Odisha Link
Bridging the Missing Links in Odisha

ବେଳାଭୂମି ଅପରିଷ୍କାର କଲେ ଜରିମାନା ଗଣିବେ ପର୍ଯ୍ୟଟକ

ପୁରୀ : ପୁରୀକୁ ପ୍ରତିଦିନ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ରହିଛି ମନୋରମ ବେଳାଭୂମି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ସଂଖ୍ୟାଧିକ ପର୍ଯ୍ୟଟକଙ୍କ ଖାସ୍‌ ଆକର୍ଷଣ ସାଜିଥାଏ ଏହି ବେଳାଭୂମି। ଏହାର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଦି ଘେରା ବୁଲି ଆସିଲେ ଅନେକ ଖୁସି ହୋଇଯାନ୍ତି। ସେହିପରି ପୁରୀ ସମୁଦ୍ରରେ ସ୍ନାନ କରିବାର ମଜା ନିଆରା। ବେଳାଭୂମି ସ୍ବଚ୍ଛ ଓ ସୁନ୍ଦର ରଖିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପ୍ରୟାସ ଚଳାଇଛି। ମୋ ବିଚ୍‌ ଅଭିଯାନରେ ବେଳାଭୂମିକୁ ସଫେଇ କରାଯାଉଛି। ତେବେ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ବେଳାଭୂମିକୁ ଅପରିଷ୍କାର ନ କରିବେ ସେଥିଲାଗି ସେମାନଙ୍କୁ ସଚେତନ କରିବ ପୁରୀ ପୌରସଂସ୍ଥା। ଏଥିପାଇଁ ବେଳାଭୂମି କଡ଼େ କଡ଼େ ଲାଗିଥିବା ହାଇମାଷ୍ଟ ଲାଇଟ୍‌ରେ ମାଇକ୍‌ ଲଗାଯାଇଛି।
ସମ୍ପର୍କରେ ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ପୁରୀ ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ଯୋଜନା ହୋଇଛି। ବେଳାଭୂମିକୁ ବୁଲି ଆସୁଥିବା କୌଣସି ପର୍ଯ୍ୟଟକ ଯେପରି ପ୍ଲାଷ୍ଟିକ, ପଲିଥିନ କିମ୍ବା ଅନ୍ୟ କୌଣସି ଆବର୍ଜନା ବେଳାଭୂମିରେ ନ ପକାନ୍ତି ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିଲାଗି ପର୍ଯ୍ୟଟକଙ୍କୁ ସଚେତନ କରାଯିବ। ସ୍ବଚ୍ଛତା ବିଷୟରେ ରେକର୍ଡିଂ କରାଯାଇ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବ। ସେହିପରି ନୋ ପାର୍କିଂ ଜୋନ୍‌ରେ କେହି ଗାଡି ରଖିବେ ନାହିଁ। ଯଦି ଏ ସବୁକୁ କେହି ନ ମାନନ୍ତି ତେବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

Comments are closed.