Odisha Link
Bridging the Missing Links in Odisha

ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଥାନାରେ ଅଭିଯୋଗ

ଭୁବନେଶ୍ବର: ଲୋକକବି ପଦ୍ମଶ୍ରୀ ହଳଧର ନାଗ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଓଡ଼ିଆ ଭାଷା ବିରୋଧୀ ମନ୍ତବ୍ୟ ଦେବା ସହ ଏ ଭାଷାର ବିଭିନ୍ନ ଶବ୍ଦକୁ ତାତ୍ସଲ୍ୟ କରିବା ନେଇ ଭିଡିଓ ସବୁ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏ ନେଇ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ଭିତ୍ତି କରି ଆଜି ଭୁବନେଶ୍ବରରେ କିଛି ଲେଖକ ଓ ସାମ୍ବାଦିକ ମିଳିତ ଭାବେ ଶ୍ରୀ ନାଗଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି।

ବର୍ଣ୍ଣବୋଧ ପୋଡ଼ି ଘଟଣାରେ ଜଣେ ଗିରଫ ହେବା ପରେ କିଛି ଦୁବୃର୍ତ୍ତଙ୍କ ଦ୍ୱାରା ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଜାରି କରାଯାଇଛି, ଯେଉଁଥିରେ ଅସାମାଜିକ ଭାଷାସନ୍ତ୍ରାସୀମାନେ ଭକ୍ତକବି ମଧୁସୂଦନ ରାଓଙ୍କ ପ୍ରଣୀତ ଓ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବର୍ଣ୍ଣବୋଧ ବିରୋଧରେ ନକରାତ୍ମକ ମନ୍ତବ୍ୟ ଦେବା ସହ ଏହାକୁ ତଳେ ପକାଇ ଅସମ୍ମାନ ପ୍ରଦର୍ଶନ କରିଛନ୍ତି। ପ୍ରଥମ ମଧୁ ବର୍ଣ୍ଣବୋଧ ପୋଡ଼ି ଘଟଣା ପରି ଏହା ମଧ୍ୟ ସଂଗୀନ ଅଭିଯୋଗ। ଏହି ଭିଡିଓ ଅଚ୍ୟୁତ ସିପୁନ ଖମାରୀ ନାମକ ଜନୈକ ଫେସବୁକ ବ୍ୟବହାରକାରୀ ୧୭ ଅଗଷ୍ଟ ୨୦୧୯ ସଂଧ୍ୟା ୬ଟା ୪୦ରେ ଲାଇଭ ପୋଷ୍ଟ କରିଛନ୍ତି। ଏହି ଭିଡିଓ ସହ ସେ ହିଂସା ସୃଷ୍ଟି ଲାଗି ଅନ୍ୟମାନଙ୍କୁ ଉସୁକାଇବା ଭଳି ବକ୍ତବ୍ୟ ଫେସବୁକରେ ରଖିଛନ୍ତି ଓ ଆଇନକୁ ମଧ୍ୟ ଆହ୍ୱାନ ଦେଇଛନ୍ତି।

ଲଗାତାର ଭାବେ ରାଜ୍ୟରେ ସରକାରୀ ଭାଷା ଓଡ଼ିଆକୁ ଉପହାସ ଓ ଅପମାନ କରି ବକ୍ତବ୍ୟ ରଖୁଛନ୍ତି ପଦ୍ମଶ୍ରୀ ହଳଧର ନାଗ। ସେ ସର୍ବସାଧାରଣରେ ଓଡ଼ିଆ ଭାଷା ଓ ଏଥିରେ ପ୍ରଚଳିତ ବହୁ ସମ୍ମାନଜନକ ଶବ୍ଦକୁ ତାତ୍ସଲ୍ୟ କରି ଘୃଣାପୂର୍ଣ୍ଣ ବକ୍ତବ୍ୟ ରଖୁଛନ୍ତି। ଓଡ଼ିଆ ଭାଷାକୁ ନ୍ୟୁନ କରି ଦେଖାଇ, ଏହା ବିରୋଧରେ ଦାୟିତ୍ୱହୀନ ଓ ଘୃଣାପୂର୍ଣ୍ଣ ବକ୍ତବ୍ୟ ଦେଇ ଶ୍ରୀ ନାଗ ଭାରତୀୟ ପିଙ୍ଗଳ କୋଡର ଧାରା ୧୫୩ (କ) ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ କରିଛନ୍ତି। ଏହାସହ ରାଜ୍ୟର ଭାଷା ଆଇନକୁ ମଧ୍ୟ ସେ ଉଲଂଘନ କରିଛନ୍ତି।

