Odisha Link
Bridging the Missing Links in Odisha

ମାସକ ପରେ ଛାତ୍ର ସଂସଦ ନିର୍ବାଚନ: କଣ ରହିଛି କେଉଁ ଦଳର ଆଭିମୁଖ୍ୟ

ଭୁବନେଶ୍ବର: ଆଉ ମାସକ ପରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ। ସେପ୍ଟେମ୍ବର ଶେଷ ସପ୍ତାହାରେ ହେବ ଛାତ୍ର ସଂସଦ ନିର୍ବାଚନ। ନିର୍ବାଚନ ପାଇଁ ସେପ୍ଟେମ୍ବର ୩ୟ ସପ୍ତାହରୁ ଆରମ୍ଭ ହେବ ପ୍ରକ୍ରିୟା। ଅପରପକ୍ଷେ ବିଭିନ୍ନ ଛାତ୍ର ସଙ୍ଗଠନଙ୍କ ପାଖରେ ମାତ୍ର ୧ମାସରୁ କମ୍‌ ସମୟ ଅଛି। ହେଲେ ପୂର୍ବବର୍ଷ ଭଳି ଚଳିତ ବର୍ଷ ବିଭିନ୍ନ ଛାତ୍ର ସଙ୍ଗଠନ ମାନଙ୍କର ପତିଆରା ଦେଖିବାକୁ ମିଳୁନାହିଁ। ରାଜ୍ୟରେ ମୁଖ୍ୟତଃ ଛାତ୍ର ବିଜେଡି, ଛାତ୍ର କଂଗ୍ରେସ ଏବଂ ଏବିଭିପି ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଥାଏ। ହେଲେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ନିର୍ଦ୍ଦିଷ୍ଟ ଛାତ୍ର ନେତାମାନେ ସଂପୃକ୍ତ କଲେଜରେ ନିଜ ପତିଆରା ଜାହିର କରିବା ପାଇଁ ବ୍ୟକ୍ତିଗତ ଉଦ୍ୟମରେ ସଂଗଠନ ଚଳାଇଛନ୍ତି।

                                          bcjd

ଛାତ୍ର ବିଜେଡ଼ି ଦ୍ବନ୍ଦରେ:
ପ୍ରତିବର୍ଷ ଛାତ୍ର ସଂସଦ ନିର୍ବାଚନ‌ରେ ପତିଆରା ଜାହିର କରୁଥିବା‌ ଛାତ୍ର ବିଜେଡି ଏଥର ପ୍ରସ୍ତୁତିରେ ଟିକିଏ ପଛରେ ପଡ଼ିଛି। ଏପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଛାତ୍ରନେତାଙ୍କ ବୈଠକ ଡକାଯାଇ ନାହିଁ କି କିଭଳି ନିର୍ବାଚନ ପରିଚାଳିତ ହେବ ସେନେଇ ଆଲୋଚନା ହୋଇନାହିଁ। ଏପରିକି ଛାତ୍ର ବିଜେଡିର ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ନେଇ କିଛି ଆଭିମୁଖ୍ୟ ସ୍ପଷ୍ଟ ହୋଇନି। ପ୍ରମୁଖ କଲେଜରେ ସଙ୍ଗଠନ ଦାୟିତ୍ବ ସମ୍ଭାଳୁଥିବା ଛାତ୍ରନେତାମାନେ ମଧ୍ୟ ଆଉ ଆଗ୍ରହ ଦେଖାଉ ନାହାନ୍ତି। ୨୦୧୮ରେ ନିର୍ବାଚନର ଦେଢ଼ ମାସ ପୂର୍ବରୁ ଘନ ଘନ ବୈଠକ ଡକାଯିବା ସହ ଜୋନ୍‌ ଅନୁଯାୟୀ ଛାତ୍ରନେତାମାନଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା। ତେବେ ଏଥର ବୈଠକ ବି ବସିପାରିନି। କେବେ ବସିବ ସେନେଇ କାହା ପାଖରେ ମଧ୍ୟ ଉତ୍ତର ନାହିଁ। ବିଜେଡିର ଛାତ୍ର ସଭାପତି ରାଣା ପ୍ରତାପ ପାତ୍ର ବଦଳିବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ଜୋର୍‌ ଧରିଛି। କଲେଜ ନିର୍ବାଚନ ପାଖେଇ ଆସୁଥିଲା ବେଳେ ସଭାପତି ପଦବିକୁ ନେଇ ଅସ୍ଥିରତା ଅନ୍ୟ ଛାତ୍ରନେତା ଓ ଆଶାୟୀଙ୍କୁ ଦ୍ବନ୍ଦ୍ବରେ ପକାଉଛି। କିଭଳି ନିର୍ବାଚନ ଲଢ଼ିବେ? କ୍ୟାମ୍ପସରେ କିଏ ପ୍ରାର୍ଥୀ ହେବ? ଅର୍ଥ କେଉଁଠୁ ଆସିବ? ସେନେଇ ଚିନ୍ତାରେ ପଡ଼ିଛନ୍ତି। ଏମିତିକି ଅଧିକାଂଶ କ୍ୟାମ୍ପସରେ ସଙ୍ଗଠନରୁ ପ୍ରାର୍ଥୀ ହେବା ଲାଗି ଏକାଧିକ ଆଶା‌ୟୀ ରହିଥିବାରୁ ଆଗକୁ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ABVP

