପନ୍‌ କରିବେ। ଫଳରେ ଲୋକେଶ ରାହୁଲ ୪ ନମ୍ବରରେ ବ୍ୟାଟିଂ କରିବା ଆଶା କରାଯାଉଛି। କେଦାର ଯାଦବ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ହାସଲ କରିବେ। ତେବେ ଏହା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଅଧିନାୟକ କିପରି ବ୍ୟବହାର କରିବେ ତାହା ଉପରେ ନିର୍ଭର କରୁଛି। ମନୀଷ ପାଣ୍ଡେ ଓ ଶ୍ରେୟାସ ଆୟରଙ୍କ ମଧ୍ୟରୁ କିଏ ମିଡଲ ଅର୍ଡରରେ ବ୍ୟାଟିଂ କରିବ ତାହା କହିବା ଅବଶ୍ୟ କଷ୍ଟକର। ତେବେ ଟିମ୍‌ ମ୍ୟାନେଜମେଣ୍ଟ ଆୟରଙ୍କୁ ଅପେକ୍ଷାକୃତ ଅଧିକ ସୁଯୋଗ ଦେଇ ପରୀକ୍ଷା ନିରୀକ୍ଷା କରିବାକୁ ଚାହିଁବ।

ବୋଲିଂରେ ଭୁବନେଶ୍ୱର କୁମାର ଦୁଇଟି ଦେଶରେ ଗତ ସପ୍ତାହରେ ୩ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଫଳରେ ତାଙ୍କୁ ବିଶ୍ରାମ ଦିଆଯାଇ ମହମ୍ମଦ ସାମିଙ୍କୁ ସୁଯୋଗ ଦିଆଯିବା ଆଶା କରାଯାଉଛି। ସେ ଦ୍ରୁତ ବୋଲି ବିଭାଗର ନେତୃତ୍ୱ ନେବେ। ନବଦୀପ ସଇନି ଦିନିକିଆରେ ପଦାର୍ପଣ କରିବା ନିଶ୍ଚିତ ମନେ ହେଉଛି। ତେବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ ସିରିଜରେ କ୍ଲିନ୍‌ ସୁଇପ୍‌ କରି ଭାରତ ଲୟ ଫେରିପାଇଛି। ବିଶ୍ୱକପ୍‌ ବିପର୍ଯ୍ୟୟ ମନରୁ ଲିଭି ନ ଥିଲେ ମଧ୍ୟ ଭାରତ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଉପସ୍ଥିତି ସତ୍ତ୍ୱେ ଟି୨୦ ଭଳି ଦିନିକିଆ ମଧ୍ୟ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି।

ଟି୨୦ ସିରିଜରେ ହ୍ବାଇଟ୍‌ଓ୍ବାସର ଶିକାର ହୋଇଥିଲେ ମଧ୍ୟ ଗେଲ ଦଳକୁ ଫେରିଥିବାରୁ ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜରେ ବାଜି ମାରିବା ଲକ୍ଷ୍ୟରେ ରହିଛି। ବିଶ୍ୱକପ୍‌ ଅବସରରେ ଗେଲ ଭାରତ ବିପକ୍ଷ ଦିନିକିଆ ସିରିଜ ତାଙ୍କର ଶେଷ ସିରିଜ ହେବ ବୋଲି ଘୋଷଣା କରିଥିଲେ। ବାମହାତୀ ଓପନର ଜନ୍‌ କ୍ୟାମ୍ପବେଲ୍‌, ରୋଷ୍ଟନ ଚେଜ ଓ ଅଲରାଉଣ୍ଡର କିମୋ ପଲ ୧୪ ଜଣିଆ ଦଳରେ ସାମିଲ ହୋଇଛନ୍ତି। ଦ୍ୱିତୀୟ ଓ ତୃତୀୟ ଦିନିକିଆ ଯଥାକ୍ରମେ ୧୧ ଓ ୧୪ ତାରିଖରେ ତ୍ରିନିଦାଦର କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଘରୋଇ ପରିବେଶରୁ ଫାଇଦା ଉଠାଇ ଓ୍ବେଷ୍ଟଇଣ୍ଡିଜ ଭାରତକୁ ଚକ୍‌ମା ଦେବା ଲକ୍ଷ୍ୟରେ ରହିଛି। ଫଳରେ ଏହି ସିରିଜ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀବ ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ଓ ନବଦୀପ ସଇନି।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ୍‌ ଗେଲ, ଜନ କ୍ୟାମ୍ପବେଲ, ଏଭିନ ଲୁଇସ୍‌, ସାଇ ହୋପ୍‌, ଶିମରନ ହେଟମେୟର, ନିକୋଲାସ ପୁରନ, ରଷ୍ଟନ ଚେଜ୍‌, ଫାବିଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ, କିମୋ ପଲ, ଶେଲଡନ କଟ୍ରେଲ, ଓଶେନ ଥୋମାସ ଓ କେମର ରୋଚ୍‌।

Comments are closed.