Odisha Link
Bridging the Missing Links in Odisha

ଏଥର ଆଗୁଆ ହେବ ଯୁକ୍ତ ୨ ପ୍ରାକ୍ଟିକାଲ

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷ ଅର୍ଥାତ୍ ୨୦୨୦ରେ ହେବାକୁ ଥିବା ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଆଗୁଆ କରାଯିବ। ଫଳରେ ପରୀକ୍ଷା ଫଳ ପ୍ରକାଶନ ଆଉ ବିଳମ୍ବିତ ହେବ ନାହିଁ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରସ୍ତୁତି ଆରମ୍ଭ କରିଛି। ସାଧାରଣତଃ ପ୍ରତିବର୍ଷ ଜାନୁଆରୀ ୨୦ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ଥର ଜାନୁଆରୀ ୧୫ରୁ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି। ଏହି ପ୍ରାକ୍ଟିକାଲ ପରୀକ୍ଷା ୨୫ରେ ଶେଷ ହେବ। ତେବେ ଥିଓରି ପରୀକ୍ଷା ପୂର୍ବ ଭଳି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ତାରିଖ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ମାର୍ଚ୍ଚ ୨ରୁ ଥିଓରି ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରାଯାଇଥିବା ଜାଣିବାକୁ ମିଳିଛି। ଅପରପକ୍ଷରେ ପୂର୍ବରୁ ଜୁନ ୧୦ ଭିତରେ ସମସ୍ତ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବାର ନିୟମ ଥିଲା। ଏଥର କିନ୍ତୁ ସେଥିରେ ସଂଶୋଧନ କରାଯାଇ ମେ’ସୁଦ୍ଧା ସବୁ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏତଦ୍ ବ୍ୟତୀତ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ କ୍ରୀଡ଼ା ଖେଳ ପ୍ରତିଯୋଗିତା ଡିସେମ୍ବର ମଧ୍ୟରେ ଶେଷ ହେବ। ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ। ଇଂରାଜୀ ଓଡ଼ିଆରେରେ ରଚନା ଓ କବିତା ପ୍ରତିଯୋଗିତା ନଭେମ୍ବର ପ୍ରଥମ ସପ୍ତାହ, ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଚେୟାରମ୍ୟାନ କପ୍ ବକ୍ତୃତା ପ୍ରତିଯୋଗିତା ନଭେମ୍ବର ଦ୍ୱିତୀୟ ସପ୍ତାହ ଓ ବାର୍ଷିକ ସାଂସ୍କୃତିକ ପ୍ରତିଯୋଗିତା ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ କୁହାଯାଇଛି। ଧାର୍ଯ୍ୟ ହୋଇଥିବା ତାରିଖରେ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Comments are closed.