Odisha Link
Bridging the Missing Links in Odisha

‘ଆଣ୍ଟିବାୟୋଟିକ୍’ ଲୋକାର୍ପିତ, ବାସ୍ତବତାକୁ ସମ୍ମୁଖୀନ କରିବାର ସମ୍ଭ୍ରମତା ହିଁ କବିତା

ବାଲେଶ୍ଵର: କବିତା ଅଛି ଲଜ୍ଜାରେ। ଲଜ୍ଜା ବା ସମ୍ଭ୍ରମତା ବ୍ୟତିରେକ କବିତା ସମ୍ଭବ ନୁହେଁ। ନଗ୍ନତା ଏକ ବାସ୍ତବତା ନୁହଁ। ତେଣୁ ନଗ୍ନତାରେ ନଥାଏ ବାସ୍ତବତା। ବାସ୍ତବତାକୁ ଅନୁଭବ କରି ଏବଂ ତାକୁ ସମ୍ଭ୍ରମତ ସହ ଯୋଡି ଲେଖାଯାଉ କବିତା। କବିତାର ଭୂଷଣ ହେଉଛି ଲଜ୍ଜା। ଏହି ଲଜ୍ଜା ସହ ନିହିତ ରହିବା ଜରୁରୀ ସନ୍ଦିଗ୍ଧତା, କୌତୁକ ଓ ସମ୍ଭ୍ରମତା ବୋଲି ବିଶିଷ୍ଟ କବି, ସମାଲୋଚକ ଓ ଭାଷ୍ୟକାର ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି।

ଆଜି ସ୍ଥାନୀୟ ଭେନିଆ ପାରାଡାଇଜ୍ ଠାରେ ପୂର୍ବାହ୍ନ ଏଗାରଟାରେ ଅନୁଷ୍ଠିତ ହୋଇଯାଇଛି କବି ଉତ୍ପଳ ମହାନ୍ତିଙ୍କ ଧାଡିକିଆ କବିତା ସଂକଳନ ‘ଆଣ୍ଟିବାୟୋଟିକ୍’ର ଲୋକାର୍ପଣ ଉତ୍ସବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଦାସ କହିଲେ, ଆଜିର ସମୟରେ କବି ଆହୁରି ଧ୍ୟାନମଗ୍ନ ହୋଇ ବାସ୍ତବତାର ଊର୍ଦ୍ଧ୍ଵକୁ ଉଠି ଧ୍ୟାନସ୍ଥ ଓ କଳ୍ପଲୋକୀୟ ଭାବନାରେ ସନ୍ତରଣ କରୁ। ‘ଆଣ୍ଟିବାୟୋଟିକ୍’ ପୁସ୍ତକରେ ପତ୍ରସ୍ଥ ପ୍ରତ୍ୟେକ ଧାଡିକିଆ କବିତା ଉତ୍ପଳଙ୍କ ଏକ ଧ୍ୟାନସ୍ଥ ଚେତନାରୁ ସୃଷ୍ଟି ହୋଇଥିବା କଥା କହି ଶ୍ରୀ ଦାସ ସୂଚେଇଦେଲେ ଯେ ରହସ୍ୟର ଉତ୍ତର ରହସ୍ୟରେ ଦିଆନଯାଉ। ପାଠକକୁ କବିତାର ଗୋଟିଏ ଧାଡି ହିଁ ବାନ୍ଧି ରଖିଥାଏ। ସେଇ ଧାଡିଟି ହିଁ କବିତା। ବାକି ଧାଡିଗୁଡିକ କବିତ୍ଵର ଅନାବଶ୍ୟକ ଅହଂ ଛଡା ଆଉ କିଛି ନୁହେଁ।

