Odisha Link
Bridging the Missing Links in Odisha

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ଏବିଭିପିର ବିରୋଧ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଏଥର ରାଜ୍ୟରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ। ଇଲେକ୍ସନ ବଦଳରେ ହେବ ସିଲେକ୍ସନ। ଛାତ୍ର ସଂସଦ ନିର୍ବାଚନ ବାତିଲ କଲେ ରାଜ୍ୟ ସରକାର। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ନିର୍ବାଚନ ବଦଳରେ ଛାତ୍ର ପ୍ରତିନିଧି ବାଛିବାକୁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏ ବାବଦରେ ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ। ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଜାଣିବା ପରେ ଏବିଭିପି ତିବ୍ର ବିରୋଧ କରିଛି।

ଏବିଭିପିର ମହାନଗର ସଂଯୋଜକ ସଞ୍ଜୟ ମଲ୍ଲିକ ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଏଥି ସହିତ ସରକାରଙ୍କୁ ସମାଲୋଚନା କରିିଛନ୍ତି। ସଞ୍ଜୟ କହିଛନ୍ତି ଯେ, ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ନିଜେ ଛାତ୍ର ରାଜନୀତିରୁ ଯାଇ ବର୍ତ୍ତମାନ ମନ୍ତ୍ରୀ ହୋଇ ପାରିଛନ୍ତି। ଅଥଚ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରୁଛନ୍ତି। ଏହା ମନ୍ତ୍ରୀଙ୍କୁ ଶୋଭା ପାଉନି ବୋଲି କହିଛନ୍ତି ସଞ୍ଜୟ। ଏବିଭିପିର ସଦସ୍ୟମାନେ ବାଣୀବିହାର ମୁଖ୍ୟ ଫାଟକ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଫଟୋ ପୋଡ଼ିଛନ୍ତି ଏବିଭିପି ସଦସ୍ୟ।

ଗଲା ଦୁଇ ବର୍ଷ ହେବ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ଦଳୀୟ ଗୋଷ୍ଠୀ କନ୍ଦଳକୁ ଲୁଚେଇବାକୁ ଯାଇ ରାଜ୍ୟ ସରକାର ଗତବର୍ଷ ତିତିଲି ଆଳରେ ନିର୍ବାଚନ ବାତିଲ୍ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍ କରିବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି। ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଛାତ୍ରଛାତ୍ରୀଙ୍କ ନେତୃତ୍ୱ ବିକାଶର ମାଧ୍ୟମ ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍ କରି ଗଣତନ୍ତ୍ର ଉପରେ ଶକ୍ତ ପ୍ରହାର କରିଛନ୍ତି ରାଜ୍ୟ ସରକାର।

ସୂଚନାଥାଉକି, ଚଳିତ ବର୍ଷ ରାଜ୍ୟରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏ ନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି, ସମସ୍ତ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ସମସ୍ତ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜଗୁଡିକର ଅଧ୍ୟକ୍ଷମାନଙ୍କୁ ଏ ନେଇ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଛାତ୍ରୀଛାତ୍ରଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ନିର୍ବାଚନକୁ ବାତିଲ କରାଯିବା ସହ ଯେଉଁ ବିଶ୍ୱ ବିଦ୍ୟାଳୟ ଏବଂ କଲେଜରେ ଛାତ୍ର ପ୍ରତିନିଧିଙ୍କର ଆବଶ୍ୟକ ଥିବ ସେଠାରେ ପ୍ରତିନିଧିଙ୍କୁ ମନୋନୀତ କରିବାକୁ ଚିଠରେ ଉଲ୍ଲେଖ କରାଯାଇଛି।

ଛାତ୍ର ସଂସଦ ନିର୍ବାଚନ ଯୋଗୁ ଅନେକ ସମୟରେ ଶୈଖିକ ବାତାବରଣ ବିଗିଡି ଯାଉଛି। ଛାତ୍ରୀଛାତ୍ରମାନଙ୍କର ପାଠପଢା ବ୍ୟାହତ ହେଉଛି। ଅନେକ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ରାଜନୈତିକ ଦଳର ନେତାମାନେ ମଧ୍ୟ ଛାତ୍ରୀଛାତ୍ରଙ୍କୁ ବିଭ୍ରାନ୍ତ କରିବାକୁ ପଛାଉ ନାହାନ୍ତି। ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନକୁ ବାତିଲ କରାଯାଇଥିବା କୁହାଯାଉଛି।

Comments are closed.