Odisha Link
Bridging the Missing Links in Odisha

ଅଗଷ୍ଟ ୧୦ରୁ ପେଟୁ ନନାଙ୍କ ପେଟପୂଜା

ଭୁବନେଶ୍ବର: ଆପଣମାନେ ଆଉ ଟେଲିଭିଜନରେ ଆପଣଙ୍କ ପ୍ରିୟ ପୁଣ୍ଟୁ ନନାଙ୍କୁ ନ ଦେଖି ମନଦୁଃଖ କରୁଛନ୍ତି କି! ତେବେ ଆଉ କରନ୍ତୁ ନାହିଁ କାରଣ ପୁଣିଥରେ ଆପଣମାନଙ୍କ ଆଗକୁ ଆସିବେ ଆପଣଙ୍କ ପ୍ରିୟ ପୁଣ୍ଟୁନନା। ହେଲେ ଟିକେ ଅଲଗା ରୂପରେ ଆସିବେ ନନା। ହଁ ଆପଣମାନେ ଯାହା ଶୁଣିଲେ ଠିକ୍‌ ଶୁଣିଛନ୍ତି। କାରଣ ପୁଣ୍ଟୁ ନନା ଏବେ ପେଟୁ ନନା ହୋଇ ଆପଣଙ୍କୁ ହସେଇବେ। ଆଜ୍ଞା ହଁ ସମସ୍ତେ ଅଳ୍ପେ ବହୁତେ ଜାଣିଥିବେ, ସମସ୍ତଙ୍କ ପସନ୍ଦର କାର୍ଯ୍ୟକ୍ରମ ପୁଣ୍ଟୁନନାଙ୍କ ପେଟଯାତ୍ରା କାର୍ଯ୍ୟକ୍ରମ କଥା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ ହାସ୍ୟ ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା। ନିଜର ଅଭିନୟର ଯାଦୁ ଦେଖାଇ ଅନ୍ତର୍ଯ୍ୟାମୀ ପଣ୍ଡା ପୂର୍ବରୁ ରାଜ୍ୟ ଚଳଚ୍ଚିତ୍ର ପୁରଷ୍କାର ମଧ୍ୟ ପାଇ ସାରିଛନ୍ତି।

ହେଲେ ଅନେକ ଦିନ ହେବ ସେ ଆଉ ଟିଭି ପରଦାରେ ଦେଖା ଯାଉନାହାନ୍ତି। କିନ୍ତୁ ଏବେ ତରଙ୍ଗ ମନୋରଞ୍ଜନ ଚ୍ୟାନେଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଏବେ ଏକ ନୂଆ ଧରଣ ପରିବେଶିତ ହେବାକୁ ଯାଉଛି। ପେଟୁ ନନାଙ୍କ ପେଟପୂଜା ନାରେ ତରଙ୍ଗରେ ଏହି କାର୍ଯ୍ୟକ୍ରମଟି ପ୍ରକାଶିତ ହେବ। ପୂର୍ବପରି ପୁଣ୍ଟୁନନା ଏବେ ପେଟୁନନା ହୋଇ ବିଭିନ୍ନ ଘରକୁ ଯାଇ ଭଲ ଭଲ ଖାଇବା ଖାଇବେ ଓ ଲୋକଙ୍କୁ ହସାଇବେ।

ପେଟୁନନାଙ୍କ ପେଟପୂଜାରେ ଆପଣ କଣ ପାଇବେ:
ଓଡିଆ ପାରମ୍ପାରିକ ତଥା ଆଧୁନିକ ଖାଦ୍ୟ ରନ୍ଧନ ପ୍ରଣାଳୀକୁ ସହର ସହର ବୁଲି କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କ ଆଗରେ ପରିବେଷଣ କରିବା ଉଦ୍ଦେଶ୍ୟରେ ଆରମ୍ଭ ହେଉଥିବା ‘ପେଟୁନନାଙ୍କ ପେଟପୂଜା’ କାର୍ଯ୍ୟକ୍ରମରେ ଦର୍ଶକ ମାନେ ପାଇବେ ଉଭୟ ପର୍ଯ୍ୟଟନ ଓ ସୁସ୍ୱାଦୁ ଖାଦ୍ୟର ମଜା। କାର୍ଯକ୍ରମର ଆଙ୍କର ପେଟୁନନା ଘରଘର ବୁଲି ଲୋକଙ୍କ ରୋଷେଇ ଚାଖିବା ସହ ବୁଲିବେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ। ଖାଲି ଏତିକି ନୁହେଁ ବିଭିନ୍ନ ସହରର ଗଳି କନ୍ଦି ମାନଙ୍କ ଲୁକ୍କାୟିତ ଜଳଖିଆ ବା ଷ୍ଟ୍ରିଟଫୁଡର ମଧ୍ୟ ସେ କରିବେ ସନ୍ଧାନ। ଅନ୍ୟ ସବୁ ପ୍ରସାରିତ ରୋଷେଇ କାର୍ଯ୍ୟକ୍ରମ ଠୁ ଭିନ୍ନ ‘ପେଟୁନନାଙ୍କ ପେଟପୂଜା’ ରେ ଭ୍ରମଣ, ହାସ୍ୟରସ, ଖାଦ୍ୟ ଓ ରୋମାଚଂ କୁ ମିଶେଇ ଦର୍ଶକଙ୍କୁ ପରଶିଦେବ ତରଙ୍ଗ ଟିଭି ପ୍ରତ୍ୟେକ ଶନିବାର ଓ ରବିବାର ସଂଧ୍ୟା ୫ଟାରେ। ସ୍ଥାନୀୟ ନାମକରା ବିଜ୍ଞାପନ ସଂସ୍ଥା ସଂକେତ କମ୍ୟୁନିକେସନ ଓ ଲାଇଟ୍ ହାଉସ ପ୍ରଡକ୍ସନର ମିଳିତ ଉଦ୍ୟମରେ ନିର୍ମାଣ କରଯାଇଛି ଏହି ଅଭିନବ କାର୍ଯ୍ରକ୍ରମ ‘ପେଟୁନନାଙ୍କ ପେଟପୂଜା’। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ସୋମବାର ଏବଂ ମଙ୍ଗଳବାର ସକାଳ ୯ଟାରେ ପ୍ରକାଶିତ ହେବ ବୋଲି ପ୍ରେଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

Comments are closed.