Odisha Link
Bridging the Missing Links in Odisha

ଆଗରେ ପ୍ରତାପ, ପଛରେ ନବୀନ

ଭୁବନେଶ୍ବର: ଶୀର୍ଷକଟି ପଢ଼ି ଆପଣ ଚମକି ପଡ଼ିଲେ କି? କିନ୍ତୁ କଥାଟା ଏକପ୍ରକାର ସତ ବୋଲି ଧରିନିଅନ୍ତୁ। ରାଜ୍ୟର ପଞ୍ଚାୟତିରାଜ, ଆଇନ ଓ ସହର ବିକାଶ ମନ୍ତ୍ରୀ ପ୍ରତାପ ଜେନାଙ୍କର ଲୋକପ୍ରିୟତା ବଢ଼ିଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା କମୁଛି। ତଥ୍ୟ ତୁଳନା କଲେ ଏୟା ମାନିବାକୁ ହେବ ଯେ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଲୋକପ୍ରିୟତାରେ ଢେର ଆଗରେ ଅଛନ୍ତି।

ଏକଦା ଇଣ୍ଡିଆ ଟୁଡେ ଭଳି ପ୍ରଖ୍ୟାତ ଜାତୀୟ ପତ୍ରିକା ଦ୍ବାରା ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସମ୍ମାନ ଓ ୨୦୧୭ରେ ଆଉଟ୍‌ଲୁକ୍‌ ପତ୍ରିକା ଦ୍ବାରା ଶ୍ରେଷ୍ଠ ପ୍ରଶାସକ ସମ୍ମାନରେ ବିଭୂଷିତ ହୋଇଥିବା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମିଯାଇଛି ବୋଲି ସର୍ଭେରୁ ଜଣାପଡ଼ିଛି। ୨୦୧୮ ମସିହାରେ ପୁନେ ଠାରେ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଶ୍ରେଷ୍ଠ ମୁଖ୍ରମନ୍ତ୍ରୀ ସମ୍ମାନ ଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକଙ୍କ ଶ୍ରେଷ୍ଠତ୍ବରେ ଏବେ ଭଟ୍ଟା ପଡ଼ିଯାଇଛି। ନିକଟ ଅତୀତରେ ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦିନ ନେସନ୍‌ ସର୍ଭେରେ ନବୀନଙ୍କ ଲୋକପ୍ରିୟତା ବେଶ୍‌ କମ ରହିଛି।

ଅନ୍ୟପଟେ ନବୀନଙ୍କ ମନ୍ତ୍ରିମଣ୍ଡଳର ଅନ୍ୟତମ ଟାଣୁଆ ସଦସ୍ୟ ପ୍ରତାପ ଜେନାଙ୍କର ଲୋକପ୍ରିୟତା ବଢ଼ିଚାଲିଛି। ସର୍ଭେ ସଂସ‌ତାଟି ସେତେ ଜଣାଶୁଣା ନ ହେଲେ ବି ଫଳାଫଳକୁ ପ୍ରତାପଙ୍କ ସମର୍ଥକମାନେ ଏଭଳି ପ୍ରଚାର କରୁଛନ୍ତି, ଯେଭଳି କୌଣସି ଜାତୀୟ ସର୍ଭେରେ ସେ ଶ୍ରେଷ୍ଠତ୍ବ ପ୍ରତିପାଦିତ କରିଛନ୍ତି। ସୋସିଆଲ ମିଡିଆରେ ନବୀନଙ୍କ ଲୋକପ୍ରିୟତା ହ୍ରାସ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପ୍ରତାପଙ୍କ ସଫଳତାର ପ୍ରଚାର ବି ଯୋରଦାର ହେଉଛି।

ଫେମ୍‌ ଇଣ୍ଡିଆ ନାମକ ଏକ ହିନ୍ଦୀ ଖବର ପତ୍ରିକା ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତାହରେ ପ୍ରତାପ ଜେନାଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭୋବ ଘୋଷଣା କରାଯାଇଛି। ଏହାକୁ ରାଜ୍ୟର ପ୍ରାୟ ପ୍ରମୁଖ ଗଣମାଧ୍ୟମ ଗୁରୁତ୍ବ ଦେଇ ନ ଥିଲେ ହେଁ ସୋସିଆଲ ମିଡିଆରେ ପ୍ରତାପଙ୍କ ସମର୍ଥକ ନିଜ ନେତାଙ୍କ ଶ୍ରେଷ୍ଠତ୍ବର ଉତ୍ସବ ପାଳୁଛନ୍ତି। ତେଣେ ଇଣ୍ଡିଆ ଟୁଡେ ଭଳି ପ୍ରତିଷ୍ଠିତ ଖବର ସଂସ୍ଥାର ସର୍ଭେରେ ପ୍ରଥମ ସ୍ଥାନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦ ପ୍ରତିଶତ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ ୧୦ ପ୍ରତିଶତ ଭୋଟ ସହ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଦ୍ବିତୀୟ ସ୍ଥାନରେ ଅଛନ୍ତି। ମାତ୍ର ୭ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିଜ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଧାଡ଼ିରେ ଓନିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ଅଛନ୍ତି।

ଅନ୍ୟପଟେ VDP Associates ନାମକ ଏକ ଅନାମଧେୟ ସର୍ଭେ ସଂସ୍ଥା (ଯାହାର ଫେସବୁକ ଆକାଉଣ୍ଟ ନାହିଁ ଓ ବିଗତ ୪ ବର୍ଷରେ ଟ୍ବିଟରରେ ମାତ୍ର ୧୨ହଜାର ଅନୁଗାମୀ ଅଛନ୍ତି) ପକ୍ଷରୁ ଅଗଷ୍ଟ ୧୫ରେ ଏକ ଶାନ୍ତ୍ବନାମୂଳକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ସର୍ଭେର ନକଲ କରି ଭିଡିଏ ଆସୋସିଏଟ୍‌ସ ଏହି ସର୍ଭେର ନାମ ଦେଶ୍‌ କା ମୁଡ୍‌ ରଖିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଯାଇଛି।

Comments are closed.