Odisha Link
Bridging the Missing Links in Odisha

ଗାଡ଼ି ଚାଳକ ସାବଧାନ, ଆଜିଠୁ ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ତଣ୍ଡ

ଭୁବନେଶ୍ବର: ଗାଡ଼ି ଚାଳକ ଏଣିକି ସାବଧାନ। ରାସ୍ତାରେ ଗାଡି ଚଲାଇବା ବେଳେ ସାବଧାନ ହୋଇଯାଆନ୍ତୁ। ନହେଲେ ଗଣିପାରନ୍ତି ମୋଟା ଅଙ୍କର ତଣ୍ଡ। କାରଣ ଆଜିଠୁ ରାଜ୍ୟରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ। ଯାହାକୁ ଭାଙ୍ଗିଲେ ଆପଣ ମୋଟା ଅଙ୍କର ଜରିମାନା ଗଣିବା ନିଶ୍ଚିତ। କେନ୍ଦ୍ର ସରକାର ମୋଟର ଯାନ ଆଇନ ୧୯୮୮ର ସଂଶୋଧନ କରିଛନ୍ତି, ଯାହା ସାରା ଦେଶ ସମେତ ଆମ ରାଜ୍ୟରେ ଲାଗୁ ହେବ। ନୂଆ ଆଇନରେ ଟ୍ରାଫିକ ନିୟମ ଭାଙ୍ଗିଲେ ୧୦ ଗୁଣ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଏପରିକି ୧୦ଟି କ୍ଷେତ୍ରରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ହୋଇପାରେ।

ଆଜି ରାଜ୍ୟରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ। ତେବେ ଲାଇସେନ୍ସ ନଥିଲେ କିମ୍ବା ହେଲମେଟ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡି ଚଲାଇଲେ ଫାଇନ ଦେବାକୁ ପଡିବ। ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବ। ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୩ଶହ, ତୃତୀୟ ଥର ଧରାପଡିଲେ ୫ ଶହ ଏବଂ ଚତୁର୍ଥ ଥର ନିୟମ ଭାଙ୍ଗିଲେ ୧୫ ଶହ ଟଙ୍କା ଗଣିବାକୁ ପଡିବ। ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦେଶକୁ ଅବଜ୍ଞା କଲେ ୫ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଦେବେ ଉଲ୍ଲଂଘନକାରୀ।

ଦ୍ରୁତଗତିରେ ଗାଡି ଚାଳନା ପାଇଁ ୪ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରିବେ ଟ୍ରାଫିକ ବିଭାଗର କର୍ମଚାରୀ। ମୋବାଇଲରେ କଥା ହୋଇ ଗାଡି ଚଲାଉଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯିବ। କାରର ସିଟ୍ ବେଲଟ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟ୍ରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କାରରେ ନେଉଥିଲେ ୧ ହଜାର ଟଙ୍କା ଗଣିବାକୁ ପଡିବ। ଗୋଟିଏ ବାଇକରେ ୨ରୁ ଅଧିକ ବ୍ୟକ୍ତି ଯାଉଥିଲେ ୧ ହଜାର ଟଙ୍କା , ଗାଡି ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ।

ଏହାଛଡା ରାସ୍ତାରେ ଗଲା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିକୁ ବାଟ ନଛାଡିଲେ ୧୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା ନୂଆ ଆଇନରେ ରହିଛି। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁୁ ସହାୟତା କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ନୂଆ ଆଇନରେ କେତେକ ସଂଶୋଧନ କରାଯାଇଛି । ତେବେ ସଡ଼କ ଦୁର୍ଘଟଣା ରୋକିବା ସହ ବହୁ ମୁଲ୍ୟବାନ ଜୀବନ ରକ୍ଷା କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଏଭଳି ନୂଆ ନିୟମ ଲାଗୁ କରିବେ।

Comments are closed.