Odisha Link
Bridging the Missing Links in Odisha

ମୁଁ ଜଣେ ଭାଷା ଜାରଜ!

ମୁଣ୍ଡ ମସଲା-୪ | ଡଃ କୁଳାଙ୍ଗାର

ମୁଁ ଜଣେ ଭାଷା ଜାରଜ!


ମୁଁ ମାତୃଭାଷା ବ୍ୟତୀତ ଅନ୍ୟ କିଛି ଭାଷା ମଧ୍ୟ ଜାଣେ। ସେଗୁଡିକର ବ୍ୟବହାର ମଧ୍ୟ କରେ! ଯେହେତୁ ସେଗୁଡିକ ମୋର କାମରେ ଲାଗନ୍ତି, ମାତୃଭାଷା ସମେତ ସେ ସବୁ ଭାଷା ପ୍ରତି ମଧ୍ୟ ମୋର ସମ୍ମାନ ମଧ୍ୟ ଅଛି! ବିଜ୍ଞ ଲୋକଙ୍କ ମତରେ ମାତୃଭାଷା ଆମ ଜନନୀ! ତେବେ କଣ ଅନ୍ୟ ସବୁ ଭାଷା ଗୁଡିକ ଆମ ଭାଷା ଜନନୀର ଶତ୍ରୁ ନା ସଉତୁଣୀ?

ପୁଣି ମୋ ନିଜ ମାଆର ଭାଷା ଗୋଟେ, ପାଳିତା ମାଆର ଭାଷା ଗୋଟେ, ମୋ ପିଲାଙ୍କ ମାଆର ଭାଷା ଗୋଟେ, ଆଉ ପିଲାଙ୍କ ମାଆର ମାଆଙ୍କର ଭାଷା ଆଉ ଗୋଟେ! ସେମିତି ହେଲେ ମୁଁ କୋଉ ଜନନୀର ହେବି? ମୋ ପରି ଲୋକଙ୍କୁ ଭାଷା ଜାରଜ କହିଲେ ଠିକ୍ ହେବ ବୋଧହୁଏ!

ଏହା ଛଡ଼ା ଓଡ଼ିଆ ଜାତୀୟତା, ଜଗନ୍ନାଥିଆ ସଂସ୍କୃତି, ଉଡ୍ରଭାଷା, କଳିଙ୍ଗାଃ ସାହାସୀକାଃ ପରି ନାନା ପରିଚୟ ଦ୍ବନ୍ଦ ମଧ୍ୟ ରହିଛି।

ସାମ୍ପ୍ରତିକ କିଛି ଘଟଣାରୁ ଜଣା ପଡ଼େ ଆମଠାରେ ଭାଷାପ୍ରୀତି ବଢ଼ିଛି! ଏତେ ବଢ଼ିଛି ଯେ ଆମେ ନିଜର ଭାଷାକୁ ସଞ୍ଚୟ କରି ପରସ୍ପର ମଧ୍ୟରେ ବାର୍ତ୍ତାଳାପ ପାଇଁ ଅଭାଷାର ବ୍ୟବହାର କରୁଛେ!

ଓଡ଼ିଶାର ପଶ୍ଚିମାଞ୍ଚରେ ମଧୁ ବର୍ଣ୍ଣବୋଧ ବହିପୋଡ଼ିର ଭିଡିଓ ଦେଖିବାକୁ ମିଳିଛି। ତେବେ ଏ ବହିଟି ଓଡ଼ିଆ ଶିଖିବା ପାଇଁ ଉପଲବ୍ଧ। ଆମେ ଜାଣିବାରେ ଏଥିରେ ପଶ୍ଚିମାଞ୍ଚଳ ବିରୋଧି କୈାଣସି ରଚନା କିମ୍ବା ବାକ୍ୟ ଉଲ୍ଲେଖ ନାହିଁ!

