Odisha Link
Bridging the Missing Links in Odisha

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ: ଅଧ୍ୟକ୍ଷ ଦୌଡ଼ରେ ଅଛନ୍ତି ଏହିସବୁ ନେତା

ଭୁବନେଶ୍ବର: ପାଟକୁରା ନିର୍ବାଚନ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଏ ହେବ ସେ ନେଇ ଚର୍ଚ୍ଚା ଯୋର ଧରିଛି। ଅଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କ ତାଲିକା ଲମ୍ବା। ହେଲେ ବହୁ ଆଶାୟୀଙ୍କ ମଧ୍ୟରୁ କିଏ ହେବ ଅଧ୍ୟକ୍ଷ ସେ ନିଷ୍ପତ୍ତି କେବଳ ବିଜେଡ଼ି ସୁପ୍ରିମୋ ନବୀନଙ୍କ ହାତରେ। ଆଗକୁ ବିଜେପୁର ଉପ-ନିର୍ବାଚନ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଚୟନ କରିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଅଧ୍ୟକ୍ଷ ପଦ ପାଇଁ ଆଶାୟୀ:
ଆଗକୁ ବିଜେପୁର ନିର୍ବାଚନ। ତା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଦଳକୁ ଅଧିକ ସୁଦୃଢ କରିବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ଘୋଷଣା କରିପାରନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ନାମ। ଏହି ପଦ ପାଇଁ ଦଳ ସହ ଜଡ଼ିତ ବହୁ ବ୍ୟକ୍ତି ଆଶା ବାନ୍ଧିଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦକୁ ନେଇ ପ୍ରଭାସ ସିଂ, ସୁବାସ ଚୌହାନ, ଅନୁପ କୁମାର ସାଏ, ନଳୀନ ପ୍ରଧାନ, ବିମ୍ବାଧର କୁଅଁର, ଯୋଗେଶ ସିଂ, ଯୋଗେନ୍ଦ୍ର ବେହେରା ପ୍ରମୁଖଙ୍କ ନାମ ଚର୍ଚ୍ଚାକୁ ଆସିଛି। ଅପରପକ୍ଷେ ଅଧ୍ୟକ୍ଷ ପାଇଁ ଦୌଡ଼ର ଆଗରେ ଅଛନ୍ତି ୩ ବରିଷ୍ଠ ନେତା। ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ, ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହସେଓ ଏବଂ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ମଧ୍ୟରୁ ଜଣକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ନବୀନ ଦେଇପାରନ୍ତି ବୋଲି ଚର୍ଚ୍ଚା ଜେର ଧରିଛି।

