Odisha Link
Bridging the Missing Links in Odisha

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିସିଜେଡିର ସ୍ବାଗତ

ଭୁବନେଶ୍ବର: ଏଥର ରାଜ୍ୟରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ। ଇଲେକ୍ସନ ବଦଳରେ ହେବ ସିଲେକ୍ସନ। ଛାତ୍ର ସଂସଦ ନିର୍ବାଚନ ବାତିଲ କଲେ ରାଜ୍ୟ ସରକାର। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ନିର୍ବାଚନ ବଦଳରେ ଛାତ୍ର ପ୍ରତିନିଧି ବାଛିବାକୁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏ ବାବଦରେ ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ। ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛି ବିଜୁ ଛାତ୍ର ଜନତା ଦଳ।

ଏନେଇ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ପାର୍ଥସାରଥୀ ମୁଦୁଲିଙ୍କ ନେତୃତ୍ବରେ ମାଷ୍ଟରକ୍ୟାଣ୍ଟିନ ଛକରେ ଧନ୍ୟବାଦ କାର୍ଯ୍ୟକ୍ରମ ହୋଇଥିଲା। ଛାତ୍ର ସଂସଦରେ ଇଲେକ୍ସନ ବଦଳରେ ସିଲେକ୍ସନ ନିଷ୍ପତ୍ତିକୁ ସ୍ୱାଗତ କରିଛି ବିସିଜେଡି।

ଚଳିତ ବର୍ଷ ରାଜ୍ୟରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏ ନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି, ସମସ୍ତ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ସମସ୍ତ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜଗୁଡିକର ଅଧ୍ୟକ୍ଷମାନଙ୍କୁ ଏ ନେଇ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଛାତ୍ରୀଛାତ୍ରଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ନିର୍ବାଚନକୁ ବାତିଲ କରାଯିବା ସହ ଯେଉଁ ବିଶ୍ୱ ବିଦ୍ୟାଳୟ ଏବଂ କଲେଜରେ ଛାତ୍ର ପ୍ରତିନିଧିଙ୍କର ଆବଶ୍ୟକ ଥିବ ସେଠାରେ ପ୍ରତିନିଧିଙ୍କୁ ମନୋନୀତ କରିବାକୁ ଚିଠରେ ଉଲ୍ଲେଖ କରାଯାଇଛି।

ଛାତ୍ର ସଂସଦ ନିର୍ବାଚନ ଯୋଗୁ ଅନେକ ସମୟରେ ଶୈଖିକ ବାତାବରଣ ବିଗିଡି ଯାଉଛି। ଛାତ୍ରୀଛାତ୍ରମାନଙ୍କର ପାଠପଢା ବ୍ୟାହତ ହେଉଛି। ଅନେକ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ରାଜନୈତିକ ଦଳର ନେତାମାନେ ମଧ୍ୟ ଛାତ୍ରୀଛାତ୍ରଙ୍କୁ ବିଭ୍ରାନ୍ତ କରିବାକୁ ପଛାଉ ନାହାନ୍ତି। ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନକୁ ବାତିଲ କରାଯାଇଥିବା କୁହାଯାଉଛି।

Comments are closed.