ଅପର ପକ୍ଷରେ ଏହାକୁ ଦେଖି ସାମାଜିକ ଗଣମାଧ୍ୟମରେ ଉପକୂଳ ଓଡ଼ିଆଏ ଯେମନ୍ତ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛନ୍ତି, ଲାଗୁଛି ଆମର ମାତୃଭାଷାପ୍ରେମ ଏହା ଭିତରେ ବହୁଗୁଣିତ ହୋଇଛି ନିଶ୍ଚୟ! କିନ୍ତୁ ଏହି ବିବାଦକୁ ଯେଉଁମାନେ ପ୍ରତିକ୍ରିୟା ଦେଇ ନିଆଁରେ ଘିଅ ଢାଳୁଛନ୍ତି ସେମାନେ କ୍ଷତିରେ ରହିବେ। କାରଣ ଏବର ବଜାରସୂତ୍ର ହେଲା ଯାହା ବିବଦମାନ ହୁଏ ତାହାର ପ୍ରଚାର ପ୍ରସାର ସହଜରେ ବଢିଯାଏ!

ଏପରି କରି ଯେଉଁମାନେ ଲାଭବାନ ହେଉଛନ୍ତି ସେମାନଙ୍କୁ ଅଭିନନ୍ଦନ! ତେବେ ବେଶି କିଛି ଖୁସି ହେବାର ଅବକାଶ ହିଁ ନାହିଁ। କାରଣ ଭାଷା କହିଲେ କେବଳ ସାହିତ୍ୟକୁ ବୁଝାଏନା। ଭାବ ଆଦାନ ପ୍ରଦାନ ପାଇଁ ତ ଆମେ ନିଜ ନିଜ ଭାଷା ବ୍ୟବହାର କରୁଛେ, ଯାହା କିଛି ବାଟ ଚାଲିଗଲେ ବଦଳି ବଦଳି ଯାଉଛି।

ହଁ, ଆଉଗୋଟେ ଏକାଡେମୀ ହୋଇପାରେ ଯେଉଁଠି କିଛି ଲୋକ ଥଇଥାନ ହୋଇପାରିବେ। ଆଉ କିଛି ପୁରସ୍କାର ବଣ୍ଟା ହେବ ଯାହାକୁ ପାଇ କିଛି ଲୋକ ଖୁସି ହେବେ। କିଛି ପୁସ୍ତକ ପ୍ରକାଶ ପାଇ ଗୋଦାମ ଘରେ ପଡ଼ି ରହିବେ। କିଛି ଗବେଷକ ରୋଜଗାରିଆ ହେବେ। କିଛି ସଭା ଆୟୋଜନ ହେବ ଯେଉଁଠି ଆୟୋଜକ ଓ ସେବା ପ୍ରଦାନକାରୀ ଉଭୟ ଶ୍ରୋତା ଓ ବକ୍ତାର ଦାୟିତ୍ବ ତୁଲାଇବେ।

କିନ୍ତୁ ଯୁବପିଢ଼ି ଚାକିରି ପାଇଁ, ସମ୍ମାନ ପାଇଁ ଇଂରାଜୀ ହିଁ ଘୋଷିବେ!

ସେଥିପାଇଁ ସାରା ଓଡିଶାରେ ଇଂରାଜୀ ପୁସ୍ତକର ବିକ୍ରି ବଢ଼ିଛି। ଆମେ କଣ ସମବେତ ହୋଇ କେବେ ଇଂରାଜୀ ଟେନ୍ସଚାର୍ଟ ପୋଡ଼ିଛେ ନା ପୋଡ଼ିବା?

ଆମ ଆଞ୍ଚଳିକ ଭାଷା ପରି ଝିନମୀନମାନଙ୍କୁ ଇଂରାଜୀ ପରି ତିମିମାଛ ଗିଳିବାରେ ଲାଗିଛି। କିନ୍ତୁ ମରିବା ପୂର୍ବରୁ ଝିନମୀନର ଗର୍ଭରେ ଥିବା ଭୃଣ ମାନେ ଅନ୍ୟ ଝିନକୁ ଯୁଦ୍ଧ ଡାକରା ଦେଉଛନ୍ତି!

ଏହା କେବଳ ଆମ ରାଜ୍ୟ ନୁହେଁ ସାରା ବିଶ୍ବର ପରିସ୍ଥିତି! ଯେତେ ଭାଷା ଶିଖି ପାରିବା, ଆମେ ସେତେ ଜିତି ପାରିବା। ସବୁ ଭାଷା ଆମର ଆଦରର, ସେଥିପାଇଁ କେହି ଆମକୁ ଭାଷା ଜାରଜ କହିଲେ କହୁ! ପରବାୟ ନାହିଁ!!

Comments are closed.