Odisha Link
Bridging the Missing Links in Odisha

ବିପଦ ସଙ୍କେତ ଉପରେ ଜଳକା, ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍ ବନ୍ଦ ହେବ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ ପ୍ରାୟ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ କରୁଛି। ବାଲେଶ୍ୱର ଜିଲ୍ଲାର ଜଳକା ନଦୀ ମଥାନି ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଙ୍କେତ ୫. ୫ ମିଟର ଥିବାବେଳେ ବର୍ତ୍ତମାନ ମଥାନିଠାରେ ଏହା ୬. ୧୯ ମିଟରରେ ଜଳ ପ୍ରବାହିତ ହେଉଛି। ଏହି ସ୍ଥାନରେ ନଦୀର ଜଳସ୍ତର ୬.୭୫ ମିଟରରେ ପହଞ୍ଚିଲେ ବନ୍ୟାଜଳ ଗାଁ ଭିତରକୁ ପ୍ରବେଶ କରିବ। ଫଳରେ ବସ୍ତା ବ୍ଲକର ୩ଟି ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବବୋଲି ଆଶଙ୍କା କରାଯାଉଛି।

ଅପରପକ୍ଷେ ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ସୋମବାର ଦିନ ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍ ଖୋଲା ଯାଇଥିଲା। ଫଳରେ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ହେଲେ ଡ୍ୟାମ୍‌ର ୧୦ଟି ଗେଟ୍ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଗୋଟିଏ ପରେ ଗୋଟିଏ ଗେଟ୍‌କୁ ବନ୍ଦ କରାଯାଉଛି। ଡ୍ୟାମକୁ ଜଳ ପ୍ରବେଶ ପରିମାଣ କମୁଥିବାରୁ ଗେଟ୍ ବନ୍ଦ ଲାଗି ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ସେପଟେ ଉପରମୁଣ୍ଡରେ ବର୍ଷା ଯୋଗୁ ରାଉରକେଲା ଶଙ୍ଖ ନଦୀରେ ଥିବା ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ଖୋଲା ଯାଇଛି। ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ରାଉରକେଲା ସହରର ବାଲୁଘାଟ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.