ମହିଳା କାର୍ଡ଼:
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କୁ ବହୁତ ଗୁରୁତ୍ବ ଦେଉଥିବାରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପଦ ପାଇଁ ମହିଳା କାର୍ଡ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏମିତି ହେଲେ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଆଗରେ ଅଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଭାବେ ରାସେଶ୍ବରୀ ପାଣିଗ୍ରାହୀଙ୍କର ପଶ୍ଚିମ ଓଡ଼ିଶାରେ ରହିଛି ବିଶେଷ ଖ୍ୟାତି। ଭଲ ଡାକ୍ତର ଭାବେ ସମ୍ବଲପୁର ତଥା ଆଖପାଖ ଜିଲ୍ଲାରେ ରାସେଶ୍ବରୀ ଜଣାଶୁଣା। ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ପୂର୍ବରୁ ବୁର୍ଲା, ଏସ୍‌ସିବି ଏବଂ ପରେ ଭିମସାର ସହ କାର୍ଯ୍ୟ କରିଛନ୍ତି। ବିଭିନ୍ନ ପଦ ପଦବିରେ ରହି ସେ ଦକ୍ଷତାର ସହ ନିଜ କାର୍ଯ୍ୟ ତୁଲାଇଛନ୍ତି। ସାମାଜିକ ଜୀବନରେ ମଧ୍ୟ ରାସେଶ୍ବରୀ ଖୁବ୍‌ ସକ୍ରିୟ। ବିଭିନ୍ନ ସାମାଜିକ ଏବଂ ସାଂସ୍କୃତି ଅନୁଷ୍ଟାନ ସହ ସେ ଜଡ଼ିତ। ସ୍ବାଧୀନତା ସଂଗ୍ରାମୀ ତଥା ଏକ ରାଜନୈତିକ ପରିବାରର ଦାୟାଦ ହେଉଛନ୍ତି ରାସେଶ୍ବରୀ। ୨୦୧୪ ନିର୍ବାଚନରେ ରାସେଶ୍ବରୀଙ୍କୁ ବିଜେଡି ଟିକେଟ୍‌ ଦେଇ ସମ୍ବଲପୁରରେ ବିଜେପିକୁ ମାତ୍‌ ଦେବାରେ ସଫଳ ହୋଇଥିଲେ ନବୀନ। ଏବେ ମଧ୍ୟ ସମ୍ବଲପୁରରେ ପୂର୍ବଭଳି ସ୍ଥିତି। ତେବେ କେବଳ ବିଧାୟକ ନୁହେଁ ସମ୍ବଲପୁର ସାଂସଦ ପଦ ମଧ୍ୟ ବିଜେପି ଖାତାରେ। ତେଣୁ ସମ୍ବଲପୁରରେ ବିଜେପିର ସଫଳତାରେ ବାଧା ଦେବା ପାଇଁ ବିଜେଡ଼ି ସଂଗଠନକୁ ମଜବୁତ୍‌ କରିବା ନିମନ୍ତେ ରାସେଶ୍ବରୀଙ୍କୁ ଅଧ୍ୟକ୍ଷପଦ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ସଂସଦକୁ ୩୩ ପ୍ରତିଶତ ମଳିହାଙ୍କୁ ପଠାଇବା ପାଇଁ ରାଜନୈତିକ ଦଳମାନଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ। ଗତ ସାଧାରଣ ନିର୍ବଚନରେ ନିଜ ଦଳର ୩୩ ପ୍ରତିଶତ ମହିଳାଙ୍କୁ ସେ ଟିକେଟ୍‌ ମଧ୍ୟ ଦେଇଥିଲେ। ତେଣୁ ନବୀନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଗୁରୁତ୍ବପୁର୍ଣ୍ଣ ଦାୟିତ୍ବ ଜଣେ ମହିଳାଙ୍କ ଉପରେ ନ୍ୟସ୍ତ କରି ପାରିନ୍ତି।

ଯୁବ ନେତାଙ୍କୁ ସୁଯୋଗ:
ବଲାଙ୍ଗୀର ପୁର୍ବତନ ସାଂସଦ ତଥା ରାଜ ପରିବାରର ଦାୟଦ କଳିକେଶ ନାରାୟଣ ସିଂଦେଓଙ୍କ ନାମ ମଧ୍ୟ ଆଗରେ ରହିଛି। ବିଜେଡିରେ ଥିବା ସକ୍ରିୟ ଯୁବନେତାଙ୍କ ମଧ୍ୟରୁ କଳିକେଶ ଅନ୍ୟତମ। ବଲାଙ୍ଗୀର ଜିଲ୍ଲା ବିଜେଡି ସଂଗଠନରେ ସବୁବେଳେ ଗୁରୁ ଦାୟିତ୍ବ ନେଇ ଆସିଛନ୍ତି ଅନଙ୍ଗ ଉଦୟ ସିଂଦେଓଙ୍କ ପରିବାର। ଏଥର ଅନଙ୍ଗ ଉଦୟଙ୍କ ଦୁଇପୁଅ ନିର୍ବାଚନରେ ପରାଜିତ ହେଲା ପରେ ଏବେ ତାଙ୍କ ପରିବାର ହାତରେ କୌଣସି ପଦ ପଦବି ନାହିଁ। ତେଣୁ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଅନଙ୍ଗ ଉଦୟଙ୍କ ପରିବାର ସଦସ୍ୟଙ୍କୁଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଚଳିତ ଥର ସାଧାରଣ ନିର୍ବାଚନରେ ବଲାଙ୍ଗୀର ବିଧାନସଭାରେ କଂଗ୍ରେସ ଦଳ ବିଜୟୀ ହୋଇଥିବା ବେଳେ ବଲାଙ୍ଗୀର ସଂସଦରେ ବିଜେପି ମାରିଛି ବାଜି। ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ ପୂର୍ବଭଳି ଆଉ ବଲାଙ୍ଗୀରରେ ବିଜେଡ଼ିର ଦବଦବା ଦେଖିବାକୁ ମଳିୁନାହିଁ। ବଲାଙ୍ଗୀରି ବିଜେଡିକୁ ମଜବୁତ୍‌ କରିବା ଉଦ୍ଦେଶ୍ୟରେ ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେସ ନାରାୟଣ ସିଂଦେଓଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ମିଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ଅପରପକ୍ଷେ ନବୀନ ଏବଂ ଅନଙ୍ଗ ଉଦୟ ସିଂହଦେଓ ମଧ୍ୟରେ ରହିଛି ଉତ୍ତମ ସଂପର୍କ।

