Odisha Link
Bridging the Missing Links in Odisha

ସେପ୍ଟେମ୍ବର ୧୨ରେ ଜାଗ୍ରତ ଖଣ୍ଡପଡ଼ା ଦିବସ, ପ୍ରସ୍ତୁତି ଜୋରଦାର୍

ନୟାଗଡ଼: ପ୍ରତିବର୍ଷ ଭଳି ଚଳିତ ବର୍ଷ ସେପ୍ଟେମ୍ବର ୧୨ ତାରିଖରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବ୍ୟାପୀ ‘ଜାଗ୍ରତ ଖଣ୍ଡପଡ଼ା ଦିବସ’ ପାଳନ ପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି। ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ଲୋକପ୍ରିୟ ଜନନେତା ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ ପୂଣ୍ୟତିଥିରେ ଏହି ଗଣଉତ୍ସବ ପ୍ରତିବର୍ଷ ‘ଅରୁଣ ପଟ୍ଟନାୟକ ସ୍ମୃତି ପରିଷଦ’ ପକ୍ଷରୁ ଆୟୋଜିତ ହୋଇଥାଏ।

ଏଥିପାଇଁ ନିର୍ବାଚନ ମଣ୍ଡଳୀର ଉଭୟ ବ୍ଲକରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ସେପ୍ଟେମ୍ବର ୧୨ ତାରିଖ ସକାଳୁ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିରେ ଏକ ମିନି ମାରାତନ୍‌ ଆୟୋଜିତ ହେବ ବୋଲି ସ୍ମୃତି ପରିଷଦର ଅଧ୍ୟକ୍ଷ ବିନାୟକ ମିଶ୍ର ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ୧୨ ତାରିଖରେ ଖଣ୍ଡପଡ଼ା ସ୍ଥିତ ମଧୁବନ ପଡ଼ିଆରେ ଦିବସବ୍ୟାପୀ ସ୍ମୃତିସଭା କାର୍ଯ୍ୟକ୍ରମ ଆୟୋଜିତ ହେବ।

ବିଂଶ ଶତାବ୍ଦୀର ଶେଷ ଆଡ଼କୁ ଯେଉଁ କେତେଜଣ ଯୁବନେତା ଓଡ଼ିଶା ରାଜନୀତିରେ ବିକାଶର ଅଗ୍ରଦୂତ ଭାବେ ଉଭା ହୋଇଥିଲେ ସେମାନଙ୍କ ମଧ୍ୟରେ ସ୍ୱର୍ଗତ ଅରୁଣ ପଟ୍ଟନାୟକ ଥିଲେ ଅନ୍ୟତମ। ଛାତ୍ରଜୀବନରୁ ନିଜ ମାଟିମା’ ପ୍ରଗତିର ସଂକଳ୍ପ ନେଇଥିବା ଏହି ସ୍ୱାଭିମାନୀ ଯୁବକ ଜଣକ ପରବର୍ତ୍ତୀ କାଳରେ ପାଲଟିଥିଲେ ଆଧୁନିକ ଖଣ୍ଡପଡ଼ାର ଦାମ୍ଭିକ ବିଶ୍ୱକର୍ମା। ୭୦ ଦଶକ ପ୍ରାରମ୍ଭରେ ରେଭେନ୍ସା କଲେଜର ସଭାପତି ପଦମଣ୍ଡନ କରିଥିବା ଅରୁଣ ବାବୁ ପରେ ପରେ ପାଲଟିଥିଲେ ଓଡ଼ିଶା ଛାତ୍ର କଂଗ୍ରେସର ପ୍ରଥମ ସଭାପତି।

