Sun. Aug 25th, 2019

Odisha Link

bridging the missing links in odisha

  •  
  •  
  •  
  •  
  •  
  •  
  •  

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କ ଗଳ୍ପ

ଧୂଆଁ

ଆଶୁତୋଷ ଶତପଥୀର ଜୀବନରେ ସବୁଠୁ ବଡ଼ ଅଭିଳାଷ ଥିଲା ସେ ଲେଖକ ହେବ। ସେଇ ଅନୁଯାୟୀ ସିଏ ଯତ୍ନ କରିବା ଆରମ୍ଭ କରିଦେଇଥିଲା। ଅଭିଳାଷ ପୂରଣ କରିବାକୁ ତାକୁ ଅନେକ କଷ୍ଟ କରିବାକୁ ପଡୁଥିଲା। ସେଇ କାରଣରୁ ଜୀବିକା ନିର୍ବାହ କରିବାକୁ କେତେ କଣ କରିବାକୁ ପଡୁଥିଲା।

ଲେଖକ ହେବା ଓ ସାମ୍ବାଦିକ ହେବା ଏକାକଥା ନୁହେଁ। ତେଣୁ ସିଏ ସାମ୍ବାଦିକତା କରିବାକୁ ମୋଟରୁ ଚାହୁଁନଥିଲା। ସିଏ ଚାହୁଁଥିଲା କେବଳ ଲେଖକଟିଏ ହେବ। ପେସାଦାର ଲେଖକ। କିନ୍ତୁ ପରିସ୍ଥିତି ଏପରି ହେଲା ଯେ ସେ ମନକୁ ବୁଝାଇଲା ସାମ୍ବାଦିକତା କଣ ଲେଖକର କାର୍ଯ୍ୟ ନୁହେଁ କି ? ସାମ୍ବାଦିକତା ବି ଏକପ୍ରକାର ଲେଖିବାର କାର୍ଯ୍ୟ। ତାଛଡା ସିଏ ତ କେମିତି ଲେଖାଲେଖିରେ ପରିପକ୍ବତା ଆସିବ ସେ କଥା ଶିଖିବାକୁ ଚାହୁଁଥିଲା। ତେଣୁ ସାମ୍ବାଦିକ ହେଲେ ଅସୁବିଧା କଣ? ସେ ଏୟା ଭାବିଲା।

ନୂତନ ଖବର। ଓଡ଼ିଶାର ଏକ ଲୋକପ୍ରିୟ ଖବରକାଗଜ। ଏହାର ସଂପାଦକ ବିସ୍ମୟ ମହାନ୍ତିଙ୍କୁ ସେ ଏହି କ୍ରମରେ ସାକ୍ଷାତ କରିଥିଲା। ସେ ତାର ଆଗ୍ରହ ଦେଖି ତାକୁ ସହର ସମ୍ବାଦଦାତା ଭାବେ ନିଯୁକ୍ତି ଦେଲେ। ଦରମା ଛିଡିଲା ମାସକୁ ଛଅହଜାର।
ଏତେ କମ ଦରମା ହେଲେ ମଧ୍ୟ ତାର ଦୁଃଖ ନଥିଲା। ବରଂ ଚାକିରିଟିଏ ଦେଇଥିବାରୁ ଆନନ୍ଦିତ ହୋଇଥିଲା ସେ।

‘ସାର ଆଜି ଯାଉଛି। ତିନିଦିମ ପରେ ଆସି କାର୍ଯ୍ୟରେ ଯୋଗ ଦେବି,’ଆଶୁତୋଷ ବିନୀତ ସ୍ବରରେ କହିଲା।

‘ତିନିଦିନପରେ କାହିଁକି?, ବିସ୍ମୟ ମହାନ୍ତି ଚଷମା ଟେକି ପଚାରିଲେ।

‘ମତେ ଘରକୁ ଯାଇ ମୋ ଜିନିଷପତ୍ର ଆଣିବାକୁ ହେବ’, ସେ ଉତ୍ତର ଫେରେଇଲା।

କି ଜିନିଷ ?

-ଏହି ବହିପତ୍ର ଆଉ ପୋଷାକ।

-କଣ ହେଲା ବହିପତ୍ର।ବହି ପଢିବାକୁ ତମକୁ ବେଳ କେତେବେଳେ ମିଳିବ?

