Odisha Link
Bridging the Missing Links in Odisha

ପ୍ରେମରେ ପାଗଳ ବାପା-ମା’, ପୁଅ ଅନାଥ

ବାଲେଶ୍ବର: ପ୍ରେମ ଶାସ୍ବତ। ପ୍ରେମ ଅମର ବୋଲି ସମସ୍ତେ ଜାଣଛନ୍ତି। ହେଲେ ପ୍ରେମ ଅନାଥ ବୋଲି ଆପଣ କେବେ ଶୁଣିଛନ୍ତି କି? ଆପଣଙ୍କୁ ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ଆଶ୍ଚର୍ଯ୍ୟ ଲାଗିଲେ ବି ଏ କଥାଟି ସତ। ପ୍ରେମ ପାଇଁ ଆଜି ଏକ ପିଲା ଅନାଥ ହୋଇଯାଇଛି।

ବାପା-ମାଆଙ୍କ ଅବୈଧ ପ୍ରେମ ପାଇଁ ଏକ କୁନି ପୁଅ ଅନାଥ। ବାପା ଗାର୍ଲଫ୍ରେଣ୍ଡ ଓ ମାଆ ବୟଫ୍ରେଣ୍ଡ୍‌ଙ୍କ ସହ ପଳାଇଗଲା ପରେ ୧୧ ବର୍ଷର ପିଲାଟି ସମାଜରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ନିଜର ପେଟ ଚାଖଣ୍ଡକ ପାଇଁ ଭିକ୍ଷାବୃତ୍ତି କରୁଛି। ଦୁନିଆକୁ ଭଲ ଭାବେ ଦେଖିନଥିବା ଓ ବୁଝିନଥିବା ଏହି ପିଲାଟିକୁ ନୀଳଗିରି ଥାନା ପୁଲିସ ଉଦ୍ଧାର କରି ଚାଇଲ୍‌ଡ ହେଲ୍‌ପ ଲାଇନ୍‌ କର୍ମକର୍ତ୍ତାଙ୍କୁ ହସ୍ତାନ୍ତର କରିଛି।

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳର ଅବିନାଶ ପତି (ଛଦ୍ମନାମ) ଜଣେ ଗରିବ ବ୍ୟକ୍ତି। ମୂଲ ମଜୁରୀ ଲାଗି ପରିବାର ଚଳାନ୍ତି। ପରିବାର କହିଲେ ପତ୍ନୀ ଓ ୧୧ ବର୍ଷର ଏକମାତ୍ର ପୁଅ। ପରିବାର ଠିକ୍‌ଠାକ୍‌ ଚାଲିଥିଲା। ଦିନେ ହଠାତ୍‌ ଅବିନାଶଙ୍କ ପତ୍ନୀ ଘରୁ କେଉଁ ଆଡ଼େ ଚାଲି ଗଲେ। ଅବିନାଶ ତାଙ୍କ ପତ୍ନୀଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ସେ ଶୁଣିବାକୁ ପାଇଲେ ପତ୍ନୀ ତାଙ୍କର ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଯାଇଛି। ଏହି କଥା ଶୁଣିବା ପରେ ଅବିନାଶ ଭାଙ୍ଗି ପଡ଼ିଥିଲେ। ନିଜ ପୁତ୍ରକୁ ସାନ୍ତନ୍ବା ଦେବା ସହିତ ଘରେ ଏକାକି ରହୁଥିଲେ। ତେବେ କିଛି ଦିନ ତଳେ ଅବିନାଶ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ବାପା-ମାଆ ପଳାଇଯିବା ପରେ ପିଲାଟି ଖାଇବାକୁ ନପାଇ ଘର ଛାଡ଼ି ଦେଇଥିଲା।

କିଛି ଦିନ ହେଲା ପିଲାଟି ମିତ୍ରପୁର ମାର୍କେଟରେ ଘୂରି ବୁଲୁଥିଲା। ଏପରିକି ଭିକ୍ଷାବୃତ୍ତି ମଧ୍ୟ କରୁଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିପାରି ନୀଳଗିରି ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପିଲାଟିକୁ ଉଦ୍ଧାର କରି ପଚରାଉଚରା କରିବା ପରେ ଜଣାପଡ଼ିଥିଲା ପୂରା ଘଟଣା। ଆଜି ପୁଲିସ ପିଲାଟିକୁ ଚାଇଲଡ୍‌ ଲାଇନ୍‌ ଅଧିକାରୀଙ୍କୁ ହସ୍ତାନ୍ତର କରିଛି।

Comments are closed.