Odisha Link
Bridging the Missing Links in Odisha

କଶ୍ମୀର ସମସ୍ୟାକୁ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ: ଫ୍ରାନ୍ସ୍‌ ରାଷ୍ଟ୍ରପତି

ଫ୍ରାନ୍ସ: କଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି। ଭାରତ ଓ ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରି ବିବାଦର ସମାଧାନ କରିବା ଦରକାର। ଦୁଇ ଦେଶ ମଧ୍ୟରେ ଥିବା ଆଞ୍ଚଳିକ ବିବାଦର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିବା ଠିକ୍ ନୁହେଁ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଆଜି ଏହା କହିଛନ୍ତି।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଅଛନ୍ତି। ଏହି ଅବସରରେ ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହାପରେ ଦୁଇ ଦେଶର ଶୀର୍ଷ ନେତା ଗଣମାଧ୍ୟମକୁ ସମ୍ୱୋଧନ କରୁଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି କଶ୍ମୀର ପ୍ରସଙ୍ଗ ଦ୍ୱିପାକ୍ଷିକ ମାଧ୍ୟମରେ ସମାଧାନ ହେବା ଦରକାର ବୋଲି କହିଥିଲେ। କଶ୍ମୀର ପ୍ରସଙ୍ଗରେ ଆଗାମୀ ଦିନରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସହ କଥା ହେବେ ବୋଲି କହିଛନ୍ତି। ଚଳିତବର୍ଷ ହୋଇଥିବା ପୁଲଓ୍ୱାମା ଆକ୍ରମଣକୁ ଏହି ଅବସରରେ ନିନ୍ଦା କରିଥିଲେ ମାକ୍ରନ୍। ଆଗାମୀ ଦିନରେ ଆତଙ୍କବାଦ ପ୍ରସଙ୍ଗରେ ଏକାଠି ହୋଇ ଦୁଇ ଦେଶ କାମ କରିବେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି। ସେ ଆହୁରି କହିଛନ୍ତି ଫ୍ରାନ୍ସ ଆସନ୍ତା ମାସରେ ୩୬ ରାଫେଲ ଲଢୁଆ ବିମାନ ଭାରତକୁ ହସ୍ତାନ୍ତର କରିବ।

ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତ ଓ ଫ୍ରାନ୍ସ ମଧ୍ୟରେ ବନ୍ଧୁତା କୌଣସି ସ୍ୱାର୍ଥକୁ ନେଇ ନୁହେଁ ବରଂ ସ୍ୱାଧୀନତା, ସମାନତା ଓ ଭାଇଚାରାକୁ ନେଇ ଗଢ଼ି ଉଠିଛି। ଉଭୟ ଦେଶ ଲଗାତର ଭାବେ ଆତଙ୍କବାଦର ସାମ୍ନା କରୁଛନ୍ତି। ଏଥିପାଇଁ ଆତଙ୍କବାଦ ପ୍ରସଙ୍ଗରେ ଦୁଇ ଦେଶ ଏକାଠି ହୋଇ ଆଲୋଚନା କରିବେ। ପୂର୍ବରୁ ଫ୍ରାନ୍ସ ଏବଂ ଭାରତ ଜଳବାୟୁ ପରିବର୍ତ୍ତନ, ପରିବେଶ ଓ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ରରେ ଏକାଠି ଛିଡା ହୋଇଥିଲେ ବୋଲି ମୋଦି କହିଛନ୍ତି।

Comments are closed.