-ବେଳ ମିଳିଲେ ପଢିବି। ବହି ନପଢିଲେ ମତେ ରାତିରେ ନିଦ ହୁଏନି ଆଜ୍ଞା।

-ଯଦି ଆଗରୁ ଜାଣିଥାନ୍ତି ଯେ ଖବର ଅପେକ୍ଷା ବହିପତ୍ରକୁ ତମେ ବେଶି ପସନ୍ଦ କର ତେବେ ତୁମକୁ କଦାପି ଏ ନିଯୁକ୍ତି ଦେଇନଥାନ୍ତି। ବାସ୍ତବରେ ମୋର ଜଣେ ରିପୋର୍ଟର ଦରକାର.ବହିପୋକ ନୁହେଁ।ବାବୁ ବୁଝିଲ ତ?

-ଆଜ୍ଞା ( ଆଶୁତୋଷ ସଂପାଦକଙ୍କ ହଁରେ ହଁ ମିଶେଇଲା)

-କଣ ବୁଝିଲ?

-ଆଜ୍ଞା ଘରକୁ ଯିବିନି। ଆଜିଠୁ କାମରେ ଯୋଗ ଦେଉଛି।( ଚାକିରି ହରାଇବା ଡରରେ କହିଲା)

-ଗୁଡ୍ । ଗୋଟେ କାମକର ତମ ପାଖେ ବାଇକ୍ ଅଛି ? ଆଜି ଗୁଡାଏ ପ୍ରେସମିଟ୍ ଆଉ ଫଙ୍କସନ ଭୁବନେଶ୍ବରରେ ଅଛି। ତମକୁ କିଛିଟା ଆସାଇନ କରୁଛି। ସନ୍ଧ୍ୟାରେ ରିପୋର୍ଟ ନ୍ୟୁଜଏଡିଟରଙ୍କୁ ଦେବ।

ଆଶୁତୋଷର ସାମ୍ବାଦିକତା ଏକରକମ ସେଇ ମୁହୂର୍ତରୁ ଆରମ୍ଭ ହେଇଗଲା।

କ୍ରମଶଃ ସେ ଏ ଲାଇନରେ ରହି ବହୁତକଥା ଶିଖିଲା ଓ ଅନେକ ଶିଖିଥିବାକଥା ବି ଭୁଲିଗଲା। ପ୍ରଥମତଃ ଲେଖା ଷ୍ଟାଇଲ ବଦଳେଇଦେବା। ସେ ପ୍ରଥମେ ସାହିତ୍ୟ ଲେଖୁଥିଲା କିନ୍ତୁ ସେସବୁ ଛାଡି ଶୁଷ୍କ ସମ୍ବାଦ ଲେଖିଲା। ନ୍ୟୁଜ ଏଡିଟର ତ ରିପୋର୍ଟକୁ ପଢି ଚିଡୁଥିଲେ। ସାହିତ୍ୟ ଭାଷା ଛାଡ କାଣ୍ଟଛାଣ୍ଟ କରି ଖବର ଲେଖ ବୋଲି ଛିଗୁଲାଉଥିଲେ।

ପୁରୁଣା ପିଲାଟି ଚାକିରି ଛାଡିଦେବାରୁ କ୍ରମେ ଆଶୁତୋଷକୁ କ୍ରାଇମ୍ ରିପୋର୍ଟିଂ କରିବାକୁ ହେଲା।

ଦିନକର ଘଟଣା। ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳର ଗୋଟିଏ ପଂଚତାରକା ହୋଟେଲର ୨୦୧ନଂ ରୁମରେ ଜଣେ ଲୋକର ମୃତ୍ୟୁ ହୋଇଥିଲା। ସନ୍ଦେହ କରାଯାଉଥିଲା ଏହା ସ୍ବାଭାବିକ ମୃତ୍ୟୁ ନୁହେଁ।ଏ ସଂପର୍କରେ ପ୍ରକୃତ ତଥ୍ୟ ସଂଗ୍ରହ କରିଵାକୁ ଆଶୁତୋଷକୁ ପଠାଯାଇଥିଲା।

