Odisha Link
Bridging the Missing Links in Odisha

ମଦ ନା ପୌର ନିର୍ବାଚନ, କ’ଣ ରହିଛି କୋହଳ ଟ୍ରାଫିକ୍ ଆଇନ ପଛର ରହସ୍ୟ?

ଭୁବନେଶ୍ବର: ସେପ୍ଟମ୍ବର ପହିଲାରୁ ରାଜ୍ୟରେ ଲାଗୁ ହେଲା ନୂଆ ମୋଟର ଯାନ ଆଇନ। ଯାହାରି ଫଳରେ ସାଧାରଣ ଲୋକ ମୋଟା ଅଙ୍କର ତଣ୍ଡ ଗଣିଲେ। ଯାହାକୁ ନେଇ ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଅନ୍ୟପଟେ ନୂଆ ନିୟମକୁ ନେଇ ସେପ୍ଟମ୍ବର ୭ ତାରିଖରେ ରାଜଧାନୀ ଭୁବନେଶ୍ବରର ରାଜମହଲ ଛକରେ ଦେଖିବାକୁ ମଳିଥିଲା ହଙ୍ଗାମା। ପରେ ରାଜମହଲ ଛକ ପାଲଟି ଯାଇଥିଲା ରଣକ୍ଷେତ୍ର। ଏସବୁକୁ ନଜରରେ ରଖି ଘଟଣା ସ୍ଥଳରେ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ୫ଟି ଆଇନ ଅବମାନନା କଲେ ଫାଇନ୍‌ ଆଦାୟ କରାଯିବ ବୋଲି କହିଥିଲେ। ଏଭଳି ଘଟଣାର ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫାଇନ ଆହାୟକୁ ତିନି ମାସ ପର୍ଯ୍ୟନ୍ତ କୋହଳ କରିଦେଇଥିଲେ ଏବଂ ତିନିମାସ ଭିତରେ କାଗଜପତ୍ର ଠିକ୍‌ କରିବାକୁ ଅନୁରୋଧ କରିଥିଲେ।

ହେଲେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣାରେ କିନ୍ତୁ ରାଜନୈତିକ ଗନ୍ଧ ବାରି ହୋଇ ଯାଉଛି। କାରଣ ଆଗକୁ ରାଜ୍ୟରେ ହେବାକୁ ଯାଉଛି ପୌର ନିର୍ବାଚନ। ଯାହାକି କେବଳ ସହର ମାନଙ୍କରେ ହେବ। ଅନ୍ୟପକ୍ଷରେ ନୂଆ ମୋଟର ଆଇନ ମୁଖ୍ୟତଃ ସହରରେ କାର୍ଯ୍ୟକାରୀ ହେଉଛି। ହେଲେ ନୂଆ ଆଇନ ଲାଗୁ ହେବା ଫଳରେ ସହରରେ ସରକାରଙ୍କ ପ୍ରତି ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ପୌର ନିର୍ବାଚନ ପୂର୍ବରୁ ସହରବାସୀଙ୍କୁ ଖୁସି କରିବାକୁ ଯାଇ ଏପରି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଇଛନ୍ତି ବୋଲି ରାଜନୈତିକ ମହଳରେ ଖୁବ ଚର୍ଚ୍ଚା ହେଉଛି।

ମୂଖ୍ୟମନ୍ତ୍ରୀଙ୍କ ନୂଆ ନିୟମ କୋହଳ ପଛରେ ମଦର ଭୂମିକା ବହୁୁତ ଗୁରୁତ୍ବ ଅଛି ବୋଲି ବହୁ ଚର୍ଚ୍ଚା ହେଉଛି। କାରଣ ନୂଆ ମୋଟର ଯାନ ଆଇନ ଲାଗୁ ହେବା ଫଳରେ ଯଦି ଗାଡ଼ି ଚାଳକ ମଦ୍ୟପାନ କରି ଗାଡ଼ି ଚଳଉଥାଏ ତେବେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଥିଲା। ଫଳରେ ଅଧା ଲୋକ ମଦ ପିଇବା ଛାଡ଼ିଦେଲେ। ଯାହାରି ଫଳରେ ମଦ ଦୋକାନ ଖାଁ ଖାଁ ରହିଲା। ମଦ ଦୋକାନକୁ ଲୋକ ନଯିବାରୁ ମଦରୁ ଆସୁଥିବା ରାଜସ୍ବ ହାନି ଘଟିଲା। ଏଥିସହିତ ମଦ ଦୋକାନି ମାନେ ଧାରଣା ଦେବାକୁ ମଧ୍ୟ କହିଥିଲେ। ଉଭୟ ମଦ ଦୋକାନୀ ଏବଂ ରାଜସ୍ବକୁ ଦୃଷ୍ଟରେ ରଖି ସରକାର ଏପରି ନିଷ୍ପତ୍ତି ନେଇ ପାରିଥାନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Comments are closed.