Odisha Link
Bridging the Missing Links in Odisha

ଆସନ୍ତାକାଲି ସ୍ୱାଧୀନତା ଦିବସ: ପ୍ରଦର୍ଶନୀ ପଡିଆରେ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ବର : ଏଥର ସ୍ବାଧୀନତା ଦିବସ ପାଳନ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ତେବେ ଚଳିତ ବର୍ଷ ମାର୍ଚ୍ଚ ପାଷ୍ଟ କରାଯିବ ନାହିଁ। ଚଳିତ ବର୍ଷ ସ୍ବାଧୀନତା ଦିବସରେ ରାଷ୍ଟ୍ରୀୟ ସାଲ୍ୟୁଟ୍ ପ୍ରଦାନ କରାଯିବ। ଏଥର ରାଜ୍ୟସ୍ତରୀୟ ପରେଡରେ ଭାଗନେବେ ମୋଟ ୪ଟି ଗ୍ରୁପ୍। ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୁଲିସ, ସେଣ୍ଟ୍ରାଲ ଆର୍ମଡ ପୋଲିସ, ଓଡ଼ିଶା ସ୍ପେଶାଲ ଆର୍ମଡ ପୁଲିସ ଭାଗନେଇ ରାଷ୍ଟ୍ରୀୟ ସାଲ୍ୟୁଟ୍ ପ୍ରଦାନ କରିବେ। ସେହିପରି ବିଭିନ୍ନ ସ୍କୁଲର ସ୍କାଉଟ୍, ଗାଇଡ୍, ଏନସିସିର ତିନୋଟି ୱିଙ୍ଗ, ସେଣ୍ଟଜନ୍ସ ଆମ୍ବୁଲାନ୍ସ ସମେତ ୩୧ଟି ଟ୍ରୁପ୍ ଉପସ୍ଥିତ ରହିବେ। ତେବେ ଏହି ୩୧ଟି ଟ୍ରୁପ ନିଜ ସ୍ଥାନରେ ରହି ଅଭିବାଦନ ଜଣାଇବେ। ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଗତକାଲିଠୁ ପ୍ରସ୍ତୁତି ଶେଷ ହୋଇଛି। ପ୍ରଦର୍ଶନୀ ପଡ଼ିଆରେ ପୁଲିସ ଡିଜି ବିଜୟ କୁମାର ଶର୍ମା, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଅତିରିକ୍ତ ପୁଲିସ କମିସନର ସଂଜୟ ସିଂ, ଡିସିପି ଅନୁପ ସାହୁଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଓ ପୁଲିସ ଅଫିସର ଉପସ୍ଥିତ ରହି ସୁରକ୍ଷା ସମେତ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଥିଲେ।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ତେଣୁ ରାଜଧାନୀରେ ହାଇଆଲର୍ଟ ଜାରି ରହିଥିବା ବେଳେ ପରେଡସ୍ଥଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତକାଲିଠାରୁ ପ୍ରଦର୍ଶନୀ ପଡ଼ିଆ ପୁଲିସ କବଜାକୁ ଚାଲି ଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ସ୍ବତନ୍ତ୍ର ଓ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ୮୦ ଅଫିସର ଦାୟିତ୍ବରେ ରହିବେ। ସେହିପରି ଦୁଇ ୟୁନିଟ୍ ଏସଓଜି, କ୍ୟୁଆରଟି, ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ, ଆଇଟିବିପି, ଷ୍ଟ୍ରାଇକିଂ ଫୋର୍ସ, ଓଡ୍ରାଫ୍, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

୧୦୦ରୁ ଅଧିକ ଏସ୍ଆଇ, ଏଏସଆଇ ଏବ˚ ଇନ୍ସପେକ୍ଟରଙ୍କ ସହ ୧୯ ଜଣ ଡିଏସପି, ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ରହିବେ। ଉତ୍ସବସ୍ଥଳକୁ ଲାଗି କରିଥିବା ଉଚ୍ଚ ଅଟ୍ଟାଳିକାରେ ମଧ୍ୟ ସଶସ୍ତ୍ର ପୁଲିସ ମୁତୟନ ହେବେ। ସେମାନେ ପରେଡସ୍ଥଳ ଉପରେ ତୀକ୍ଷ୍ଣ ନଜର ରଖିବେ। ସେହିପରି ଜନଗହଳି ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ପୁଲିସ ଟିମକୁ ଦାୟିତ୍ବ ଦିଆଯାଇଛି ସେମାନେ ଜନଗହଳି ଉପରେ ନଜର ରଖିବେ। ଖାଲି ସେତିକି ନୁହେଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଧ୍ୟ କଡ଼ାକଡ଼ି କରାଯାଇଛି। ଉତ୍ସବସ୍ଥଳରେ ପାଖାପାଖି ୬୦ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ସିସିଟିଭିଗୁଡ଼ିକ ନଜରରେ ସାରା ଅଞ୍ଚଳ ରହିଛି। ଏଥିପାଇଁ ଏକ ଟିମ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ କଣ୍ଟ୍ରୋଲ୍ ରୁମ୍ରୁ ବସି ସିସିଟିଭିର ସମସ୍ତ ଦୃଶ୍ୟ ଉପରେ କଡ଼ା ନଜର ରଖିବେ। ଯଦି କୌଣିସ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ।

Comments are closed.