ସେ ହୋଟେଲରେ ପହଞ୍ଚି ଦେଖିଲା ଯେ ପୋଲିସ, ସାମ୍ବାଦିକମାନେ ଏଣେତେଣେ ବୁଲୁଛନ୍ତି। ଡିସିପିଙ୍କ ସହ କଥାହେଲା କିଛି ଖାସ ତଥ୍ୟ ମିଳିଲାନି। ମୃତବ୍ୟକ୍ତିର ନାଁ ଜଣା ପଡିନଥିଲା। ଯେଉଁ ନାଁରେ ରୁମ ବୁକ ହେଇଥିଲା ତାହାଥିଲା ନକଲି। ପିସ୍ତଲ ଗୁଳିରେ ତାର ପ୍ରାଣ ଯାଇଥିଲା। ଶେଷରେ ଲୋକଟିର ମୃତଦେହ ପୋଲିସ ନେଇଗଲା।

ପୋଲିସ ଚାଲିଯିବାପରେ ସେ ହୋଟେଲ ମ୍ୟାନେଜରକୁ ଭରସି ପଚାରିଲା ଏ ବିଷୟରେ। ମ୍ୟାନେଜର କହିଲେ, ଗତ ବର୍ଷେ ହେବ ସୋମବାରିଆ ଏମିତି ଘଟଣା ଘଟୁଛି। ଏଭଳି ଘଟଣା ଲାଗିରହିଲେ ସିଏ ଚାକିରି ଛାଡି ଅନ୍ୟ ରାଜ୍ୟକୁ ପଳେଇବେ।
କିନ୍ତୁ ସୋମବାରିଆ ଏଭଳି ଘଟୁଚି କାହିଁକି, ସେ ପଚାରିଲା।

ମ୍ୟାନେଜର ସରଳ ଭାବେ ବୁଝାଇଦେଲେ, ଲୋକମାନେ ରବିବାରକୁ ବିଳାସର ଦିନ ଭାବେ ଧରିନେଇଛନ୍ତି। ସେମାନେ ଏହିଦିନ ମଦ୍ୟପାନ ଓ ମଉଜରେ କଟାଇଦିଅନ୍ତି। ସୋମବାର ସକାଳେ ନିଦ ଭାଙ୍ଗିଲାବେଳକୁ ସେଇ ଧାଁ ଦେୌଡ ଅବସ୍ଥା। ବସଙ୍କ ଗାଳି,ସ୍ତ୍ରୀର ଝଗଡା ଓ ନାନାଦି ସମସ୍ୟା କବଳିତ କରେ। ଏସବୁ କଥା ଭାବି ଭାବି ସେମାନଙ୍କୁ ହତାସ ଲାଗେ। ଏ ହତାସବୋଧରୁ କିଛି ମାନସିକ ନିୟନ୍ତ୍ରଣ ହରାନ୍ତି ଆଉ ଆତ୍ମହତ୍ୟାର ପଥ ବାଛିନିଅନ୍ତି।

ଆଶୁତୋଷ ଅଫିସକୁ ଫେରି ଆସିଲା।

ତା ମୁଣ୍ଡରେ ଏକ ଉତ୍ତେଜକ ଗପର ପ୍ଲଟ୍ ବସାବାନ୍ଧି ସାରିଥାଏ। ସେ ଚେୟାରକୁ ଭିଡି ଆଣିଲା। ପିସି ଲଗଅନ କଲା। କି ବୋର୍ଡ ଦବାଇ ସେ ପୂରା ଘଟଣାକୁ ଅତି ସୁନ୍ଦର କାହାଣୀର ରୂପ ଦେଇ ଲେଖିବାକୁ ଆରମ୍ଭ କଲା। ଲେଖୁଥାଏ ତ ଲେଖୁଥାଏ। କାଚ ଝରକା ସେ କଡେ ସୂର୍ଯ୍ୟ ଅସ୍ତ ହୋଇ ସଞ୍ଜ ଘନେଇଆସିଥାଏ। ନ୍ୟୁଜଏଡିଟର ନିଜ ଚାମ୍ବରରୁ ବାହାରି ଡେସ୍କ ଭିତରକୁ ପଶିଲେ। ଆଶୁତୋଷ ପେଟେଇ ପଡି ଲେଖୁଥାଏ। କମ୍ପ୍ୟୁଟର ସ୍କ୍ରିନରେ ତା ନ୍ୟୁଜ ରିପୋର୍ଟ ରୂପକ ଗପଟିକୁ ସେ ପଢିବାକୁ ଲାଗିଲେ।

