Odisha Link
Bridging the Missing Links in Odisha

ସେଲିବ୍ରିଟିଙ୍କୁ ନକଲ କଲେ ପପୁ: ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ସୋସିଆଲ୍‌ ଭିଡିଓ ସାଇଟ୍‌ ଟିକ୍‌ଟକ୍‌ରେ ବିଭିନ୍ନ ସେଲିବ୍ରିଟିଙ୍କୁ ସାଧାରଣ ଜନତା ନକଲ କରୁଥିବା ବେଳେ ଏବେ ଏ ଧାରାରେ ସାମିଲ ହୋଇଛନ୍ତି ହାସ୍ୟାଭିନେତା ପପୁ। କିଛି ବର୍ଷ ଧରି ବିଭିନ୍ନ କାରଣରୁ ପପୁଙ୍କର ପୁପୁଲାରିଟି କମିଥିବା ବେଳେ ସେଭଳି ବିଶେଷ କିଛି କାମ ବି ପାଉନାହାନ୍ତି ବିଗତ ଦିନର ଏହି ପରିଚିତ ଅଭିନେତା। ବିଭିନ୍ନ କାରଣରୁ ଦର୍ଶକଙ୍କୁ ଦ୍ବାରା ସମାଲୋଚିତ ହୋଇ ସେ ଶ୍ରଦ୍ଧା ଓ ଆଦରରୁ ବି ବଞ୍ଚିତ ହୋଇଛନ୍ତି। ଏମିତି ଏକ ସମୟରେ ଜଣେ ସେଲିବ୍ରିଟି ଗାୟକଙ୍କୁ ନକଲ କରି ପୁଣି ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରିଛନ୍ତି ପପୁ ଓରଫ୍‌ ତତ୍ତ୍ବପ୍ରକାଶ ଶତପଥୀ।

କଲିକତାର ଏକ ଛୋଟ ରେଳ ଷ୍ଟେସନରେ ଗୀତ ଗାଇ ଭିକ୍ଷାବୃତ୍ତି କରୁଥିବା ରାନୁ ମଣ୍ଡଳ ନାମ୍ନୀ ମହିଳା ଜଣକ ନିଜର ସୁଲଳିତ କଣ୍ଠସ୍ବର ପାଇଁ ହଠାତ ସୋସିଆଲ ମିଡିଆରେ ପ୍ରସିଦ୍ଧ ହୋଇ ଉଠିଥିଲେ। ପରେ ତାଙ୍କୁ ବିଭିନ୍ନ ଟିଭି ରିଅଲିଟି ସୋରେ ଦେଖିବାକୁ ମିଳିଥିଲା। ଆଉ ଏବେ ବଲିଉଡର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ‘ତେରି ମେରି’ ଶୀର୍ଷକ ସେ ଗୀତଟିର ମୁଖୁଡ଼ାଟି ହିମେଶ ଫେସବୁକରେ ଛାଡ଼ିଥିବା ବେଳେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ରାନୁ ଷ୍ଟୁଡିଓ ଭିତରେ ଗୀତ ଗାଉଥିବା ବେଳେ ତାଙ୍କ ପାଖରେ ସଂଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ଠିଆ ହୋଇଥିବା ଦେଖିବାକୁ ମିଳୁଛି।

ରାନୁଙ୍କର ସେହି ଗୀତରେ ଷ୍ଟୁଡିଓ ଦୃଶ୍ୟକୁ ନକଲ କରି ଆଉ ଏକ ଭିଡିଓ ଛାଡ଼ିଛନ୍ତି ପପୁ। ପପୁ ମୁଣ୍ଡରେ ନକଲ ଚୁଟି ଓ ଶାଢ଼ୀ ପିନ୍ଧି ରାନୁ ହେବାର ଅଭିନୟ କରିଛନ୍ତି ଓ ହିମେଶଙ୍କ ସ୍ଥାନରେ ଅନ୍ୟଜଣେ ବ୍ୟକ୍ତି ଠିଆ ହୋଇଥିବାର ଏହି ଭିଡିଓରେ ଦେଖିବାକୁ ମିଳୁଛି। ପପୁଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ତାଙ୍କର କିଛି ପ୍ରଶଂସକ ଏହାକୁ ଭଲ ପାଇଥିବା ବେଳେ ଆଉ କିଛି ବ୍ୟକ୍ତି ବିରୋଧ କରିଛନ୍ତି।

ହଜାର ହଜାର ଲୋକ ଟିକ୍‌ଟକ‌୍‌ରେ ଭିଡିଓ କରୁଥିବା ବେଳେ ପପୁ ଜଣେ ଜଣାଶୁଣା ଚେହେରା ହୋଇଥିବାରୁ ତାଙ୍କୁ ବିରୋଧ କରାଯାଉଥିବା ଅଭିଯୋଗ କରିଛନ୍ତି ପ୍ରଶଂସକ। ଅନ୍ୟପଟେ ପପୁଙ୍କ ଭିଡିଓଟି ରାନୁଙ୍କ ପ୍ରତି ଅସମ୍ମାନସୂଚକ ବୋଲି ସୋସିଆଲ ମିଡିଆରେ ଆଉ କିଛି ବ୍ୟକ୍ତି ଅଭିଯୋଗ ବାଢ଼ିଛନ୍ତି।

Comments are closed.