Odisha Link
Bridging the Missing Links in Odisha

ହତାଶ ପ୍ରେମିକର ବର୍ବର କାଣ୍ଡ ପ୍ରେମିକାକୁ ପେଟ୍ରୋଲ ଢ଼ାଳି ଲଗାଇଲା ନିଆଁ

ବାସୁଦେବପୁର : ପୂର୍ବରୁ ପ୍ରେମ ଥିଲା ଶାଶ୍ବତ ଆଉ ସତ୍ୟ  ହେଲେ ଆଜିକା ଦୁନିଆରେ ପ୍ରେମକୁ ସମସ୍ତେ ଖେଳନା ଭଳି ଭାବୁଛନ୍ତି। ପ୍ରେମ କରି କିଏ କେତେବେଳେ ନିଜ ପ୍ରେମକୁ ଛାଡି ଆଉ କାହା ସାଙ୍ଗରେ ପଳାଉଛି ତ ଆଉ କିଏ ବାହା ହୋଇ ଖୁସିରେ ରହୁଛି। ଠିକ୍‌ ସେମିତି ପ୍ରେମ କରି ବିଫଳ ହେବା ପରେ ଜଣେ ପ୍ରେମିକ ନିଜ ପ୍ରେମର ପ୍ରତିଶୋଧ ନେବାକୁ ଯାଇ ତାର ପ୍ରେମିକା ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛି। ବାରମ୍ବାର ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ହତାଶ ପ୍ରେମିକ। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି।
ଗୁରୁତର ଯୁବତୀଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି ସିଦ୍ଧାର୍ଥ ମଲ୍ଲିକ୍।
ମିଳିଥିବା ସୂଚନା ଅନୁସାରେ, ବାସୁଦେବପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ସିଦ୍ଧାର୍ଥ ପ୍ରେମ ନିବେଦନ କରି ଆସୁଥିଲେ। କିନ୍ତୁ ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରି ଆସୁଥିଲେ। ତେବେ ଗତକାଲି ଯୁବତୀଙ୍କ ପରିବାର ଲୋକେ ଚାଷ କାମ ପାଇଁ ବିଲକୁ ଯାଇଥିଲେ। ଏଥିପାଇଁ ଯୁବତୀ ଜଣକ ଭାତ ନେଇ ବିଲକୁ ଯାଉଥିଲେ। ଏହି ସମୟରେ ଯୁବକ ଜଣକ ଯୁବତୀଙ୍କୁ ଡାକି ବିବାହ ପାଇଁ ନିବେଦନ କରିଥିଲେ। ଏଥିରେ ସମ୍ପୃକ୍ତ ଯୁବତୀ ଜଣକ ଅରାଜି ହେବାରୁ ଯୁବକ ଜଣକ ଉତକ୍ଷିପ୍ତ ହୋଇ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏନେଇ ପୁଲିସ୍‌ ଖବର ପାଇ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.