-ବାବୁ ସୁନ୍ଦର ଗପତ ଲେଖୁଛ।ତମେ କଣ ସୁରେନ୍ଦ୍ର ମହାନ୍ତି! ଏଥିରୁ ଆମ ଅଫିସକୁ କଣ ମିଳିବ। ଇଭିନିଙ୍ଗ ଏଡିସନ ବଜାରକୁ ଛଡା ସରିଲାଣି। ଗୋଟି ମାମୁଲି ମୃତ୍ୟୁ ଘଟଣାର ରିପୋର୍ଟ ବି ଠିକଣା ସମୟରେ ଦେଇପାରିଲନି। ଗୋଟେ କାମକର କାଲିଠୁ ତମେ ଆଉ ଆସନି ।

ସେ ଆବେଗପ୍ରବଣ ହୋଇ ବୁଝେଇବାକୁ ଚେଷ୍ଟାକଲା ଏ ସଂସାର କେତେ ଦୁଃଖପୂର୍ଣ୍ଣ। ଗୋଟେ ଲୋକ କିପରି ସାରାଦିନ ମଉଜ କଲାପରେ ପୁଣି ଚରାଚରିତ ଜୀବନର ହତାସାବୋଧରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି।

ନ୍ୟୁଜ ଏଡିଟର ତା କଥା ଶୁଣି ଅଟ୍ଟହାସ୍ୟ କଲେ। ବାଃ ସୁନ୍ଦର ସଫେଇ। ଯଦି ଏ ଖବରଟା ସକାଳ ସଂସ୍କରଣରେ ନବାହାରେ ଆମ ଦିଜଣଙ୍କର ସକାଳ କେତେ ମନୋରମ ହବ ଜାଣି ପାରୁଛ ତ ?

ସେ ସଙ୍ଗେ ସଙ୍ଗେ ଥାନାକୁ ଫୋନକଲେ ଘଟଣା ସଂପର୍କିତ ତଥ୍ୟ ଜାଣିବାକୁ। ଜଣାପଡିଲା ସେ ଜଣେ ଅଣଓଡ଼ିଆ । ହେଲେ ପ୍ରକୃତ ନାଁ ଓ ଠିକଣା ଜଣାପଡିନି। ତଥ୍ୟ ମିଳିବାପରେ ସେ ଲେଖିଥିବା କାହାଣୀକୁ ଅତି ନିର୍ଦ୍ଦୟ ଭାବେ ଡିଲିଟ କରିଦେଲେ ନ୍ୟୁଜ ଏଡିଟର। ଆଶୁତୋଷ ଅବାକ ହେଇ ଚାହିଁଥାଏ।

ତାପଟିରୁ ଯନ୍ତ୍ରବତ ବାହାରିଲା, ତାହେଲେ ସାର କଣ ଲେଖାଯିବ ?

-କଣ ଲେଖିବ କହିବି ? ( ଦାନ୍ତକଡମଡ କରି ସେ କହିଲେ)

ଆଜ୍ଞା !, ବିନୟ ସ୍ବରରେ ସେ କହିଲା।

-ଲେଖ ଷ୍ଟାର ହୋଟେଲରେ ଅଣଓଡ଼ିଆ ବ୍ୟକ୍ତିଙ୍କ ମୃତ୍ୟୁ। ତାତଳକୁ ଆଠଲାଇନରେ ସୂଚନା ଦେଇ ଫଟୋଟି ଦେଇଦିଅ। ଖବରଦାର ହୋଟେଲ ନାଁ ଯେମିତି ନଲେଖ। ସେ ଆମର ନିୟମିତ ବିଜ୍ଞାପନଦାତା। ବୁଝିଲ ତ ?

ସେ ଝଡ଼ଭଳି ନ୍ୟୁଜରୁମରୁ ବାହାରିଗଲେ।

ତାଙ୍କ ଜଳନ୍ତା ସିଗାରେଟର କଡ଼ ଗନ୍ଧରେ ସାରା କୋଠରିଟା ଭରିଗଲା।