Odisha Link
Bridging the Missing Links in Odisha

ପ୍ରତି ମହାବିଦ୍ୟାଳୟରେ ପ୍ରୋକ୍ଟୋରିଆଲ ପ୍ରଥା ଚାଲୁ କରାଯାଇଛି : ଅରୁଣ ସାହୁ

ଭୁବନେଶ୍ବର : ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଡିଗ୍ରି, ସ୍ବୟଂଶାସିତ କଲେଜ ନାକ୍‌ ମାନ୍ୟତା‌ ହାସଲ କରିବେ। ଯେଉଁମାନେ ଏବେ ପାଇ ସାରିଛନ୍ତି ଆଗକୁ ଯେପରି ଭଲ ମାନ୍ୟତା ପାଇବେ ସେ ଦିଗରେ ପଦକ୍ଷେପ ନେବେ। ଅତି କମ୍‌ରେ ୮୦ ପ୍ରତିଶତ କଲେଜ ଯେପରି ମାନ୍ୟତା ପାଇବେ ସେ ଦିଗରେ ସମସ୍ତ କଲେଜ ଅଧ୍ୟକ୍ଷ ଯତ୍ନବାନ ହେବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ନିର୍ଦେଶ ଦେଇଛନ୍ତି।

୧୦୮୭ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ନେଇ ଆଜି ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସିଂ‌ରେ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ଉପସ୍ଥାନକୁ କଡ଼ାକଡ଼ି କରାଯାଉ। ଯଦି କୌଣସି ପିଲାର ଉପସ୍ଥାନ ୭୫ ପ୍ରତିଶତ ହେଉନାହିଁ ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଯାଉ। ଅଭିଭାବକଙ୍କ ନିକଟକୁ ଏସ୍‌ଏମ୍‌ଏସ୍‌, ଇମେଲ୍‌ ଓ ଚିଠି ପଠାଯାଉ। ତା’ପରେ ବି ଯଦି ପିଲା ଆସୁନାହାନ୍ତି ତେବେ ଅଧ୍ୟକ୍ଷମାନେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ସେମିଷ୍ଟାର ପରୀକ୍ଷାରୁ ପିଲାଙ୍କୁ ବଞ୍ଚିତ କରାଯାଉ। ସେହିପରି ଅଧ୍ୟାପକମାନଙ୍କ ଉପସ୍ଥାନ ଲାଗି କଲେଜରେ ଦୁଇଟି ବାୟୋମେଟ୍ରିକ୍‌ ମେସିନ୍‌ ଲଗାଇବା ବାଧ୍ୟତାମୂଳକ। ଯେଉଁ ଅଧ୍ୟକ୍ଷମାନେ ଏ ପର୍ଯ୍ୟନ୍ତ ଲଗାଇ ନାହାନ୍ତି ସେମାନେ ଆସନ୍ତା ମାସେ ମଧ୍ୟରେ କଲେଜ ଫଣ୍ଡରୁ ୧୫ ହଜାର ଟଙ୍କା ଖର୍ଚ୍ଚ କରି ଲଗାଇବାକୁ ପରାମର୍ଶ ଦିଆଯାଇଛି।