ଜଣେ ଉଚ୍ଚାଭିଳାଷୀ ଓ ଉତ୍ତୁଙ୍ଗ ମାତୃଭୂମୀପ୍ରେମୀ ରାଜନେତା ଭାବେ ଖଣ୍ଡପଡ଼ାରୁ ଦିଲ୍ଲୀ ଯାଏଁ ପରିଚୟ ସୃଷ୍ଟି କରିଥିବା ଅରୁଣ ବାବୁ ୧୯୯୦ ମସିହାରେ ନିର୍ବାଚନ ମଣ୍ଡଳୀବାସୀଙ୍କ ବିପୁଳ ଜନସମର୍ଥନରେ ପ୍ରଥମଥର ପାଇଁ ଖଣ୍ଡପଡ଼ାର ବିଧାୟକ ହୁଅନ୍ତି। ଦୀର୍ଘବର୍ଷ ଧରି ଅବହେଳିତ ଓ ରାଜ୍ୟ ମାନଚିତ୍ରରେ ପ୍ରାୟ ନିଶ୍ଚିହ୍ନ ଖଣ୍ଡପଡ଼ାର ପୁରୁଣା ଗୌରବ, ସାଂସ୍କୃତିକ-ଆର୍ଥନୀତିକ ଇତିହାସକୁ ନୂଆଜୀବନ ଦିଅନ୍ତି ଅରୁଣ ବାବୁ। ସେ ଖଣ୍ଡପଡ଼ାରେ ଶିକ୍ଷା, ଗମନାଗମନ, ରୋଜଗାର, ସ୍ୱାସ୍ଥ୍ୟ ଉନ୍ନତୀକରଣ ସାଙ୍ଗକୁ ଜନସାଧାରଣଙ୍କ ହକ୍ ହାସଲ ପାଇଁ ବିଧାନସଭାରେ ସ୍ୱର ଉତ୍ତୋଳନ କରନ୍ତି।

ମାତ୍ର ୫ ବର୍ଷ ଭିତରେ ଖଣ୍ଡପଡ଼ା ବିକାଶରେ ତାଙ୍କର ସହଭାଗିତା ଓ ସଂକଳ୍ପ ନିର୍ବାଚନ ମଣ୍ଡଳୀବାସୀଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିଛି। ବିଧିର ବିଧାନ ଥିଲା କିଛି ଅନ୍ୟପ୍ରକାର। ନିଜ ସ୍ୱପ୍ନର ବିକଶିତ ଖଣ୍ଡପଡ଼ା ପୂର୍ଣ୍ଣାଙ୍ଗ ରୂପ ପାଇବା ପୂର୍ବରୁ ଅସମୟରେ ଆରପାରିକୁ ଚାଲିଗଲେ ଏହି ଜନନାୟକ। ସ୍ୱର୍ଗତ ପଟ୍ଟନାୟକଙ୍କ ପତ୍ନୀ ସ୍ୱାମୀଙ୍କ ସଂକଳ୍ପ ଚରିତାର୍ଥ କରିବା ପାଇଁ ୨୦୦୦ମସିହାରେ ପ୍ରଥମ ଥର ପାଇଁ ଘରୁ ଗୋଡ଼ କାଢ଼ିଲେ ଏବଂ ୨୦୦୦ ଓ ୨୦୦୪ ମସିହାରେ ବିଧାୟିକା ଭାବେ ଖଣ୍ଡପଡ଼ାକୁ ପ୍ରତିନିଧିତ୍ୱ କଲେ।

ପରେ ପିତାଙ୍କ ଆଦର୍ଶରେ ଅନୁପ୍ରାଣୀତ ପୁତ୍ର ଅନୁଭବ ପଟ୍ଟନାୟକ ସୁଦୂର ବାଙ୍ଗାଲୋରରୁ ଉଚ୍ଚ ଦରମାଯୁକ୍ତ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଲେ ଓ ୨୦୧୪ରୁ ୨୦୧୯ ଯାଏଁ ଖଣ୍ଡପଡ଼ାର ବିଧାୟକ ହେଲେ।

ଅରୁଣ ବାବୁଙ୍କର ତ୍ୟାଗ ଓ ସେବାକୁ ମନେ ପକାଇ ତାଙ୍କର ପୂଣ୍ୟତିଥିକୁ ଖଣ୍ଡପଡ଼ାବାସୀ ‘ଜାଗ୍ରତ ଖଣ୍ଡପଡ଼ା ଦିବସ’ ଭାବେ ପାଳନ କରୁଛନ୍ତି। ଏ ଦିବସ କେବଳ ସ୍ମୃତିଚାରଣରେ ସୀମିତ ନୁହେଁ, ବରଂ ଅରୁଣ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ତାଙ୍କ ସ୍ୱପ୍ନର ଖଣ୍ଡପଡ଼ା ଗଠନ ପାଇଁ ସଂକଳ୍ପ ଓ ସାଧନାର ଏକ ସୁନେଲି ଅବସର ବୋଲି ସ୍ମୃତି ପରିଷଦ ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

Comments are closed.