Odisha Link
Bridging the Missing Links in Odisha

ମୋର ସବୁ ଠିପି ବନ୍ଦ ହୋଇଯାଇଛି: ରାନୀ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ରାନୀ ପଣ୍ଡା। ହେଲେ ଏଥର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରାନୀ। ପୂର୍ବରୁ ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ‘ଅଶ୍ଳୀଳ’ ନୃତ୍ୟ ପରିବେଷଣ କରିବା ଅଭିଯୋଗ ଆସିବା ପରେ ସାରା ଓଡ଼ିଶାରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। ଆଉ ଅଜଣା ଓ ଅଚିହ୍ନା ଜଣେ ନାୟିକା ରାତାରାତି ବନି ଯାଇଥିଲେ ସେଲେବ୍ରିଟି। କିନ୍ତୁ ଏଥର ନିଆରା ଗେଟ୍‌ଅପ୍‌ ପାଇଁ ଚର୍ଚ୍ଚାରେ ରାନୀ।

ଅଗଷ୍ଟ ୧୫ ତାରିଖରେ କଟକରେ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ନାଟକ ପରିବେଷଣ କରିଥିଲା। ନାଟକ ଆରମ୍ଭରୁ ରାନୀ ଷ୍ଟେଜ୍‌ ଉପରକୁ ଆସିଥିଲେ। ଏଥର ସେ ଅର୍ଦ୍ଧନଗ୍ନ ଡ୍ରେସ୍ ନୁହେଁ, ନୀଳ ରଙ୍ଗର ଶାଢ଼ି ଓ ବ୍ଲାଉଜ୍‌ ପିନ୍ଧିଥିଲେ। ଏଥିସହ ଠାଣି ଓ ଚାହାଣିରେ ଦେଇଛନ୍ତି ଇସାରା। ଝିଲ୍‌ମିଲ୍‌ ଆଲୁଅରେ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କୁ ସମ୍ୱୋଧିତ କରି ରାନୀ କହିଥିଲେ, “ଡ୍ୟାନ୍ସ ବା କୌଣସି କଥାବାର୍ତ୍ତାରେ ଭୁଲ ଭଟ୍‌କା ରହିଲେ ମାଆ ଓ ଭଉଣୀମାନେ ମୋତେ କ୍ଷମା କରିଦେବେ। କାରଣ ଏଇଟା ମୋର ପ୍ରଫେସନ୍‌। ଆଉ ପ୍ରଫେସନ୍‌ରେ ମୋର ବାପା, ମାଆ, ଭାଇ ଓ ଭଉଣୀ ଯିଏବି ସାମ୍ନାକୁ ଆସିଲେ, ମୁଁ ସେମାନଙ୍କୁ ଖାତିର କରେ ନାହିଁ। ଏଠି କେବଳ ମୁଁ ମୋର ଯାତ୍ରା ପ୍ରେମୀମାନଙ୍କୁ ଚିହ୍ନେ, ଆଉ କାହାକୁ ନୁହେଁ।”

ରାନୀଙ୍କ କଥା ସହିତ ତାଳ ଦେଇ ମ୍ୟୁଜିକବାଲା ବାଜା ବଜାଇ ଥିଲେ। ହେଲେ ଦର୍ଶକ ତାଳି ମାରି ନଥିଲେ। ରାନୀ ହସ ହସ ମୁହଁରେ ଦର୍ଶକଙ୍କୁ ତାଳି ମାରିବାକୁ କହିଥିଲେ। ଆଉ ତା’ପରେ ଦର୍ଶକମାନେ ତାଳି ମାରିଥିଲେ। ଏହା ପରେ ରାନୀ କହିଥିଲେ, “ମୋତେ ତ କେତେ କ’ଣ କରିବାକୁ ମନ ହେଉଛି। ହେଲେ କ’ଣ ହେବ, ବର୍ତ୍ତମାନ ମୁଁ ଯେଉଁ ପୋଲିଓ ଟିକାର ବାମ୍ଫ ନେଇଛି, ମୋର ସବୁ ଠିପି ବନ୍ଦ ହୋଇଯାଇଛି। ବ୍ୟସ୍ତ ହୁଅନି ଜାଗା ଦେଖି ଖେଳ କରିବି।” ରାନୀଙ୍କର ଏହି ଡାଏଲଗ୍‌ ପରେ ଉକ୍ତ ସ୍ଥାନ କରତାଳିରେ କମ୍ପି ଉଠିଥିଲା।

ଚଳିତବର୍ଷ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ରାନୀ। ତାଙ୍କ ଜୀବନକୁ ନେଇ ତିଆରି ହୋଇଛି ନାଟକ “ଆଇଟମ୍‌ ଗାର୍ଲ ରାନୀ”। ଏହି ସମାନ ଟାଇଟଲ୍‌ରେ ଗୋଟିଏ ଓଡ଼ିଆ ଫିଲ୍ମ ହେଉଥିବାରୁ ମଝିରେ ବିବାଦ ସୃଷ୍ଟି ହୋଇଥିଲା।

Comments are closed.