ଏବିଭିପିର ଆଗୁଆ ଅଙ୍କକଷା:
ଗତ କିଛି ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନରେ ଅଧିକାଂଶ କ୍ୟାମ୍ପସରେ ପ୍ରାର୍ଥୀ ଦେଉଥିବା ଏବିଭିପି ଏଥର ଆଗୁଆ ଅଙ୍କପଷିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ନିର୍ବାଚନର ଏକ ମାସ ପୂର୍ବରୁ ଗତ ଦୁଇ ଦିନ ଧରି ବାରିପଦାରେ ସଙ୍ଗଠନର ରାଜ୍ୟ କାର୍ଯ୍ୟକାରିଣୀ ‌ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ପରିଚାଳନା ନେଇ ଆଲୋଚନା ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ସଙ୍ଗଠନର ବିଚାର ବୁଝୁଥିବା ଓ ବର୍ଷ ସାରା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟ କରୁଥିବା ଛାତ୍ରନେତାଙ୍କୁ ପ୍ରାର୍ଥୀ କରାଯିବ। ନିର୍ବାଚନ ପୂର୍ବରୁ ୫୦ ହଜାର ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। କ୍ୟାମ୍ପସ ଶାଖାଗୁଡ଼ିକୁ ସୁଦୃଢ଼ କରାଯିବା ନେଇ ବୈଠକ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏଥିସହିତ ରାଜ୍ୟର ପ୍ରମୁଖ କ୍ୟାମ୍ପସ ଗୁଡ଼ିକରେ ଏବିଭିପି ତାର ଆଶାୟୀ ପ୍ରାର୍ଥୀଙ୍କୁ ଏବେଠୁ ପ୍ରଚାର କରିବା ପାଇଁ ଆଗେଇ ଆସିଲାଣି।


କୋମାରେ ଛାତ୍ର କଂଗ୍ରେସ:
ଦିନ ଥିଲା ଛାତ୍ର କଂଗ୍ରେସ ରାଜ୍ୟର ପ୍ରମୁଖ ଛାମୁଆ ସଙ୍ଗଠନର ଆଖ୍ୟା ପାଇଥିଲେ। ହେଲେ ଏବେ ଏକପ୍ରକାର କୋମାକୁ ଚାଲିଗଲା ଭଳି ଲାଗୁଛି। ଛାତ୍ର କଂଗ୍ରେସ ଆଗ ଭଳି ଆଉ ବିଭିନ୍ନ କ୍ୟମ୍ପସରେ ନିଜର ଦବଦବା ପ୍ରଦର୍ଶନ କରି ପାରୁନାହିଁ। କ୍ୟାମ୍ପସରେ ଆଉ ଆଗଭଳି କାର୍ଯ୍ୟକଳାପ କରୁନାହିଁ ଛାତ୍ର କଂଗ୍ରେସ। ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ମଧ୍ୟ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଉ ନାହିଁ। ଏମିତି କି ୨୦୧୬ ଠାରୁ ହାତଗଣତି କିଛି କ୍ୟାମ୍ପସକୁ ଛାଡ଼ିଦେଲେ ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଦେବା ପାଇଁ ସଙ୍ଗଠନର ବଳ ପାଉନି। ସବୁଠାରୁ ବଡ଼ କଥା ହେଲା ଦୁଇ ବର୍ଷ ହେଲା ସଙ୍ଗଠନର ରାଜ୍ୟ ସଭାପତି ନାହାନ୍ତି। ଶେଷ ଥର ପାଇଁ ଇତୀଶ୍‌ ପ୍ରଧାନ ସଭାପତି ରହିଥିଲେ। ତାଙ୍କ ପରେ ସଙ୍ଗଠନର ସଭାପତି ପଦ ପାଇଁ ଆଉ ନିର୍ବାଚନ ହୋଇନି କି ସଭାପତି ଚୟନ କରାଯାଇ ନାହିଁ। ସମ୍ପାଦକ ନିଯୁକ୍ତ ହୋଇଥିଲେ ମଧ୍ୟ ସେମାନେ ସଙ୍ଗଠନକୁ ଆଗକୁ ନେଇପାରୁ ନାହାନ୍ତି। ଛାତ୍ର ସଂସଦ ନିର୍ବାଚନ ସମୟରେ ଯେଉଁ କିଛି ଛାତ୍ରନେତା ଆଗକୁ ଆସୁଛନ୍ତି ସେମାନେ ରାଜ୍ୟସ୍ତରୀୟ ଦାୟିତ୍ବ ବୁଝୁନାହାନ୍ତି। କେବଳ ନିଜ ପତିଆରା ଥିବା କ୍ୟାମ୍ପସ ସଜାଡ଼ିବା ଓ ପରିଚାଳନାରେ ବ୍ୟସ୍ତ ରହୁଛନ୍ତି। ସଙ୍ଗଠନକୁ ଦିଗ୍‌ଦର୍ଶନ ଦେବା ଲାଗି ମଧ୍ୟ ନେତାଙ୍କ ଅଭାବ ପରିଲକ୍ଷିତ ହୋଇଛି।

Comments are closed.