କବି ବିଜୟ ମଲ୍ଲଙ୍କ ମନ୍ତ୍ରମୁଗ୍ଧ ମଞ୍ଚ ସଂଚାଳନାରେ ଆୟୋଜିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବର ପ୍ରାରମ୍ଭରେ ଟାଇମପାସ୍ ପ୍ରକାଶନୀ ସଂସ୍ଥାର ନିର୍ଦ୍ଦେଶକ କବି ସରୋଜ ବଳ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ମଞ୍ଚାସୀନ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦଘାଟନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସୁଖ୍ୟାତ କଥାକାର ଓ ଔପନ୍ୟାସିକ ଡକ୍ଟର ଅଜୟ ସ୍ଵାଇଁ କହିଲେ, ଆଣ୍ଟିବାୟୋଟିକ୍ ସହିତ ଡାକ୍ତର ମାନେ ଆଣ୍ଟାସିଡ୍ ଯେଉଁ ଆଶାରେ ଦେଇଥାନ୍ତି, କବି ଉତ୍ପଳ ମହାନ୍ତି ଆଣ୍ଟିବାୟୋଟିକ୍ ପରେ ପରେ ଆଣ୍ଟାସିଡ୍ ନାମକ ଆଉ ଏକ କବିତା ପୁସ୍ତକ ପାଠକକୁ ଭେଟିଦେବା ଆବଶ୍ୟକ। ଉତ୍ପଳଙ୍କ ଧାଡିକିଆ କବିତା ସବୁ ଗଦ୍ୟଭଳି ହୋଇଥିବାରୁ ଏହାକୁ ଜଣେ କବିତା ଭଳି କିମ୍ବା ଗପ ଭଳି ବି ପଢିପାରିବ। ସେହିପରି ‘ରେବତୀ’ ପତ୍ରିକାର ସଂପାଦିକା ସୁବାସିନୀ ଜେନା ଏହି ଆସରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବାଲେଶ୍ଵର ମାଟିରୁ ଏପରି ଏକ ନୂତନତ୍ଵର ପରିପ୍ରକାଶ ଏ ମାଟିକୁ ଆହୁରି ଉର୍ବର କରିବା ସହ ବାଲେଶ୍ଵର ମାଟି ଯେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ତାହା ଉତ୍ପଳଙ୍କ ଆଣ୍ଟିବାୟୋଟିକ୍ ର ଆବିଷ୍କାର ସହିତ ଯୋଡି ହୋଇଗଲା ବୋଲି କହିଥିଲେ।

ପ୍ରାରମ୍ଭରେ ‘ଭଲ କବିତାର ଖୋଜ୍’ର ବରେଣ୍ୟ ଆବାହକ କବି ଶ୍ରୀଦେବ ନିଜସ୍ଵ ଅଭିଭାଷଣରେ ଭଲ କବିତାର ଖୋଜ୍ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସହିତ କବି ଉତ୍ପଳଙ୍କ ଧାଡିକିଆ କବିତାର ସମ୍ପର୍କ କଣ, ସେ ବାବଦରେ ସୂଚନା ପ୍ରଦାନ କରିଥିଲେ। କବି ଉତ୍ପଳ ମହାନ୍ତି ଲେଖକୀୟ ଅଭିବ୍ୟକ୍ତି ରଖିବା ସହ ଧାଡିକିଆ କବିତା ଲେଖିବା ପଛରେ ଥିବା ପ୍ରଚୋଦନା ବିଷୟରେ କହିଥିଲେ।

ଏହି ଅବସରରେ ‘ଆଣ୍ଟିବାୟୋଟିକ୍’ ପୁସ୍ତକର କବିତାର ଇଂରାଜୀ ଅନୁବାଦକ ଡକ୍ଟର ସୁବାସ ପାତ୍ର ଏବଂ ରଣଜିତ ମହାନ୍ତିଙ୍କ ସମେତ କବି ଶ୍ରୀଦେବ ଓ କୃଷ୍ଣ କୁମାର ମହାନ୍ତିଙ୍କୁ କୃତଜ୍ଞତା ପତ୍ର ଓ ଉପଢୌକନ ପ୍ରଦାନ କରି ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଠିକ ସେହିପରି ଭଲ କବିତାର ଆବାହକ ତ୍ରୟ ଫକୀରମୋହନଙ୍କ ଫଟୋଚିତ୍ର ଓ ସ୍ଵାକ୍ଷର ସମ୍ବଳିତ ଅଭିନନ୍ଦନ ପତ୍ର ପ୍ରଦାନ କରି ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶେଷରେ କବି ସରୋଜ ବଳ ଅକ୍ଷୟ ମହାନ୍ତିଙ୍କ ‘ଟୋକା ଏମିତି ହେଉଛିରେ…’ ସ୍ଵରରେ ରଚିତ ନିଜର ଏକ ନୂଆ କବିତା ‘ବୁଢା ଏମିତି ହେଉଛିରେ ଯେମିତି କିଛି ଜାଣେନି’ ମ୍ୟୁଜିକ୍ ସହ ଗାୟନ କରି ଉପସ୍ଥିତ ତିନି ଶହରୁ ଊର୍ଦ୍ଧ୍ଵ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିବା ପରେ ପରେ କବି କୃଷ୍ଣ କୁମାର ମହାନ୍ତି ଉତ୍ସବକୁ ଶେଷ ସ୍ପର୍ଶ ଦେଇଥିଲେ। ଏହି ଉତ୍ସବର ଆୟୋଜନରେ ସହଯୋଗ କରିଥିଲେ କବି ରଞ୍ଜନ ବାଗ, ରାଜେଶ ଗିରି ଓ ନୃତ୍ୟସଙ୍ଗୀତ କଳାମନ୍ଦିର।

Comments are closed.