Odisha Link
Bridging the Missing Links in Odisha

ଏଣିକି ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ ଟିକେଟ

ଭୁବନେଶ୍ବର: ଏଣିକ ଓଡ଼ିଆ ଭାଷାରେ ମିଳିବ ଟ୍ରେନ ଟିକେଟ୍। ଆଜିଠୁ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ ଟିକେଟ(ୟୁଟିଏସ୍) ପ୍ରଚଳନ ହେବ। ଏହାର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବେ। ଏହା ଫଳରେ ଓଡ଼ିଶାରେ ଥିବା ସମସ୍ତ ରେଳ ଷ୍ଟେସନରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରୀମାନେ ଓଡ଼ିଆ ଭାଷା ଲିଖିତ ଟ୍ରେନ ଟିକେଟ କ୍ରୟ କରିପାରିବେ। ଏଥିସହ ଆଜି ଅପରାହ୍ନରେ ଜୁନାଗଡ଼ ରୋଡ଼-ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସର ପୃଥକ ଭାବେ ଚଳାଚଳ ଆରମ୍ଭ ହେବ। ପୂର୍ବତଟ ରେଳପଥ ମୁଖ୍ୟାଳୟ ତଥା ରେଳସଦନଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭିଡିଓ କନଫରେନସିଂ ମାଧ୍ୟମରେ ସବୁଜ ପତାକା ପ୍ରଦର୍ଶନ କରି ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ରହିଛି।

କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ଉପସ୍ଥିତ ରହିବେ। ଜୁନାଗଡ଼ ରୋଡ଼ଠାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓ ସାଂସଦ ବସନ୍ତ କୁମାର ପଣ୍ଡା ଉପସ୍ଥିତ ରହିବେ। ପୂର୍ବରୁ ଏହି ଟ୍ରେନ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ସହିତ ଭୁବନେଶ୍ୱର ଓ ରାୟଗଡ଼ା ମଧ୍ୟରେ ଉଭୟ ଦିଗରୁ ଚଳାଚଳ କରୁଥିଲା। ରାୟଗଡ଼ାଠାରୁ ଅଲଗା ହୋଇ ପୃଥକ ପୃଥକ ଭାବେ ଜଗଦଲପୁର ଓ ଜୁନାଗଡ଼ ରୋଡ଼ ଯାତ୍ରା କରୁଥିଲା।

Comments are closed.