Odisha Link
Bridging the Missing Links in Odisha

ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ ପବିତ୍ର ପର୍ବର ପୃଷ୍ଠଭୂମି

ଭୁବନେଶ୍ବର: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀଙ୍କ ପାଇଁ ଏହି ଦିନ ବହୁତ ଗୁରୁତ୍ବ ଅଟେ। ସାରା ଭାରତରେ ରକ୍ଷା ବନ୍ଧନକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି। ଏଥର ରାକ୍ଷୀ ପୂର୍ଣ୍ଣିମା ଅନ୍ୟ ରାକ୍ଷୀ ପୂର୍ଣ୍ଣୀମା ତୁଳାନରେ ଅଧିକ ଚର୍ଚ୍ଚାରେ। କାରଣ ସ୍ବାଧୀନତା ଦିବସ ଏବଂ ରକ୍ଷା ବନ୍ଧନ ଏକା ଦିନରେ ପଡ଼ିଥିବାରୁ ସମସ୍ତ ଭାରତୀୟଙ୍କ ପାଇଁ ଏଥର ରାକ୍ଷୀ ଟିକେ ସ୍ପେଶାଲ। ତେବେ ରାକ୍ଷୀ ପୂର୍ଣ୍ଣିମାକୁ ନେଇ କଣ ରହିଛି ତଥ୍ୟ ଆସନ୍ତୁ ଜାଣିବା।

ପୌରାଣିକ ଅନୁସାରେ ରାକ୍ଷୀ ପୂର୍ଣ୍ଣିମା:
ପୁରାଣ ଓ ଇତିହାସରେ ରହିଛି ରାକ୍ଷୀ ପୂର୍ଣ୍ଣିମାର ଅନେକ ଘଟଣା। ପୁରାଣରେ ଅସୁର ରାଜା ବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରାକ୍ଷୀ ପୂର୍ଣ୍ଣିମା ଭଉଣୀର ସମ୍ମାନ ରକ୍ଷା କରିଆସିଛି। ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୌଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ। ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗ କରି ବଳିର ରାଜ ପ୍ରାସାଦରେ ଅବସ୍ଥାନ କଲେ। ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ। ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ। ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ। ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାଖୀ ବାନ୍ଧି ଦେଇଥିଲେ। ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା। ଲକ୍ଷ୍ମୀ କ’ଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ।
ମହାଭାରତରେ ରାକ୍ଷୀ ପୂର୍ଣ୍ଣିମା:
ମହାଭାରତରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ପୌରାଣିକ କାହାଣୀ ରହିଛି। କାହାଣୀ ଟି ହେଲା କୃଷ୍ଣ ଓ ଦ୍ରୌପଦୀଙ୍କର। ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା। ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା। ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ। ଏଥିଯୋଗୁଁ ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନ କରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ।

ଇତିହାସରେ ରାକ୍ଷୀ ପୂର୍ଣ୍ଣିମା:
ଇତିହାସରେ ମଧ୍ୟ ରହିଛି ରକ୍ଷାବନ୍ଧନ। ଯଦିଓ ଏହି ଘଟଣା ପଛରେ ରହିଛି ରାଜନୈତିକ ଅଭିସନ୍ଧି ତଥାପି ରାଖୀ ବାନ୍ଧିଥିବା ଭଉଣୀର ସମ୍ମାନ ରକ୍ଷା ପାଇଁ ଭାଇ ପଛଘୁଞ୍ଚା ଦେଇନାହିଁ । ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର। ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହେଇଥିଲେ। ପ୍ରଥମ ଥର ପୁରୁଙ୍କ ଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ, ସେତେ ବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ରୁକ୍ସାନା, ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ।

Comments are closed.