Odisha Link
Bridging the Missing Links in Odisha

ଆଜି ନୀତି ଆୟୋଗ ବୈଠକ, ଓଡ଼ିଶାରୁ ଗଲେ ଅରୁଣ

ଭୁବନେଶ୍ବର: ଆଜି ମୁମ୍ବାଇରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ଏହି ବୈଠକରେ ଯୋଗ ଦେଇପାରିବେନି। ତାଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଏଥିରେ ଯୋଗ ଦେବେ। ବୈଠକରେ ଯୋଗ ଦେବା ପାଇଁ ମନ୍ତ୍ରୀ ଅରୁଣ ସାହୁ ଆଜି ସକାଳୁ ମୁମ୍ବାଇ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିରେ ନୀତି ଆୟୋଗର ପୁନର୍ଗଠନ ପରେ ଏହା ହେଉଛି ଦ୍ବିତୀୟ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକ। ୧୦ ଜଣ ସଦସ୍ୟ ବିଶିଷ୍ଟ ନୀତି ଆୟୋଗ କମିଟିରେ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସଦସ୍ୟ ଅଛନ୍ତି। ସେଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟତମ ସଦସ୍ୟ ରହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଦନାଭିସଙ୍କ ନେତୃତ୍ବରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ କୃଷି କ୍ଷେତ୍ରରେ ସାମଗ୍ରୀକ ସଂସ୍କାର ଆଣିବା ସହ ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ୭ଟି ଏଜେଣ୍ଡା ଉପରେ ଆଲୋଚନା କରାଯିବ।

ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କୁ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତାଭ୍ କାନ୍ତ ଗତ ୭ ତାରିଖରେ ଚିଠି ଲେଖିଥିଲେ। ଚିଠି ଅନୁଯାୟୀ, ଅଗଷ୍ଟ ୧୬ ତାରଖ (ଆଜି) ମୁମ୍ବାଇର ମାଲାବାର ହିଲ୍ ସ୍ଥିତ ଶୟିୟଦ୍ରୀ ଗେଷ୍ଟ ହାଉସରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଦେଶରେ ଚାଷୀମାନଙ୍କ ଆୟ ବୃଦ୍ଧି ଓ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। କୃଷି ଉତ୍ପାଦନ ବୃଦ୍ଧି ଓ ପଶୁସମ୍ପଦର ବିକାଶ ଏବଂ ବିପଣନ ପାଇଁ ଏପି.ଏଲ.ଏମ୍ ଆଇନ-୨୦୧୭ର କାର୍ଯ୍ୟକାରିତା ନେଇ ଆଲୋଚନା କରାଯିବ। ସେହିପରି ୨୦୧୮ରେ ପ୍ରଣୟନ କରାଯାଇଥିବା ଠିକାଭିତ୍ତିକ କୃଷି ଓ ଆନୁସଙ୍ଗିକ ସେବା କ୍ଷେତ୍ରରେ ରାଜ୍ୟମାନେ କେତେ ସଫଳତା ପାଇଛନ୍ତି ତାର ମଧ୍ୟ ସମୀକ୍ଷା କରାଯିବ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯିବ।

ଏହାସହିତ ଉନ୍ନତ କୃଷି ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ କରିବା ସହ କୃଷି ଉତ୍ପାଦନର ବଜାର ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଘରୋଇ ପୁଞ୍ଜିନିବେଶ ଉପରେ ରାଜ୍ୟମାନଙ୍କ ମତାମତ ନିଆଯିବ। କୃଷି ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ଯୋଜନା, ଯେପରିକି ଇ-ନାମ୍ ଓ ଗ୍ରାମ୍ ପରି ଯୋଜନାଗୁଡ଼ିକରେ ଆଉ କଣ ସଂସ୍କାର ଅଣାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯିବ। ଏହାସହିତ ଆନୁସଙ୍ଗିକ ଭାବେ କୃଷି ଉତ୍ପାଦନର ରପ୍ତାନୀ, ଖାଦ୍ୟ ପ୍ରକ୍ରିୟାକରଣ, ଭଣ୍ଡାରଘର, ବଜାର ଭିତ୍ତିଭୂମି ନେଇ ବୈଠକରେ ବ୍ୟାପନ ଆଲୋଚନା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଆସନ୍ତା ୨ ମାସ ଭିତରେ ନୀତି ଆୟୋଗ ଭାରତ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଚିଠିରେ ନୀତି ଆୟୋଗ ସଦସ୍ୟ ଜଣାଇଥିଲେ।

Comments are closed.