ଆଗରୁ ପ୍ରଚଳିତ ହୋଇ ଆସୁଥିବା ପ୍ରୋକ୍ଟୋରିଆଲ ସିଷ୍ଟମକୁ ଏ ବର୍ଷ କଡ଼ାକଡ଼ି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ପିଲାଙ୍କ ଗୁଣାତ୍ମକ ଶିକ୍ଷା ବିକାଶରେ ପ୍ରୋକ୍ଟୋରିଆଲ ସିଷ୍ଟମ ବହୁ ଗୁରୁତ୍ବପୂର୍ଣ୍ଣ। ଏହି ବ୍ୟବସ୍ଥା ମାଧ୍ୟମରେ ଜଣେ ଅଧ୍ୟାପକଙ୍କ ଅଧୀନରେ ୨୫ରୁ ୩୫ ଜଣ ଛାତ୍ରଛାତ୍ରୀ ରହିବେ। ସେମାନଙ୍କ ସୁବିଧା ଅସୁବିଧା, କ୍ଲାସ ଆସୁଛନ୍ତି କି ନାହିଁ, ଶିକ୍ଷା ଗ୍ରହଣରେ କୌଣସି ଦ୍ବନ୍ଦ୍ବ ରହୁଛି ଆଦି ବିଷୟରେ ପଚାରି ବୁଝିବେ। ପ୍ରତି ସପ୍ତାହରେ ଅଧ୍ୟକ୍ଷମାନଙ୍କୁ ରିପୋର୍ଟ ଦେବେ। ଯଦି କୌଣସି ପିଲା କ୍ଲାସକୁ ଆସୁ ନ ଥିବେ ତେବେ ସେ ପିଲାଙ୍କ ଘରକୁ ଯାଇ ବୁଝିବେ। ଏବେ ଦେଖିବାକୁ ମିଳୁଛି ଯେ ବହୁ କଲେଜ କର୍ତୃପକ୍ଷ ଏବିଷୟରେ ଅବଗତ ନାହାନ୍ତି। ତେଣୁ ଆସନ୍ତା ୩୧ ତାରିଖ ସୁଦ୍ଧା ଅଧ୍ୟକ୍ଷମାନେ ସେମାନଙ୍କ କଲେଜର ପ୍ରୋକ୍ଟୋରିଆଲ ସିଷ୍ଟମ ବିଷୟରେ ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୦୧୯-୨୦ ଶିକ୍ଷାବର୍ଷରେ ୧୦୧ଟି କଲେଜ କ୍ୟାମ୍ପସରେ ଲାଙ୍ଗୁଏଜ୍‌ ଲାବରେଟୋରି/ସ୍ମାର୍ଟ କ୍ଲାସ ରୁମ୍‌/ସ୍ପୋକନ୍‌ ଟ୍ୟୁଟୋରିଆଲ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଥିମଧ୍ୟରୁ ୬୦ଟି କ୍ୟାମ୍ପସରେ ସ୍ମାର୍ଟ କ୍ଲାସ ରୁମ୍‌ ଶେଷ ହୋଇଛି। ବାକି ଗୁଡ଼ିକ କିଭଳି ଶୀଘ୍ର ଶେଷ ହେବ ‌ସେନେଇ ଅଧ୍ୟକ୍ଷମାନେ ଗୁରୁତ୍ବ ଦେବା ଆବଶ୍ୟକ। ଯୁକ୍ତ୨ ଓ ଯୁକ୍ତ୩ କଲେଜ ମଧ୍ୟରେ ଲାଗିରହିଥିବା ଜମି ବିବାଦର ସମାଧାନ ଲାଗି ଆଜି ମନ୍ତ୍ରୀସ୍ତରୀୟ ବୈଠକ ବସିବ। ଏଥିରେ ଯୁକ୍ତ୨ ଓ ଯୁକ୍ତ୩ କଲେଜଗୁଡ଼ିକ ମଧ୍ୟରେ ଥିବା ଜମି ବିବାଦର ସମାଧାନ, ଗୋଚର ଜମିରେ ଗଢ଼ି ଉଠିଥିବା କଲେଜ ଅଧୀନକୁ କିଭଳି ଜମି ଆସିବ, ଉଭୟ କଲେଜ ମଧ୍ୟରେ ଅଧ୍ୟାପକ ବଣ୍ଟନ ପରି ବିଭିନ୍ନ ବିଷୟରେ ଆଲୋଚନା ହେବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଭିଡିଓ କନ୍‌ଫରେନ୍ସିଂରେ କେତେକ କଲେଜ ଅଧ୍ୟକ୍ଷ ଯୋଗଦେଇ ନଥିବାରୁ ମନ୍ତ୍ରୀ ଓ ସଚିବ ବିରକ୍ତି ପ୍ରକାଶ କରିଥିଲେ। ଏଥିରେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାଶ ଓ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ଯୋଗ ଦେଇଥିଲେ।

Comments are closed.