Odisha Link
Bridging the Missing Links in Odisha

ଆଜି ଜନ୍ମାଷ୍ଟମୀ: ଦହିହାଣ୍ଡି ଭଙ୍ଗା ଉତ୍ସବ କାହିଁକି ପାଳନ କରାଯାଏ?

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଏଥିନେଇ ସମଗ୍ର ଦେଶରେ ବେଶ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ମଠ ଓ ମନ୍ଦିର ଭଳିକି ଭଳି ରୂପରେ ସଜେଇ ହୋଇଛି। ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ହେଲେ ପ୍ରଭୁ ଶ୍ରୀ କୃଷ୍ଣ। ହେଲେ ଜନ୍ମାଷ୍ଟମୀର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଦହିହାଣ୍ଡି ଭଙ୍ଗା ଉତ୍ସବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର ହୋଇ ଉଠିଲାଣି। ପ୍ରଭୁ କୃଷ୍ଣଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।

ବିଶେଷକରି ହିନ୍ଦୁମାନେ ନିଜ ଘରେ ବାଲ୍‌ଗୋପାଲଙ୍କୁ ନୂଆ ବସ୍ତ୍ର ପରିଧାନ କରାଇ, କ୍ଷୀର, ମହୁ ଏବଂ ଜଳରେ ଅଭିଷେକ କରାଇଥାନ୍ତି। କେତେକ ଜାଗାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପଟୁଆର ବାହାରିଥାଏ। ଏହି ଉତ୍ସବକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ଗୁଜରାଟ ଓ ମହାରାଷ୍ଟ୍ରରେ ଜନ୍ମାଷ୍ଟମୀ ଅବସରରେ ଦହିହାଣ୍ଡି ଭଙ୍ଗା ଉତ୍ସବର ଆୟୋଜନ କରାଯାଇଥାଏ। ଏହି ଦହିହାଣ୍ଡି ବା ମଟ୍‌କା ଭଙ୍ଗାର ଦୃଶ୍ୟ ଅନେକ ହିନ୍ଦୀ ଫିଲ୍ମରେ ରହିଛି। ବିଶେଷ କରି ପୁରୁଷମାନେ କାନ୍ଧକୁ କାନ୍ଧ ଛନ୍ଦି ପିରାମିଡ଼ ଶୈଳୀରେ ଏକାଠି ହୋଇଥାନ୍ତି। ପରେ ୨୦-୩୦ ଫୁଟ୍‌ ଉପରେ ଝୁଲୁଥିବା ଦହିହାଣ୍ଡିକୁ ଶୀର୍ଷରେ ଥିବା ବ୍ୟକ୍ତି ଜଣକ ଭାଙ୍ଗିଥାନ୍ତି। ନାଚ, ଗୀତ ଭଜନ କୀର୍ତ୍ତନରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇ ଉଠିଥାଏ। ଏହି ଉତ୍ସବକୁ ଦର୍ଶକମାନେ ଅତି ଉତ୍ସାହର ସହ ଉପଭୋଗ କରିଥାନ୍ତି।

କାହିଁକି ପାଳନ କରାଯାଏ ଦହିହାଣ୍ଡି ଉତ୍ସବ:
କୃଷ୍ଣଙ୍କ ନଟଖଟ ସ୍ୱଭାବ ସାରା ବୃନ୍ଦାବନବାସୀଙ୍କ ନିଦ ହଜେଇ ଦେଇଥିଲା। ତେଣୁ ଏହାର ମୁକାବିଲା ପାଇଁ ବୃନ୍ଦବାବନର ମହିଳାମାନେ ଏକାଠି ହୋଇ ଉପାୟ ପାଞ୍ଚିଥିଲେ। ଯୋଜନା ମୁତାବକ, ମହିଳାମାନେ ଏକ ଉଚ୍ଚ ସ୍ଥାନରେ ଲହୁଣୀ ହାଣ୍ଡିକୁ ବାନ୍ଧିଲେ। ଯେମିତି କୃଷ୍ଣଙ୍କ ହାତ ପାଇବ ନାହିଁ। କିନ୍ତୁ ଚତୁର କୃଷ୍ଣଙ୍କ ବୁଦ୍ଧି ପାଖରେ ମହିଳାଙ୍କ ସବୁ ପ୍ରୟାସ ଭଣ୍ଡୁର ହୋଇଯାଇଥିଲା। ଲହୁଣୀ ଚୋରି କରିବାକୁ କୃଷ୍ଣ ନିଜ ବନ୍ଧୁମାନଙ୍କ ସହ ମିଶି, ପିରାମିଡ଼ ଶୈଳୀରେ ଜଣକ ଉପରେ ଜଣେ ଠିଆ ହୋଇ, ହାଣ୍ଡିକୁ ଭାଙ୍ଗି ଲହୁଣି ଖାଉଥିଲେ। ଏହି ପୌରାଣିକ କାହାଣୀରୁ ହିଁ ଦହିହାଣ୍ଡି ଉତ୍ସବର ଜନ୍ମ। ଯାହା ଏକ ପରମ୍ପରାରେ ପରିଣତ ହୋଇଛି। ଜନ୍ମାଷ୍ଟମୀ ଆସିଲେ ବିଭିନ୍ନ ସ୍ଥାନରେ ଦହିହାଣ୍ଡି ଉତ୍ସବର ଆୟୋଜନ କରାଯାଇଥାଏ।

Comments are closed.