Odisha Link
Bridging the Missing Links in Odisha

ବଢ଼ିପାରେ ଓମ୍‌ଫେଡ ଦୁଗ୍ଧ ମୂଲ୍ୟ!

ଭୁବନେଶ୍ୱର: ଓଡ଼ିଶାରେ ଚାଷ ସହିତ ଗୋପାଳନ ଏକ ପ୍ରମୁଖ ବେଉସା ହୋଇଛି। ଗୋପାଳନ କରୁଥିବା ସର୍ବାଧିକ ଚାଷୀ ଓମ୍‌ଫେଡକୁ କ୍ଷୀର ବିକ୍ରି କରିଥାଆନ୍ତି। କିନ୍ତୁ ଏବେ ଏହି ଚାଷୀମାନେ କ୍ଷତି ସହୁଥିବା କଥା ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ପୂର୍ବ ଅପେକ୍ଷା ଗୋଖାଦ୍ୟର ଦର ବୃଦ୍ଧି ପାଇଛି, ମାତ୍ର ସେହି ଅନୁଯାୟୀ ଦୁଗ୍ଧ ଦର ବୃଦ୍ଧି ପାଉନାହିଁ। ନିକଟ ଅତୀତରେ ଘରୋଇ ଉତ୍ପାଦ କିଣା ଦରରେ ଲିଟର ପିଛା ୪ ଟଙ୍କା ଏବଂ ବିକ୍ରି ଦରରେ ୩ ଟଙ୍କା ବୃଦ୍ଧି କରିଛନ୍ତି।
ପୂର୍ବରୁ ଗତ ଅଗଷ୍ଟ ୨୨ରେ ଏନେଇ ଓମ୍‌ଫେଡ ଅଧ୍ୟକ୍ଷ ଚାଷୀଙ୍କ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଦୁଗ୍ଧ ଲିଟର ପିଛା ୪ ଟଙ୍କା ବୃଦ୍ଧି କରିବା ପାଇଁ ଏହି ପ୍ରସ୍ତାବରେ ଦାବି କରାଯାଇଛି। ମାତ୍ର ମୂଲ୍ୟ ଅପରିବର୍ତ୍ତିତ ରହିଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଏହାସହିତ ଉତ୍ପାଦନ ଖର୍ଚ୍ଚ ଯଥା- ଓଷଧ, ଖାଦ୍ୟ ପରିପୂରକ, ସର୍ବନିମ୍ନ ମଜୁରି ଓ ଦୁଧିଆଳି ପଶୁଙ୍କ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଉତ୍ପାଦନ ମୂଲ୍ୟ ଯଥେଷ୍ଟ ଅଧିକ ହେଉଥିବାରୁ ଚାଷୀ ନିରୁତ୍ସାହିତ ହେଉଥିବା ଦେଖିବାକୁ ମିଳିଛି। ଗୋପାଳନରେ କ୍ଷତି ହେଉଥିବାରୁ ପରୋକ୍ଷରେ ଦୁଗ୍ଧ ଉତ୍ପାଦନ ହ୍ରାସ ପାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନଙ୍କୁ ଲିଟର ପିଛା ୪ ଟଙ୍କା ଅଧିକ ସହାୟତା ଦିଆଗଲେ ଦୈନିକ ୫ ଲକ୍ଷ ଲିଟର ଉତ୍ପାଦନ ହିସାବ ଅନୁଯାୟୀ ବର୍ଷକୁ ଅଧିକ ୭୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ଏନେଇ ମଙ୍ଗଳବାର କୃଷି ଭବନରେ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଏକ ବୈଠକ ବସିବ ବୋଲି ଜଣାପଡିଛି। ଏହି ବୈଠକରେ ଓମ୍‌ଫେଡ ଚାଷୀଙ୍କ ଦୁଗ୍ଧମୂଲ୍ୟ ବୃଦ୍ଧି କରିବା ପ୍ରସଙ୍ଗ ଆଲୋଚନା ହେବ ବୋଲି ଆଶା କରାଯାଉଛି।

Comments are closed.