Odisha Link
Bridging the Missing Links in Odisha

କଂଗ୍ରେସ ନେତାଙ୍କୁ ବାଛିବ କିଏ?

ନୂଆଦିଲ୍ଲୀ: ବହୁ ଦିନରୁ ଖାଲି ପଡ଼ିଛି ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ। ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ କଂଗ୍ରେସ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ତେବେ ପରବର୍ତ୍ତୀ କଂଗ୍ରେସ ମୁଖିଆ କିଏ ହେବ ସେ ନେଇ ଆଜି ନୂଆଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ବସିଥିଲା। କଂଗ୍ରେସର ନୂଆ ସଭାପତି ଚୟନ ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ତେବେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରୁ ଫେରିବା ପରେ ସୋନିଆ ଗାନ୍ଧୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଁ ଓ ରାହୁଲ ପରବର୍ତ୍ତୀ ସଭାପତି ଚୟନ ପ୍ରକ୍ରିୟାରେ ଭାଗ ନେବୁନି ବୋଲି କହିଛନ୍ତି। ତେବେ ପରବର୍ତ୍ତୀ କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟାରୁ ସୋନିଆ ଓ ରାହୁଲ ଦୂରେଇବା ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ସୂଚନାଥାଉକି, ଶୁକ୍ରବାର ଏକ ବୈଠକ ପରେ ରାହୁଲ ଗାନ୍ଧୀ କହିଥିଲେ ଯେ, ସିଡବ୍ଲ୍ୟୁସି ଏକାକି ପାର୍ଟି ଅଧ୍ୟକ୍ଷକୁ ନେଇ ନିଷ୍ପତ୍ତି ନେବ ନାହିଁ। ପ୍ରଦେଶ କଂଗ୍ରେସ କମିଟିର ମହାସଚିବ ଏବଂ ସିଡବ୍ଲ୍ୟୁସି ମିଶି ନୂତନ ଅଧ୍ୟକ୍ଷ ଚୟନ କରିବେ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଗାନ୍ଧୀ ପରିବାରର ବିଶ୍ୱସ୍ତ ମଲ୍ଲିକାର୍ଜୁନ ଖଡଗେ ଓ ମୁକୁଲ ୱାସନିକ ରାହୁଲ ଗାନ୍ଧୀଙ୍କ ତାଲିକାରେ ସବୁଠାରୁ ଆଗରେ ରହିଥିବା କୁହାଯାଉଛି। ୱାସନିକ ଓ ଖଡଗେ ହେଉଛନ୍ତି ଦଳିତ ନେତା। ୱାସନିକ ମହାରାଷ୍ଟ୍ରର ପୂର୍ବତନ ୟୁଥ କଂଗ୍ରେସ ପ୍ରମୁଖ ଓ ମନ୍ତ୍ରୀ ଥିଲେ। ଅନ୍ୟପଟ ଖଡଗେ କର୍ଣ୍ଣାଟକର ଜଣେ ବରିଷ୍ଠ ପାର୍ଟି ନେତା। କିନ୍ତୁ ଉଭୟ ନେତା ଗତ ନିର୍ବାଚନରେ ପରାସ୍ତ ହୋଇଥିଲେ। ସିଡବ୍ଲ୍ୟୁସିର ମହତ୍ତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ୟୁପିଏର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶୁକ୍ରବାର ଦିନ ପାର୍ଟିର ବରିଷ୍ଠ ନେତା ଅହମଦ ପଟେଲ, ଏକେ ଆଣ୍ଟୋନି ଓ କେସି ଭେନୁଗୋପାଳଙ୍କ ସହିତ ସାକ୍ଷାତ କରିଥିଲେ।

Comments are closed.