ଅଭିଜ୍ଞ ନେତାଙ୍କୁ ମିଳିପାରେ ଦାୟିତ୍ବ:
ଧର୍ମଗଡ଼ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ କଳାହାଣ୍ଡି ସାଂସଦ ପ୍ରାର୍ଥୀ ହୋଇ ନିର୍ବାଚନ ହାରି ଯାଇଛନ୍ତି ସତ, କିନ୍ତୁ ବିଜେଡ଼ି ସୁପ୍ରିମୋଙ୍କ ଶୁଭଦୃଷ୍ଟିରେ ପୁଷ୍ପେନ୍ଦ୍ରଙ୍କ ନାଁ ରହିଥିବା ଚର୍ଚ୍ଚା ହୁଏ। ସାଂସଦ ଭାବେ ପ୍ରତିଯୋଗିତା କରିବାକୁ ଅନିଛୁକ ଥିବା ପୁଷ୍ପେନ୍ଦ୍ର ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରାର୍ଥୀ ହୋଇଥିଲେ। ତେଣୁ ସେ ଦଳର ମୁଖିଆଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି। ଏବେ କଳାହାଣ୍ଡିରେ ବିଜେପିର ପଲ୍ଲା ଭାରି ରହିଛି।ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା କଳାହାଣ୍ଡି ସାଂସଦ, ଭବାନୀପାଟାଣା ବିଧାୟକ ପ୍ରଦୀପ୍ତ ନାୟକ ହେଉଛନ୍ତି ବିରୋଧି ଦଳ ନେତା। ତେଣୁ ସୁସଂଗଠକ ଭାବେ ପରିଚିତ ପୁଷ୍ପେନ୍ଦ୍ରଙ୍କୁ ନିଶ୍ଚୟ ଏକ ଗୁରୁତ୍ବ ପୁର୍ଣ୍ଣ ପଦବି ଦେଇ କଳାହାଣ୍ଡି ଜିଲ୍ଲାରେ ପୁଣି ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ଚିନ୍ତା କରୁଥିବେ ବିଜେଡି ସଭାପତି। ପୁଷ୍ପେନ୍ଦ୍ର ଜଣେ ଯୁବ ନେତା ହେଲେ ମଧ୍ୟ ରାଜନୀତିରେ ଅଭିଜ୍ଞ। ବୟସାଧିକ୍ୟ ନେତାଙ୍କୁ ସଂଗଠନ ଦାୟିତ୍ବ ଦେଲେ ବିଭିନ୍ନ ଅଞ୍ଚଳ ଗସ୍ତରେ ସମସ୍ୟା ଦେଖାଦିଏ।

Comments are closed.