ଜଣେ ବରିଷ୍ଠ ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଏଭଳି ବେଆଇନ ଆଚରଣ ଦ୍ୱାରା ସମାଜରେ ହିଂସା, ଆଶାନ୍ତି ଓ ଘୃଣା ପ୍ରସାରିତ ହେବାର ଆଶଙ୍କା ଥିବା ବେଳେ, କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ମଧ୍ୟ ଏହା କୁଠାରଘାତ କରିଛି। ଏଭଳି ଅପରାଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆମେ ଦାବି କରୁଅଛୁ । ରାଜ୍ୟରେ ଅଖଣ୍ଡତା ଓ ଶାନ୍ତି ବଜାୟ ରଖିବା ପାଇଁ ଏଭଳି ଅସାମାଜିକ କାର୍ଯ୍ୟାକଳାପ ଉପରେ କଡା ନଜର ରଖିବାକୁ ଅନୁରୋଧ।

ଆମର ଶ୍ରୀ ନାଗଙ୍କ ପ୍ରତି ସମ୍ମାନ ଓ ଭଲପାଇବା ରହିଛି। ସେ ଏଭଳି ମନ୍ତବ୍ୟ ଦେଇ ତାଙ୍କ ପ୍ରତି ନଇଁଯାଉଥିବା ମୁଣ୍ଡଗୁଡ଼ିକୁ ବିଦ୍ରୋହୀ ସଜାିବା ଅନୁଚିତ ବୋଲି ଅଭିଯୋଗ ଦାଖଲ କରିଥିବା ଓଡ଼ିଆ ପ୍ରତିନିଧି ମଣ୍ଡଳୀର ସଦସ୍ୟ ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି। ଶ୍ରୀ ନାଗ ଘୃଣା ପ୍ରସାରଣ ନକରି ଭଲପାିବା ବାଣ୍ଟନ୍ତୁ ଓ ସମଗ୍ର ଓଡ଼ିଶାର ଭାଇଚାରା ବଜାୟ ରହୁ ବୋଲି ସେ ଆଶା କରିଛନ୍ତି।

ଜଣେ ସମ୍ମାନସ୍ପଦ ବ୍ୟକ୍ତି ଯାହାକୁ ହଜାର ହଜାର ବ୍ୟକ୍ତି ଅନୁସରଣ କରନ୍ତି ତାଙ୍କ ଠାରୁ ଏଭଳି ଓଡ଼ିଆ ଭାଷା ବିରୋଧୀ ମନ୍ତବ୍ୟ ଆସିବା ଅତ୍ୟନ୍ତ ଶୋଚନୀୟ ଓ ପୀଡ଼ାଦାୟକ ବୋଲି କହିଛନ୍ତି ବରିଷ୍ଠ କବି ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ରମାକାନ୍ତ ମିଶ୍ର।

ଅନ୍ୟମାନଙ୍କ ମଧ୍ୟରେ ସୁବାସ ଷଡ଼ଙ୍ଗୀ, ପ୍ରମିତାପ ଶତପଥୀ, କିଶାନ ବାରାଇ, ଲିଙ୍ଗରାଜ ସାହୁ, ଲକ୍ଷ୍ମୀକାନ୍ତ ଦାସ, ଗିରୀଶ ରଂଜନ ସାହୁ ଓ ଶାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇ କ୍ୟାପିଟାଲ ଥାନା ଯାଇ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ।

Comments are closed.