Odisha Link
Bridging the Missing Links in Odisha

ରାଜ୍ୟରେ ବଡ ବନ୍ୟା ନାହିଁ : ଜଳସମ୍ପଦ ସଚିବ

ଭୁବନେଶ୍ୱର : ଟଳିଛି ବନ୍ୟା ବିପଦ। ରାଜ୍ୟରେ କିଭଳି ରହିଛି ବନ୍ୟା ସ୍ଥିତି ତାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା। ରାଜ୍ୟରେ ବଡ଼ ବନ୍ୟା ସମ୍ଭାବନା ନଥିବାର ସଚିବ କହିଛନ୍ତି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ଡ୍ୟାମର ୧୦ଟି ଗେଟକୁ ବନ୍ଦ କରାଯାଇଛି। ଆବଶ୍ୟକ ପଡିଲେ ଆହୁରି ଗେଟ ବନ୍ଦ କରାଯିବ ବୋଲି ସଚିବ କହିଛନ୍ତି।
ତେବେ ହୀରାକୁଦ ଡ୍ୟାମ କର୍ତୃପକ୍ଷଙ୍କ କହିବା ମୁତାବକ ଉପରମୁଣ୍ଡରୁ ଜଳଭଣ୍ଡାରକୁ ପାଣି ପ୍ରବାହିତ କମିବା ପରେ ଗେଟ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି। ମୁଣ୍ଡଳୀରେ ସାଢେ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ଜଳସ୍ତର କମିବା ସହ ସ୍ଥିତି ସୁଧୁରିବାରେ ଲାଗିଛି। ସନ୍ଧ୍ୟା ସୁଦ୍ଧା ବନ୍ୟା ସ୍ଥିତିରେ ସୁଧାର ଆସିବା ସହ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ପରିମାଣ କମିଥିବାରୁ ବନ୍ୟା ସ୍ଥିତି ନାହିଁ ବୋଲି ସଚିବ କହିଛନ୍ତି। ସେହିପରି ଡେପୁଟି ଏସାରସି କହିଛନ୍ତି ଯେ ୧୧ଟି ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ। ତେବେ କେନ୍ଦ୍ରାପଡା ଓ ପୁରୀର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଅନୁଗୁଳ ଟିକରପଡ଼ାର ୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ କେନ୍ଦ୍ରାପଡାରେ ୧୮ ଓ ପୁରୀରେ ୮୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେହିପରି ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ସ୍ଥିତିରେ ସୁଧାର ଆସିଛି।

Comments are closed.