Odisha Link
Bridging the Missing Links in Odisha

୫୦୦ ଟଙ୍କା ତଣ୍ଡ ଗଣିଲେ ବିଧାୟକ

ଭୁବନେଶ୍ବର: ହଟହଟା ହେଲେ ବିଧାୟକ। ଲୋକଙ୍କୁ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ସଚେତନ କରିବାକୁ ଆସି ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ହଟହଟା ହୋଇଛନ୍ତି। କାରଣ ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିବା ଅଭିଯୋଗରେ ବିଧାୟକ ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି। ଭୁବନେଶ୍ୱର ସ୍ଥିତ ଏଜି ଛକକୁ ଚକଲେଟ୍ ଓ ଲିଫଲେଟ୍ ବାଣ୍ଟିବାକୁ ଆଜି ସକାଳେ ଅନନ୍ତ ଆସିଥିଲେ। ଏହି ସମୟରେ ତାଙ୍କ ଡ୍ରାଇଭର ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିଲେ। ଫଳରେ ସମସ୍ତଙ୍କ ପାଇଁ ସମାନ ଆଇନ ନିୟମରେ ଡିସିପି ଅନୁପ ସାହୁଙ୍କ ଉପସ୍ଥିତିରେ ବିଧାୟକଙ୍କୁ ଏହି ଜରିମାନା ଦେବାକୁ ପଡ଼ିଛି।

ଏସମ୍ପର୍କରେ ଗଣମାଧ୍ୟମ ଆଗରେ ନିଜ ଦୋଷ ସ୍ୱୀକାର କରିଛନ୍ତି ବିଧାୟକ। ବିଧାୟକ କହିଛନ୍ତି, “ଆଇନ ଆଗରେ ସମସ୍ତେ ସମାନ ।ମୋ ଡ୍ରାଇଭରର ପାର୍କିଂ ଭୁଲ ଥିଲା। ଜରିମାନା ଆଦାୟ କଲେ। ଯିଏ ଭୁଲ କରିବ, ଦଣ୍ଡିତ ହେବ। ” ଆଇନ ମାନିବାନି କାହିଁକି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ଏହି ସମୟରେ ସେଠାରେ ଉପସ୍ଥିତ ଡିସିପି ଅନୁପ ସାହୁ କହିଛନ୍ତି, “ଆଇନ ସମସ୍ତଙ୍କ ପାଇଁ ସମାନ। ଯିଏ ଅମାନ୍ୟ କରିବ, ଫାଇନ୍‌ ଦେବ”।

ସୂଚନାଥାଉକି, ରାଜମହଲ ଛକରେ କାଲି ପୁଲିସ୍‌- ପବ୍ଲିକ୍‌ ମଧ୍ୟରେ ଖଣ୍ଡ ଯୁଦ୍ଧ ହେବା ପରେ ଆଜି ଭୁବନେଶ୍ୱର ଏଜି ଛକରେ କମିଶନରେଟ୍ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କାଲି ଲୋକଙ୍କ ଉପରକୁ ଲାଠି ଚାର୍ଜ କରିବା ପରେ ଆଜି ଚକଲେଟ୍ ଦେଇ ଓ ଲିଫଲେଟ୍ ବାଣ୍ଟି ପୁଲିସ୍‌ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛି । ହେଲମେଣ୍ଟ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା, ଓଭରଟେକ୍ ନକରିବା ଭଳି ବିଭିନ୍ନ ଟ୍ରାଫିକ୍ ନିୟମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛି।

Comments are closed.