Odisha Link
Bridging the Missing Links in Odisha

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଶୀର୍ଷରେ ଭାରତ, ଜାଣନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ଟେଷ୍ଟ ଇତିହାସ

କିଙ୍ଗଷ୍ଟନ୍: ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ଟେଷ୍ଟ ସିରିଜ୍‌ ଜିତିନେଇଛି ଭାରତ। ଫଳରେ ଟେଷ୍ଟ ଚମ୍ପିଆନସିପର ଶୀର୍ଷ ସ୍ଥାନ ଅକ୍ତିଆର କରିଛି ଟିମ୍‌ ଇଣ୍ଡିଆ। ଭାରତର ଏବେ ମୋଟ ୧୨୦ (୬୦+୬୦) ପଏଣ୍ଟ ହୋଇଛି। ଏଥିସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ କ୍ୟାରିବିୟାନ୍ ଟିମକୁ ମୂଳପୋଛ୍ କରିଛି। ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିବା ପୂର୍ବରୁ ଭାରତୀୟ ଟିମ୍ ଏହି ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜକୁ ଯଥାକ୍ରମେ ୨-୦ ଏବଂ ୩-୦ରେ କବଜା କରିଥିଲା।

ଭାରତର ଟେଷ୍ଟ ଇତିହାସ:
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ଟେଷ୍ଟ ଇତିହାସ (୧୯୪୮-୨୦୧୯) ୭୧ ବର୍ଷର ପୁରୁଣା। ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୨୪ ଟେଷ୍ଟ ସିରିଜ୍ ଖେଳାଯାଇଛି, ଯେଉଁଥିରେ ଭାରତ ୧୦ଟି ସିରିଜରେ ବିଜୟୀ ହୋଇଛି ଦୁଇ ଦେଶ ମଧ୍ୟରେ ୨ଟି ସିରିଜ୍ ଡ୍ର’ ରହିଥିବା ବେଳେ କ୍ୟାରିବିୟାନ୍ ଟିମ୍ ୧୨ଟି ସିରିଜ୍ ଜିତିଛି। ଦିନ ଥିଲା ଯେତେବେଳେ କ୍ରିକେଟର ବାଦଶାହା କୁହାଯାଉଥିବା ୱେଷ୍ଟଇଣ୍ଡିଜ୍ ବିରୋଧରେ ଭାରତୀୟ ଟିମ୍ ଲଗାତାର ସିରିଜ୍ ହାରୁଥିଲା। କ୍ୟାରିବିୟାନ୍ ଟିମ୍ ବିରୋଧରେ ସିରିଜ୍ ଜିତିବାକୁ ଭାରତକୁ ୨୩ ବର୍ଷ (୧୯୪୮ରୁ ୧୯୭୧) ଲାଗିଥିଲା। ୨୦୦୨ ପରେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଚଳିତ ଗସ୍ତରେ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତ ବିରେଧରେ ଗୋଟିଏ ବିଜୟ ହାସଲ କରିପାରିଲା ନାହିଁ।

୨୦୦୨ରୁ ୨୦୧୯ ପର୍ଯ୍ୟନ୍ତ ଅର୍ଥାତ୍ ୧୭ ବର୍ଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିନା କୌଣସି ଟେଷ୍ଟ ମ୍ୟାଚ୍ ହାରି ଭାରତ ଲଗାତାର ୮ଟି ସିରିଜ୍ ଜିତିସାରିଲାଣି। ଏହା ମଧ୍ୟରେ ଦୁଇ ଦେଶ ମଧ୍ୟରେ ୨୩ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତ ୧୪ଟି ମ୍ୟାଚ୍ ଜିତିଛି ତେବେ ଆଶ୍ଚର୍ଯ୍ୟକର କଥା ହେଉଛି, ୱେଷ୍ଟଇଣ୍ଡିଜ୍ ଏହା ମଧ୍ୟରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଜିତିପାରିନାହିଁ।

Comments are closed.