Odisha Link
Bridging the Missing Links in Odisha

ଜାଭିୟର ଇନ୍‌ଷ୍ଟିଚ୍ୟୁଟରେ ବାର୍ଷିକ ବାଣିଜ୍ୟ ସମ୍ମିଳନୀ

ଭୁବନେଶ୍ବର: ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ ବାର୍ଷିକ ବାଣିଜ୍ୟ ସମ୍ମିଳନୀ ବି.ଇ.ଏସ୍.ର ଦ୍ବିତୀୟ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା ସରାକର ମୁଖ୍ୟ ଶାସନ ସଚିବ ଆସୀତ୍‌ କୁମାର ତ୍ରିପାଠୀ, ଟାଟା ଷ୍ଟିଲର ଇସ୍ପାତ ବ୍ୟବସାୟ ପୂର୍ଣ୍ଣ ଗୁଣବତ୍ତା ପରିଚାଳନା ମୁଖ୍ୟ ଆନନ୍ଦ ସେନ୍‌, ଏକ୍ସ.ଆଇ. ଏମ. ବି. ଡିନ୍‌ ଶ୍ରୀଧର ଦାଶ, ସହକୁଳପତି ଡ.ଫାଦର ଆଣ୍ଟୋନି ୟୁ.ଆର୍.ଉଭାରି, ଛାତ୍ର ସଂସଦ ସାଧାରଣ ସମ୍ପାଦକ ଅଞ୍ଜନ ମହାନ୍ତି ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥିଗଣଙ୍କ କରକମଳରେ ଦୀପପ୍ରଜ୍ବଳନ ପୂର୍ବକ ସମାରୋହ ଉଦଘାଟିତ ହୋଇଥିଲା


ଉକ୍ତ ଅବସରରେ ମହାନ୍ତି ଛାତ୍ରସଭାକୁ ଉଦ୍‌ବୋଧନ ଦେଇ ସଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ତ୍ରିପାଠୀ ବର୍ତ୍ତମାନର ଯୁବ ନେତୃତ୍ବ ମଧ୍ୟରେ ସମାନୁଭୂତିର ଉପସ୍ଥିତି ଜରୁରୀ ବୋଲି ଗୁରୁତ୍ବାରୋପ କରିଥିଲେ। ମୁଖ୍ୟବକ୍ତା ସେନ୍‌ ବ୍ୟବସାୟିକ ଅଭିନବୀ କରଣ ଉପରେ ଅଲୋକପାତ କରିଥିଲେ। ଫାଦର ଆଣ୍ଟୋନି ବିଦ୍ୟା ହିଁ ପ୍ରକୃତ ପୁଞ୍ଜି ଯାହାର କଳନା କରିବା ଅସାଧ୍ୟ ବୋଲି ମତପୋଷଣ କରିଥିଲେ। ଫାଦର୍‌ ଆଣ୍ଟୋନି ମୁଖ୍ୟବକ୍ତାଙ୍କୁ ସ୍ମାରକୀ ପ୍ରଦାନ କରିଥିଲେ। ସଭା ଶେଷରେ ଶ୍ରୀଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।


ଉଦ୍‌ଘାଟନୀ ଦିବସରେ ଦ୍ବିତୀୟାର୍ଦ୍ଧରେ ବ୍ୟବସାୟିକ ରୂପାନ୍ତରଣ ଏବଂ କୃତ୍ରିମ ମେଧାଶକ୍ତି ଶୀର୍ଷକ ଅଲୋଚନାଚକ୍ରରେ, ବ୍ରିଜ୍‌-ଆଇ-ଟୁ-ଆଇ-ସିଇଓ ପୃଥ୍ବୀଜିତ୍‌ ରାୟ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ରାୟ ବ୍ୟବସାୟିକ ଅନୁଷ୍ଠାନର ରୂପାନ୍ତରଣରେ ଜଗତୀଗରଣ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରଭାବ ଉପରେ ଆଲୋକ ପାତ କରିଥିଲେ। ବକ୍ତବ୍ୟ ଶେଷରେ ବକ୍ତା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ପାରସ୍ପରିକ ଆଲୋଚନା କରିଥିଲେ। ଆଲୋଚନା ଚକ୍ର ଶେଷରେ ବକ୍ତା ରାୟଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା। ଶେଷରେ ଦ୍ବିତୀୟ ବର୍ଷର ଛାତ୍ରୀ ତଥା ଏକ୍ସ-ଅପ୍ସର ଆବାହକ ଅଙ୍କିତା ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.