Odisha Link
Bridging the Missing Links in Odisha

ଦୁର୍ନୀତିଗ୍ରସ୍ତଙ୍କୁ ୫-ଟି ଟ୍ରିଟମେଣ୍ଟ: ଚାକିରିରୁ ବିଦା ହେଲେ ୧୫ ଜଣ, ୨ ଅଧିକାରୀଙ୍କ ପେନସନ୍ ବନ୍ଦ

ଭୁବନେଶ୍ବର: ଏଣିକି ସରକାରୀ କର୍ମଚାରୀ ଦୁର୍ନୀତି କଲେ ଆଉ ନିସ୍ତାର ନାହିଁ। ସିଏ ଅଫିସର ହେଉ ବା ପିଅନ ଯଦି ଅଭିଯୋଗ ପ୍ରମାଣିତ ହେଲେ ତେବେ ଚାକିରି ଯିବା ଥୟ। ଏମିତି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଚାକିରିରୁ ବହାର କରିଥିବା ବେଳେ ଅବସର ନେଇଥିବା ୨ ଜଣ ଅଧିକାରୀଙ୍କ ପେନସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଫଲରେ ସରକାରୀ କର୍ମଚାରୀଙ୍କୁ ଘାରିଛି ୫-ଟି ଭୟ। ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତିରେ ସରକାରୀ କର୍ମଚାରୀ ମହଲରେ ସୃଷ୍ଟି ହୋଇଛି ଭୟ।

ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ଗ୍ରହଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ପୂର୍ବତନ ଏମ୍‌ଭିଆଇ ଦେବୀ ପ୍ରସାଦ ପାଢ଼ୀ, ସମବାୟ ବିଭାଗରେ କାର୍ଯ୍ୟରତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସମ୍ପାଦକ ଦେବଦତ୍ତ ଦାଶ, ଉମରକୋଟ ମ୍ୟୁନିସିପାଲଟି ଅକ୍ଟ୍ରାଇ ଟାକ୍ସ ସରକାର କାଳୀପ୍ରସାଦ ସିଂହ, ଭଦ୍ରକ ଧାମନଗର ତହସିଲର ପୂର୍ବତନ କନିଷ୍ଠ କିରାଣି ବଟକୃଷ୍ଣ ବାରିକ, କଳାହାଣ୍ଡି ଏମ.ରାମପୁର ବ୍ଲକର ପୂର୍ବତନ ଗ୍ରାମସେବକ କୃଷ୍ଣମୋହନ ଦାସ, ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପୂର୍ବତନ ସମ୍ପାଦକ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅଶୋକ କୁମାର ସାହା, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ପୂର୍ବତନ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ୍ମମୁଖ ଶବର, ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତର ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ସହାୟକ ଯନ୍ତ୍ରୀ ବିଜୟ କୁମାର ସାହୁ, ଭବାନୀପାଟଣା ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ କରୁଣାକର ପଣ୍ଡା, ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ମଙ୍ଗଳ ସିଂ ମୁଣ୍ଡା, ଜଳସମ୍ପଦ ବିଭାଗର କୁଳିଅଣା ବ୍ଲକର ପୂର୍ବତନ ସହାୟକ ଯନ୍ତ୍ରୀ ବୈଦ୍ୟନାଥ ମାଝି, ଜଳସମ୍ପଦ ବିଭାଗର ମୟୁରଭଞ୍ଜ ସରକଣା ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ରାଉତ, ଜଳସମ୍ପଦ ବିଭାଗର କଳାହାଣ୍ଡି ଥୁଆମୂଳ-ରାମପୁର ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ନିଗମାନନ୍ଦ ପଣ୍ଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ବିଏମସି ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟର ବରିଷ୍ଠ କିରାଣି ଚିତ୍ତରଞ୍ଜନ ଲାଲଙ୍କୁ ଚାକିରିରୁ ବାହାର କରିଛନ୍ତି।

ସେହିପରି ପେନସନ୍ ସୁବିଧା ବନ୍ଦ ହୋଇଥିବା ଦୁଇ ଅଧିକାରୀ ହେଲେ ଜଳସମ୍ପଦ ବିଭାଗର କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ସହାୟକ ଯନ୍ତ୍ରୀ ଅଶ୍ବିନୀ କୁମାର ଶର୍ମା ଓ ଜଳସମ୍ପଦ ବିଭାଗର କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ପୂର୍ବତନ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକ। ରାଜ୍ୟ ପ୍ରଶାସନରେ ସ୍ବଚ୍ଛତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫‘ଟି’ ପ୍ରଣୟନ କରିଛନ୍ତି। ମନ୍ତ୍ରୀଙ୍କ ଦପ୍ତରଠୁ ଆରମ୍ଭ କରି ବ୍ଲକସ୍ତର ପର୍ଯ୍ୟନ୍ତ ସବୁଠି ସ୍ବଚ୍ଛତା ଆଣିବାକୁ ବାରମ୍ବାର ତାଗିଦ କରିଆସୁଛନ୍ତି। ପିସି କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବି ବ୍ଲକ୍ ସ୍ତରରେ ଏବେ ବି ପିସି କାରବାର ଚାଲୁଥିବା ନେଇ ବିରୋଧୀ ବିଧାନସଭା ଭିତରେ ଓ ବାହାରେ ଅଭିଯୋଗ କରିଆସୁଛନ୍ତି। ତେବେ ୧୫ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବାହାର କରି ସରକାର ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ କଡ଼ା ଚେତାବନୀ ଦେବାକୁ ଉଦ୍ୟମ କରିଛନ୍ତି।

Comments are closed.