Odisha Link
Bridging the Missing Links in Odisha

ଭଦ୍ରକରେ ରାତି

ଭଦ୍ରକରେ ରାତି 🔵 ଶୁଭ୍ରାଂଶୁ ପଣ୍ଡା
•••••••••••••••••••••••••••••••

ଭଦ୍ରକରେ ଅଧରାତି
ଶବ ଆସେ, ଦୂରୁ ଶୁଭେ ସାଇରନ୍ କରୁଣ କାନ୍ଦଣା
ବସ ଷ୍ଟାଣ୍ଡ ଭିଡ଼ ଭାଙ୍ଗେ
ରାତି ବଢ଼େ, ଅବେଳରେ କେଉଁଠାରେ ଚାଲିଛି ମାଜଣା?

ମହାନଦୀ ଯାଏ ଶୁଖି
ହାହାକାର, ବୈଶାଖରେ ଶାଳନ୍ଦୀର ଫୁଲିଉଠେ ଛାତି
କିଏ ଜଣେ ଡୁବମାରେ
ନିଶାର୍ଦ୍ଧରେ, ଅଟକାଅ- ଦେହେ ତା’ର ଶହେଦୁଇ ତାତି

ପ୍ରେମିକ-ପ୍ରେମିକା ଯୋଡ଼ି
ଧଇଁସଇଁ, ଅସମ୍ଭବ ଯିବା ପାଇଁ ଅତୀତକୁ ଫେରି
ଷ୍ଟେସନରେ ମାଲଗାଡ଼ି
ଠିଆହୁଏ, ଆସିନାହିଁ ଏକ୍ସପ୍ରେସ ଦୁଇଘଣ୍ଟା ଡେରି

ଅନ୍ଧାରରେ ବଙ୍କାଗଳି
ଭୟଲାଗେ, ଶ୍ୱାନଙ୍କର ଧର୍ମଘଟ କଲେଜ ମୋଡ଼ରେ
ମାଆ କହେ ଶୋଇପଡ଼
କୁନିପୁଅ, ଭଦ୍ରକାଳୀ ଆସୁଛନ୍ତି ଘୋଡ଼ାଙ୍କ ଭିଡ଼ରେ

କଚେରୀ ବଜାର ଚୁପ୍
ରାସ୍ତା ଫାଙ୍କା, ବତୀଖୁଣ୍ଟ ଅଧା ଜଳେ ଅଧା ଯାଏ ଲିଭି
ରାତି ଜଗୁଆଳି ଉଠେ
ହାଇମାରେ, ଆହା କି ଲୋଭିଲା ଦିଶେ ଭଦ୍ରକର ନାଭି !

ମେ’ ମାସ ଯାଏ ସରି
ଜୁନ୍ ହୁଏ,ସ୍କୁଲ ଛୁଟି, ସରିନାହିଁ ଡହ ଡହ ତାତି
ଆଶରୀରୀ ଗ୍ରୀଷ୍ମ ବୁଲେ
ରାତି ସାରା, ପବନରେ ବିନ୍ଧିଦିଏ ଅଘରୀର ଛାତି

ହୋଟେଲରେ ହସରୋଳ
ନିଦନାହିଁ, ବାର ବାର ବଢ଼େ କାର ଦେହର ଦରଜ
କା ଆଖି ସପନ ଖୋଜେ
କାଲି ପାଇଁ, କଳନ୍ତର ଯାଏ ବଢ଼ି ସୁଝୁନି କରଜ

କେହି ଜଣେ ଧୂଆଁ ଟାଣେ
ଅପେକ୍ଷାରେ, ଆଉ କେହି ଲୁହ ଢାଳି ପଖାଳୁଛି ମୁହଁ
ଅନ୍ଧାରରେ ଦିଶିଯାଏ
ଯେତେ ଛବି, ସବୁ ଲାଗେ ତୁମପରି ତମେ କେହି ନୁହଁ

ଆକାଶରେ ଜହ୍ନ ନାହିଁ
ସାରାରାତି, ଅନ୍ଧାରରେ ବୁଲା ମେଘ କରୁଛି ରାଜୁତି
ଫେରିଆ ଫେରିଆ ବୋଲି
ଶୁଣାଯାଏ, ଶବ ପଛେ ବିଧବାର ଆକୁଳ କାକୁତି ।।

Comments are closed.